Latest Odisha News

କାନବେରାରେ ରଥଯାତ୍ରା

ଭୁବନେଶ୍ୱର : ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ଶ୍ରୀ ଜଗନ୍ନାଥଙ୍କର ଚତୁର୍ଦ୍ଦଶତମ ପବିତ୍ର ରଥଯାତ୍ରା ପର୍ବ ଭକ୍ତିପୂତ ବାତାବରଣ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ କରାଯାଇଛି।

ଏହି ମହୋତ୍ସବ ଉପଲକ୍ଷେ ଚତୁର୍ଦ୍ଧା ମୂର୍ତ୍ତି ବିରାଜମାନ କରୁଥିବା ହିନ୍ଦୁ ମନ୍ଦିର ଓ ସଂସ୍କୃତିକ କେନ୍ଦ୍ରକୁ ଖୁବ ସୁନ୍ଦର ଢଙ୍ଗରେ ସଜ୍ଜାଯାଇଥିବା ଦେଖା ଯାଇଥିଲା। ପହଣ୍ଡି ସମୟରେ ମହିଳାମାନେ ହାତରେ ନଚାଇ ନଚାଇ ଦେବୀ ସୁଭଦ୍ରାଙ୍କୁ ରଥ ଉପରକୁ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା।ହିନ୍ଦୁ ସମ୍ପ୍ରଦାୟର ବରିଷ୍ଠ ନେତା କାନ୍ତି ଜିନ୍ନା, ପ୍ରକାଶ ମେହେଟ୍ଟା ଓ ବାସୁ ବାଙ୍କା ପାରମ୍ପାରିକ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ।

ଅଷ୍ଟ୍ରେଲିଆନ କ୍ୟାପିଟାଲ ଟେରୀଟୋରି (ଏ ସି ଟି) କାନବେରାରର ମୁଖ୍ୟମନ୍ତ୍ରୀଙ୍କର ପ୍ରତିନିଧି ବହୁବିଧ ସାଂସ୍କୃତିକ ମନ୍ତ୍ରୀ ମାଇକେଲ ପେଟରସନ, ଚାନ୍ସେରୀର ମୁଖ୍ୟ ଯୋଗେନ୍ଦ୍ର ସିଂହ, ଏସିଟି ବିଧାନସଭାରେ ବିରୋଧୀ ଦଳର ନେତା ଏଲିଯାବେଥ ଲୀ, ଏସିଟି ବିଧାନସଭାର ସଦସ୍ୟବୃନ୍ଦ ଜୋ କ୍ଲେ, ଆଣ୍ଡ୍ରିୟୁ ବ୍ରାଡୋକ ଏବଂ କାନବେରା ସ୍ଥିତ ଓଡ଼ିଆ ସମ୍ପ୍ରଦାୟର ମୁଖ୍ୟ ରୋଜାଲୀନ ରାଉତ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

ଚଳିତ ବର୍ଷର ଘୋଷଯାତ୍ରାରେ କାନବେରାର ଅଧିବାସୀଙ୍କ ସମେତ ସୁଦୂର ସିଡ଼ିନୀ, ମେଲବର୍ଣ୍ଣ, ବ୍ରିଶବ୍ରେନ, ରୁରାଲ ନିଉ ସାଉଥ ୱେଲ ଏବଂ ଅଷ୍ଟ୍ରେଲିଆର ଅନ୍ୟାନ୍ୟ ଇଲାକାରୁ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ମାନେ, ସେମାନଙ୍କର ପରିବାର ବର୍ଗ ଓ ପରିଜନ ସହିତ ଆସି ସାମିଲ ହୋଇଥିବାର ଦେଖା ଯାଇଥିଲା। ଏହି ଅବସରରେ ଅନୁଷ୍ଠିତ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ମଧ୍ୟରେ ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା ପ୍ରସ୍ତୁତ ସୁମଧୁର ଭଜନ ଗାୟନ, ଦେଵଶ୍ରୀ ଦାସ ଙ୍କର ନେତୃତ୍ବରେ ନୃତ୍ୟଶ୍ରୀ ନୃତ୍ୟ ଏକାଡେମୀର କଳାକାର ଏବଂ ଅରୁଣ ନାୟକ ଓ ଗ୍ରୁପଙ୍କ ଦ୍ଵାରା ପରିବେଷିତ ହୃଦୟ ସ୍ପର୍ଶୀ ଓଡିଶୀ ନୃତ୍ୟ ସାମିଲ ଥିଲା।

ଏହି ଯାତ୍ରାକୁ ସଫଳ ଭାବରେ ସମ୍ପନ୍ନ କରିବାରେ ହିନ୍ଦୁ ମନ୍ଦିର ଓ ସାଂସ୍କୃତିକ କେନ୍ଦ୍ରର ସଭାପତି ଲାଖନ ଶର୍ମା , ଉପସଭାପତି ତରୁଣ ଅଗସ୍ତି, ପବ୍ଲିକ ଅଫିସର ସନ୍ତୋଷ ଗୁପ୍ତା, ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ମନୋଜ ନାୟକ, ପୂର୍ଵତନ ସଭାପତି ଡ଼ଃ ନଳିନୀ ପତି ଏବଂ ସୁଜୀତ ଜେନା , ଅଷ୍ଟ୍ରେଲିଆର ହିନ୍ଦୁ ପରିଷଦର ଏସିଟି ଅଧ୍ୟାୟର ସଭାପତି ଶାନ୍ତି ରେଡ୍ଡୀ ଏବଂ ଅଷ୍ଟ୍ରେଲିଆ ହିନ୍ଦୁ ପରିଷଦ ର ପୂର୍ବତନ ସଭାପତି ପ୍ରକାଶ ମେହେଟ୍ଟା ଙ୍କର ଭୂମିକା ଉଲ୍ଲେଖଯୋଗ୍ୟ ଥିଲା।

 

Comments are closed.