Latest Odisha News

ଜୋର୍‌ଦାର୍ ଚାଲିଛି ତିନିରଥ ରଙ୍ଗ, ସିଲେଇ କାମ; ଲାଗିବ ଓଲଟ ଶୁଆ, କଳସ

ପୁରୀ: ଜୁନ୍ ୨୩ରେ ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ ଏକପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ ।

ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡ ରଥଖଳାରେ ରଥର ପୋଟଳ ପଡି ପାରାଭାଡି ଉଠିଥିବାବେଳେ ଏବେ କେବଳ କଳସ ଓ ଓଲଟ ଶୁଆ ଲଗାଯିବ । ଏହାର ରଙ୍ଗକାମ ଦ୍ରୁତି ଗତିରେ ଚାଲିଛି । ରଙ୍ଗ ସରିଲାପରେ ରଥରେ ତାହା ଖଞ୍ଜାଯିବ । ସେହିଭଳି ଗତକାଲି ତିନି ରଥର ୨ଟି ଲେଖାଁଏ ଦୁଆର ଘଡା ପ୍ରସ୍ତୁତ ସହ ରଙ୍ଗ ପାଇଁ ରଥଖଳାକୁ ଆସିଥିବାବେଳେ ସେଥିରେ ପ୍ରାଇମର ଲଗାଯାଇଛି ।

ଅଧିକ ପଢନ୍ତୁ: ଜାଣନ୍ତୁ, ମହାପ୍ରଭୁଙ୍କ ରୋଷଘରର ଆଶ୍ଚର୍ଯ୍ୟଜନକ କଥା !

ଆଜି ତିନି ରଥର ଆଶାବାଡି ଖୁଣ୍ଟିଆ କାର୍ଯ୍ୟ ଚାଲିଛି । ପ୍ରତି ରଥରେ ଦୁଇଟି ଲେଖାଁ ଆଶାବାଡି ଖୁଣ୍ଟିଆ ଆବଶ୍ୟକ ହୋଇଥାଏ ଓ ରଥରେ ଘୋଡା ଖଞ୍ଜାଯିବାବେଳେ ଏହା ବ୍ୟବହାର ହୋଇଥାଏ । ତିନିରଥରେ ଖଞ୍ଜା ଯାଇଥିବା ପଟ୍ଟାଗୁଜରେ ରୂପକାର ସେବକମାନେ ସିଂହବରାଳ, ଗଜବରାଳ, ଗଜସିଂହ ଖୋଦେଇ କାମ ସହ ରଥଚକା ଦଣ୍ଡା ଇତ୍ୟାଦିର ରଙ୍ଗକାମ କରୁଛନ୍ତି ।

ଅଧିକ ପଢନ୍ତୁ: ଅଣସର ପିଣ୍ଡିରେ ମହାପ୍ରଭୁ; ଜ୍ୱର ଉପଶମ ଲାଗି ହୁଏ ଉପଚାର !

ଶ୍ରୀମନ୍ଦିର ନୂତନା କାର୍ଯ୍ୟାଳୟ ତଳେ ଚିତ୍ରକର ସେବକମାନେ ରଥା ବାଶ୍ୱର୍ ଦେବାପାଦୀ, କଳସ ଇତ୍ୟାଦିର ରଙ୍ଗକାମ ଜାରି ରଖିଛନ୍ତି ।

ଦରଜି ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟର ଉପର ମହଲାରେ ରଥକନାରେ ଜରିଫିତା ସିଲାଇ ରଥ ଘେର ସିଲାଇ କାମ ଆରମ୍ଭ କରିଛନ୍ତି । ଦୋଳବେଦୀ ଅସ୍ଥାୟୀ ଶାଳରେ ଓଝା ସେବକମାନେ ଏଲ୍‍ କ୍ଲାମ୍ପ, ଧୂଳିଦଣ୍ଡା, ବିଡିଆ କଣ୍ଟା ପ୍ରସ୍ତୁତରେ ଲାଗିବା ସହ ରଥଦଣ୍ଡାରେ ଖଞ୍ଜା ଯାଇଥିବା କୋଣ ଗୁଜ ଗୁଡିକରେ ଧୂଳିଦଣ୍ଡା କଣ୍ଟା ବାଡେଇଛନ୍ତି ।

ଆଜି ଶ୍ରୀମନ୍ଦିର ନୀଳାଦ୍ରୀ ଉକ୍ତ ନିବାସ ଠାରେ କରୋନା ସଚେତନତା ସ୍ୱାସ୍ଥ୍ୟ ଶିବିରର ଥିଲା ଚତୁର୍ଥ ଦିନ । ଆଜି ପୂଜାପଣ୍ଡା ନିଯୋଗ ଏବଂ ତାଙ୍କ ପରିବାର ସଦସ୍ୟମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ସହିତ ଔଷଧ ବିତରଣ କରାଯାଇଥିଲା । ମୋଟ୍‍ ୧୬୧ ଜଣ ସଦସ୍ୟଙ୍କୁ ହୋମିଓପାଥିକ ଔଷଧ ପ୍ରଦାନ କରାଯାଇଥିଲା । ଶ୍ରୀମନ୍ଦିର କାର୍ଯ୍ୟାଳୟର କର୍ମଚାରୀ, ଅନ୍ୟାନ୍ୟ ସେବକଙ୍କୁ ମିଶାଇ ଆଜି ମୋଟ୍‍ ୨୫୩ ଜଣଙ୍କୁ ଔଷଧ ବଣ୍ଟା ଯାଇଛି ।

ଆସନ୍ତା କାଲି ଶେଷ ଦିନରେ ଗରାବଡୁ ନିଯୋଗ ଏବଂ ତାଙ୍କ ପରିବାର ସଦସ୍ୟ ସହିତ ହୋମିଓପାଥି ଔଷଧ ସଂଗ୍ରହ କରିନଥିବା ଅନ୍ୟ ସେବାୟତଙ୍କୁ ମଧ୍ୟ ଏହା ପ୍ରଦାନ କରାଯିବ ।

Leave A Reply

Your email address will not be published.