ମୁମ୍ବାଇ: ମୁମ୍ବାଇର ୱର୍ଲି ଶ୍ମଶାନରେ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାର୍ସୀ ରୀତିନୀତିରେ ଅନ୍ତିମ ସତ୍କାର କରାଯାଇଛି। ଏହି ସମୟରେ ୱର୍ଲି ଶ୍ମଶାନରେ ଶୋକାକୂଳ ପରିସ୍ଥିତି ଉପୁଜିଥିଲା।
ତାଙ୍କର ମୃତଦେହକୁ ଶେଷ ଦର୍ଶନ ପାଇଁ ମୁମ୍ବାଇର ଏନସିପିଏ ଗ୍ରାଉଣ୍ଡରେ ବହୁ ସଂଖ୍ୟକ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ସମାରୋହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପୀୟୁଷ ଗୋୟଲ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅନ୍ତିମ ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ରତନ ଟାଟାଙ୍କ ଶେଷ ବିଦାୟ ଜଣାଇଛନ୍ତି।
ଅପରପକ୍ଷରେ ଏନସିପିଏରେ ତାଙ୍କ ପ୍ରାର୍ଥନା ସଭାରେ ପାର୍ସୀ, ମୁସଲମାନ, ଖ୍ରୀଷ୍ଟିଆନ, ଶିଖ୍ ଏବଂ ହିନ୍ଦୁ ଧର୍ମର ପୂଜକମାନେ ପ୍ରାର୍ଥନା ପଢ଼ିବା ପାଇଁ ଏକାଠି ହୋଇଥିଲେ।
ଉଲ୍ଲେଖଯୋଗ୍ୟ, ବିଜନେସ୍ ଦୁନିଆର ଟାଇକୁନ ରତନ ଟାଟା ଅକ୍ଟୋବର ୯ ତାରିଖରେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।ରତନ ଟାଟାଙ୍କ ଦେହାନ୍ତକୁ ନେଇ ଚାରିଆଡେ ଶୋକର ଛାୟା ଖେଳି ଯାଇଛି। ସେ କେବଳ ଜଣେ ବ୍ୟବସାୟୀ ନଥିଲେ, ବରଂ ଭାରତୀୟ ଶିଳ୍ପ ଜଗତ ଏବଂ ଭାରତୀୟ ଅର୍ଥନୀତିରେ ତାଙ୍କର ବହୁ ଅବଦାନ ଥିଲା। କୋଟି କୋଟି ଯୁବ ବ୍ୟବସାୟୀଙ୍କ ଆଦର୍ଶ ଥିଲେ ରତନ ଟାଟା।
Comments are closed.