ମୁମ୍ବାଇ: ଡନ ୩କୁ ନେଇ ଉପୁଜିଥିବା ବିବାଦର ଏକପ୍ରକାର ଅନ୍ତ ଘଟିଛି । ବୁଧବାର ରଣବୀର ସିଂ ନେଇଥିବା ସାଇନିଂ ଆମାଂଉଟ ଫରହାନ ଅଖତାରଙ୍କୁ ଫେରାଇ ଦେଇଛନ୍ତି । ଏଥିସହ ସେ ଅଫିସିଆଲ ଭାବେ ଏହି ଫିଲ୍ମରୁ ଓହରି ଯାଇଛନ୍ତି । ଅମୀର ଖାଁ ମଧ୍ୟ ରଣବୀରଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ରାଜି ହୋଇ ନ ଥିଲେ । ବର୍ତମାନ ଫରହାନ ତାଙ୍କ ସ୍ଥାନରେ ଅନ୍ୟ କାହାକୁ ନେଉଛନ୍ତି କିମ୍ବା ଫିଲ୍ମକୁ ଥଣ୍ଡା ବାକ୍ସରେ ପକାଇବେ ତାହା ଦେଖିବା କଥା । ପ୍ରେସ ଜର୍ଣ୍ଣାଲରେ ଏହି ରିପୋର୍ଟ ପ୍ରକାଶ ପାଇଛି । ରଣବୀର କିମ୍ବା ଫରହାନ ଏ ସମ୍ପର୍କରେ କୌଣସି ବୟାନ ଜାରୀ କରି ନାହାନ୍ତି ।
୩ ବର୍ଷ ତଳେ ଡନ ୩ପାଇଁ ଫରହାନ ତାଙ୍କୁ ସାଇନ କରିଥିଲେ । କିଆରା ଆଡଭାନି ଫିଲ୍ମ ଅଧାରୁ ଛାଡିଥିଲେ । ଏଥିଯୋଗୁ ଫିଲ୍ମ ଶୁଟିଂରେ ବିଳମ୍ବ ହୋଇଥିଲା । ସେହି ସମୟ ମଧ୍ୟରେ ରଣବୀର ଧୂରନ୍ଧର ଫିଲ୍ମ ଶୁଟିଂରେ ବ୍ୟସ୍ତ ହୋଇଗଲେ । ଅନ୍ୟ ଏକ ରିପୋର୍ଟ ଅନୁସାରେ ରଣବୀର ଯାହା ଦାବୀ କରିଥିଲେ ଫରହାନ ସେଥିପ୍ରତି ସକ୍ଷମ ନୁହେଁ ବୋଲି କହିଥିଲେ । ଫରହାନ ଏବେ ତାଙ୍କ ନିୟମିତ ଡନ ଶାହାରୁଖ ଖାଁଙ୍କ ସହ ଯୋଗାଯୋଗ ଆରମ୍ଭ କରିଛନ୍ତି । ତେବେ ଶାହାରୁଖ ଚାହୁଁଛନ୍ତି ଅଟଲୀ କୁମାର ଏହାର ନିର୍ଦ୍ଦେଶନା ଦିଅନ୍ତୁ । ଯଦି ଏଥିରେ ଫରହାନ ରାଜି ହେବ ତେବେ କଥା ଆଗକୁ ବଢ଼ିବ ।