ପୁରୀ: ଆଜି ପବିତ୍ର ବସନ୍ତ ପଞ୍ଚମୀ। ଶ୍ରୀପଞ୍ଚମୀ ତଥା ମା’ ସରସ୍ୱତୀ ପୂଜାରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ପରମ୍ପରା କ୍ରମେ ରଥକାଠ ଅନୁକୂଳ ହେବ। ମାଘ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ରଥଖଳାରେ ପହଞ୍ଚିଲା କାଠ। ଶ୍ରୀଗୁଣ୍ଡିଚା ଯାତ୍ରାର ପ୍ରଥମ ପର୍ବ ହିସାବରେ ଆଜି ଅନୁକୂଳ ହେବ ରଥକାଠ।
ଦଶପଲ୍ଲା ବନାଞ୍ଚଳରୁ ମୋଟ ୮୩ ଖଣ୍ଡ କାଠ ରଥଖଳାରେ ପହଞ୍ଚିଛି। ଏହା ମଧ୍ୟରେ ୪୦ ଖଣ୍ଡ ଅସନ ଓ ୪୩ଟି ଧଉରା କାଠ ରହିଛି। ରଥନିର୍ମାଣ ପାଇଁ ଆବଶ୍ୟକ ୮୬୫ ଖଣ୍ଡ କାଠ ପର୍ଯ୍ୟାୟ କ୍ରମେ ପହଞ୍ଚିବ। ରଥ ନିର୍ମାଣ ପ୍ରକ୍ରିୟାର ଏହା ଏକ ବିଶେଷ ପର୍ବ । ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖସ୍ଥ ବଡ଼ଦାଣ୍ଡ ରଥଖଳାରେ ୩ ଖଣ୍ଡ ଧଉରା କାଠ ପୂଜାର୍ଚ୍ଚନା ହେବ ।
ପ୍ରଥମେ ଚୁନପାଣି ପକାଇ ରଥଖଳାକୁ ପବିତ୍ର କରାଯିବ । ପରେ କାଠ ୩ଟିର ମାଜଣା ହେବ । ଗଜପତି ମହାରାଜାଙ୍କ ରାଜଗୁରୁ ଓ ପୁରୋହିତ ବିଧିମତେ କାଠ ତ୍ରୟର ପୂଜାର୍ଚ୍ଚନା କରିବେ । ଏଥିରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ପାଇଁ ଗୁଜ ଅନୁକୂଳ ହେବ । ପବିତ୍ର ଶ୍ରୀପଞ୍ଚମୀଠାରୁ ରଥ ନିର୍ମାଣ ପାଇଁ ପ୍ରସ୍ତୁତି ଜୋର୍ଦାର ହୁଏ । ରଥ ନିର୍ମାଣ ପର୍ଯ୍ୟାୟକ୍ରମେ ଆସନ୍ତା ରାମନବମୀରେ ରଥ କାଠ ଚିରଟ ଓ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ରଥ ନିର୍ମାଣ ଅନୁକୂଳ ହେବ ।