Latest Odisha News

ରାୟପୁରରେ ରଥଯାତ୍ରା

ରାୟପୁର : ଛତିଶଗଡ଼ର ସର୍ବବୃହତ ଜଗନ୍ନାଥ ମନ୍ଦିରଠାରେ ପବିତ୍ର ରଥଯାତ୍ରା ଲକ୍ଷାଧିକ ଭକ୍ତଙ୍କର ସମାଗମରେ ମହାସମାରୋହରେ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ସମ୍ମାନୀତ ଅତିଥି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଵ ସାୟ ଉପସ୍ଥିତ ଥିଲେ। ଅନ୍ୟାନ୍ୟ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ, ସାଂସଦ ବ୍ରିଜ ମୋହନ ଅଗ୍ରୱାଲ, ବିଧାୟକ ମୋତିଲାଲ ସାହୁ ଏବଂ ମେୟର ଅଜାଜ ଦେବର ଏହି ସମାରୋହରେ ସାମିଲ ହୋଇଥିଲେ।

ଠାକୁରମାନଙ୍କ ପହଣ୍ଡି ବିଜେ ପରେ ସୁନ୍ଦର ସୁଶୋଭିତ ରଥଗୁଡିକୁ ଗାୟତ୍ରୀ ନଗରରୁ ଟଣାଯାଇ ଏକ କିଲୋମିଟର ଦୂରବର୍ତ୍ତୀ ବି .ଟି. ଆଇ ମଇଦାନକୁ ନିଆଯାଇ ଶଙ୍କର ନଗର ରାସ୍ତା ଦେଇ ପୁଣି ମନ୍ଦିର ବେଢାକୁ ଫେରାଇ ଅଣାଯାଇଥିଲା। ସନ୍ଧ୍ୟା ସମୟରେ ଠାକୁରମାନଙ୍କୁ ତିନିରଥ ଉପରକୁ ପୁଣି ପହଣ୍ଡି କରାଯାଇ ମନ୍ଦିର ବେସମେଣ୍ଟରେ ଥିବା ମାଉସୀ ମା’ ଘରକୁ ନିଆ ଯାଇଥିଲା। ସେଠାରେ ଥିବା ସ୍ୱତନ୍ତ୍ର ସିଂହାସନରେ ଆସୀନ ହୋଇ ଚାରି ଦିଅଁ ଆସନ୍ତା ୧୫ ତାରିଖ ବାହୁଡାଯାତ୍ରା ପର୍ଯ୍ୟନ୍ତ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ବୋଲି ଜଣାଯାଇଛି।

ସମଗ୍ର ଆୟୋଜନକୁ ସୁଚାରୁରୂପେ ସମ୍ପନ୍ନ କରିବାରେ ମନ୍ଦିର ପରିଚାଳନା କମିଟିର ସଂରକ୍ଷକ ବୃନ୍ଦ ଯଥା ସଭାପତି ପୁରନ୍ଦର ମିଶ୍ର, ସଦସ୍ୟ ମନ୍ମଥ କୁମାର ରାଉତ, ସୁବ୍ରତ ସାହୁ, ସୁବାସ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ, ଦ୍ଵାରିକାଧୀଶ ମିଶ୍ର,ଗୁଣନିଧି ମିଶ୍ର ଓ ପ୍ରକାଶ ଦାସ ପ୍ରମୁଖଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

 

Comments are closed.