Latest Odisha News

BREAKING NEWS

ଆଜ୍ଞାମାଳ ପାଇବା ପରେ ରଥଖଳାରେ ସମ୍ପନ୍ନ ହେଲା ଚକଡେ଼ରା ନୀତି

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ପାରମ୍ପରିକ ଭାବେ ପାଳିତ ହେଉଛି ଭଉଁରୀ ନୀତି । ଆଜିର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ରଥଖଳାକୁ ଆସିବା ପରେ ତିନିରଥର ଚକ ପୂଜା କରାଯାଇ ବିଜେ କରାଯାଇଥାଏ । ଲକ୍ଡ଼ାଉନର ସମସ୍ତ କଟକଣାକୁ ପାଳନ କରାଯାଇ ଏହି ଭଉଁରୀ ନୀତି ପାଳନ କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ, ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ, ପ୍ରଥମେ ସେବାୟତମାନଙ୍କ ଦ୍ୱାରା ରଥଖଳାକୁ ଆଜ୍ଞାମାଳ ଆସିବା ପରେ ତିନିରଥର ଚକଡେ଼ରା ନୀତି ଅନୁକୂଳ ହୋଇଛି । ତିନିଜଣ ପୂଜାପଣ୍ଡା ସାମନ୍ତ ପତିମହାପାତ୍ର ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ରଥଖଳାକୁ ଆଣିଥିଲେ । ତିନି ରଥର ଅଖରେ ସଂଯୁକ୍ତ ହୋଇଥିବା ଚକରେ ଆଜ୍ଞାମାଳ ବିଜେ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା ।

ପବିତ୍ର ଅକ୍ଷୟ ତୃତୀୟା ଠାରୁ ଶ୍ରୀଜୀଉଙ୍କ ୨୧ ଦିନ ଧରି ଚାଲିଥିବା ବାହାର ଚନ୍ଦନ ଯାତ୍ରାର ବିଂଶତମ ଦିନକୁ ଭଉଁରୀ ଯାତ୍ରା ଭାବେ ପାଳନ କରାଯାଇଥିlଏ । ରଥ ସଂହିତା ଅନୁଯାୟୀ ଭଉଁରୀ ପରମ୍ପରା ଅନୁଯାୟୀ ତିନି ରଥର ଦୁଇଟି ଲେଖାଏଁ ଚକରେ ଅଖ ସଂଯୋଗ କରାଯାଇଥାଏ ।

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ସକାଳଧୂପ ନୀତି ସମ୍ପନ୍ନ ହେବା ଉତାରେ ତିନିଜଣ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗିଥିବା ଆଜ୍ଞାମାଳ ଆଣି ଘଣ୍ଟ ,ଛତା , କାହାଳୀ ସହ ରଥଖଳାରେ ପହଞ୍ଚିଥିଲେ। ପରେ ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ଉପସ୍ଥିତିରେ ତିନି ରଥର ଚକରେ ଅଖ ସଂଯୋଗ କାର୍ଯ୍ୟ ସମ୍ପର୍ନ୍ନ କରିଥିଲେ ଭୋଇ ସେବକ। ପୂଜାପଣ୍ଡା ମାନେ ଚକ ଅଖ ସଂଯୋଗ ପରେ ଆଜ୍ଞାମାଳ ନେଇ ମୁଖ୍ୟ ବିଶ୍ୱକର୍ମା ମାନଙ୍କୁ ପ୍ରଦାନ କରିଥିଲେ।ରଥର ଚକ ଅଖ ସଂଯୋଗ କରିବା ସମୟରେ ଭୋଇ ସେବାୟତ ମାନେ ପ୍ରଥମ ହରିବୋଲ ପକାଇଛନ୍ତି।

ଲକ୍ ଡାଉନ୍ ଯୋଗୁଁ ରଥନିର୍ମାଣ ୧୧ ଦିନ ବିଳମ୍ବ ହୋଇଥିଲା। ବିଳମ୍ବ ଯୋଗୁଁ ରଥନିର୍ମାଣ କାର୍ଯ୍ୟ ତିଥି ଅନୁଯାୟୀ ସମ୍ପର୍ନ୍ନ ହେବାନେଇ ଆଶଙ୍କା ପ୍ରକାଶ ପାଇଥିଲା। ତେବେ ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ, କମାର,ଓ ଅନ୍ୟ ସେବାୟତ ମାନଙ୍କ ଉତ୍ସାହ ଓ ନିଷ୍ଠା ଯୋଗୁଁ ନିର୍ମାଣ କାର୍ଯ୍ୟ ସଠିକ ସମୟରେ ଶେଷ ହୋଇପାରିଛି। ଆଜି ଭଉଁରୀ ଯାତ୍ରା ମଧ୍ୟ ଶ୍ରୀମନ୍ଦିର ପରିସରରେ ବିଧି ଅନୁଯାୟୀ ପାଳନ କରାଯାଇଛି।

ଆଜି ରଥଖଳାରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ତାଳଧ୍ୱଜ, ନନ୍ଦିଘୋଷ ଏବଂ ଦର୍ପଦଳନ ରଥରେ ଆଜ୍ଞାମାଳ ବିଜେ ହୋଇ ଭଉଁରୀ ନୀତି ପାଳିତ ହୋଇଛି ।

Leave A Reply

Your email address will not be published.