Latest Odisha News

BREAKING NEWS

Ranbir Kapoor Apologise: କାହିଁକି ଦଶହରା ମଞ୍ଚରେ ଭୁଲ୍ ମାଗିଲେ ରଣବୀର କପୂର?

କୋଲକାତା: ବଲିଉଡ୍ ଅଭିନେତା ରଣବୀର କପୁର ଦଶହରା କାର୍ଯ୍ୟକ୍ରମରେ ଦେଇଥିବା ଭାଷଣକୁ ନେଇ କ୍ଷମା ମାଗିଛନ୍ତି। ପଶ୍ଚିମବଙ୍ଗରେ ଆୟୋଜିତ ଏକ ଦଶହରା କାର୍ଯ୍ୟକ୍ରମରେ ତାଙ୍କର ଏକ ବକ୍ତବ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିବା ପରେ ଅଭିନେତା ଏହାକୁ ନିଜର ଭାଷାଗତ ତ୍ରୁଟି ବୋଲି ସ୍ପଷ୍ଟ କରିଛନ୍ତି। ଖରାପ ଉଦ୍ଦେଶ୍ୟରେ ସେ ଏପରି କହିନଥିଲେ ବୋଲି ମଧ୍ୟ ଜଣାଇଛନ୍ତି।

‘ରାମାୟଣ’ ଚଳଚ୍ଚିତ୍ରର ଏକ ବଡ଼ କାର୍ଯ୍ୟକ୍ରମରେ ଚେନ୍ନାଇଠାରେ ଯୋଗ ଦେଇ ରଣବୀର ନିଜ ବକ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ, “ଗତକାଲି ଯାହା ଘଟିଲା, ସେଥିପାଇଁ ମୁଁ କ୍ଷମା ମାଗିବାକୁ ଚାହୁଁଛି। ଦଶହରା କାର୍ଯ୍ୟକ୍ରମରେ ମୋର ଟଙ୍ଗ୍ ସ୍ଲିପ୍ ହୋଇଯାଇଥିଲା।” ସେ ଆହୁରି କହିଥିଲେ ଯେ ତାଙ୍କ କହିବାର ଉଦ୍ଦେଶ୍ୟ ଥିଲା, “ଅନ୍ୟାୟ ଯେତେ ଶକ୍ତିଶାଳୀ ହେଉ ନା କାହିଁକି, ଶେଷରେ ବିଜୟ ସତ୍ୟ ଓ ଭଲର ହିଁ ହେବ।” ନିଜ ଭୁଲ୍ ବୁଝାଇବାକୁ ଯାଇ ରଣବୀର ତାଙ୍କ ଅଭିନୀତ ଫିଲ୍ମ ‘ରକଷ୍ଟାର’ରେ ଏ.ଆର୍. ରହମାନଙ୍କ ସହ ଜଡ଼ିତ ଏକ ଗୀତର ପଂକ୍ତିକୁ ମଧ୍ୟ ମନେ ପକାଇଥିଲେ। ସେ କହିଥିଲେ, “ଯାହା କହିବାକୁ ଚାହେଁ, ଶବ୍ଦ ମୋ କଥାକୁ ନଷ୍ଟ କରିଦିଏ।” ଏହାପରେ ସେ ପୁଣିଥରେ କ୍ଷମା ପ୍ରାର୍ଥନା କରିଥିଲେ।

ତେବେ ପଶ୍ଚିମବଙ୍ଗରେ ଆୟୋଜିତ ଦଶହରା କାର୍ଯ୍ୟକ୍ରମରେ ରଣବୀର ଏହି ପର୍ବର ମହତ୍ତ୍ୱ ବିଷୟରେ କହିଥିଲେ। ତାଙ୍କ ଭାଷଣର ଗୋଟିଏ ଅଂଶକୁ ନେଇ ଅନଲାଇନ୍‌ରେ ଚର୍ଚ୍ଚା ହୋଇଥିଲା ଏବଂ ଅନେକ ଲୋକ ତାଙ୍କ କଥାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ। ତେବେ ରଣବୀର ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ବାର୍ତ୍ତା ଥିଲା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ଭଲର ବିଜୟ। ଦଶହରାର ମୂଳ ସନ୍ଦେଶକୁ ଭୁଲ୍ ଭାବେ ଉପସ୍ଥାପନ କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା।

ଏହି ସମୟରେ ରଣବୀରଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ: ପାର୍ଟ ୱାନ୍’ର ରିଲିଜ୍‌କୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି। ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ନଭେମ୍ବର ୫ରେ ଦୀପାବଳି ଅବସରରେ ବିଶ୍ୱବ୍ୟାପୀ ସିନେମା ହଲ୍‌ରେ ମୁକ୍ତିଲାଭ କରିବାକୁ ଯୋଜନା ରହିଛି। ଏହି ଫିଲ୍ମରେ ରଣବୀର କପୁର ଭଗବାନ ରାମଙ୍କ ଭୂମିକାରେ, ସାଇ ପଲ୍ଲବୀ ସୀତାଙ୍କ ଭୂମିକାରେ, ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ଏବଂ ୟଶ ରାବଣଙ୍କ ଭୂମିକାରେ ନଜର ଆସିବେ। ଏହାସହ ଅରୁଣ ଗୋଭିଲ ରାଜା ଦଶରଥ, ଲାରା ଦତ୍ତା ରାଣୀ କୈକେୟୀ ଏବଂ ରକୁଲ ପ୍ରୀତ ସିଂହ ଶୂର୍ପଣଖା ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ର ହିନ୍ଦୀ, ତାମିଲ, ତେଲୁଗୁ, କନ୍ନଡ଼, ମାଲାୟାଲମ୍ ଓ ଇଂରାଜୀ ଭାଷାରେ ଦର୍ଶକଙ୍କ ପାଇଁ ଉପଲବ୍ଧ ହେବାର ଯୋଜନା ରହିଛି।

Leave A Reply

Your email address will not be published.