ଦିବ୍ୟ ଅନୁଭୂତି
ପରମବ୍ରହ୍ମଙ୍କ ଅପାର ଲୀଳା ।ଅଲୌକିକ,ଅବର୍ଣ୍ଣନୀୟ ତାଙ୍କ ଭିଆଣ । କାହାକୁ ଓଦା ସରସର ପ୍ରଶାନ୍ତିରେ ଭିଜେଇ ଦିଅନ୍ତି ତ କାହାକୁ ପରୀକ୍ଷା କରାଇ କରାଇ ହାଲିଆ କରିଦିଅନ୍ତି । ମୋର ଠିକ୍ ମନେ ଅଛି , ଶ୍ରୀ କ୍ଷେତ୍ର ଆସିବାର ସୁଯୋଗ ଟିଏ ସୃଷ୍ଟି ହୋଇଥିଲା ୨୦୦୮ମସିହାରେ । ମୁଁ ବୃତ୍ତିରେ ଜଣେ ପ୍ରାଥମିକ ଶିକ୍ଷକ । ଘର ,ଆଦିବାସୀ ଅଧ୍ୟୁଷିତ ସୀମାନ୍ତ ଓଡିଶା ମାଲକାନଗିରି ଜିଲ୍ଲାର କୁଡୁମୁଲୁଗୁମ୍ମା ଗ୍ରାମରେ । ସେତେବେଳେ ସ୍କାଉଟ୍ ଓ ଗାଇଡ୍ର କବ୍ ମାଷ୍ଟର ତାଲିମ ନେବାପାଇଁ ଆମେ କୁଡୁମୁଲୁଗୁମ୍ମା ବ୍ଳକରୁ ଦୁଇ ଜଣ ଶିକ୍ଷକ ନିର୍ବାଚିତ ହୋଇଥିଲୁ , ଭୁବନେଶ୍ୱର ଆସିବା ପାଇଁ ।।ମୋର ଅନୁଜ ପ୍ରତିମ ଦୁର୍ଯ୍ୟୋଧନ ସେଠୀ ,ଶିକ୍ଷକ ଓ ମୁଁ ଦୁଇ ଜଣ ଆସି ଜଏନ୍ କଲୁ ,ସ୍କାଉଟ୍ ଓ ଗାଇଡ୍ର ରାଜ୍ୟ କାର୍ଯ୍ୟାଳୟ, ୟୁନିଟ୍ ୩ ଭୁବନେଶ୍ୱରରେ । କ୍ୟାପିଟାଲ୍ ହାଇସ୍କୁଲର ପଡୋଶୀରେ ରାଜ୍ୟ ସ୍କାଉଟ୍ ଓ ଗାଇଡ୍ର ରାଜ୍ୟ କାର୍ଯ୍ୟାଳୟ । ସବୁଦିନ ରାତି ଚାରିଟାରୁ ଉଠି ବ୍ୟାୟାମ କରିବା , କଲିକତାରୁ ଆସିଥିବା ପ୍ରଶିକ୍ଷକଙ୍କ କଡ଼ା ବ୍ୟବହାରରେ ମୁଁ ପୁରା ଅତିଷ୍ଠ ହୋଇ ଯାଇଥାଏ ।
ସତ କହିବାକୁ ଗଲେ , ମୁଁ ଟିକିଏ ସାହିତ୍ୟ ପ୍ରେମୀ ଓ ଅଳସୁଆ ସ୍ୱଭାବ ହେତୁ ଏ ବ୍ୟାୟମ ଖେଳକୁଦ ମୋତେ ପସନ୍ଦ ଲାଗେନି । ସରକାରୀ ଚାକିରି କରିଛି ବୋଲି ବାଧ୍ୟତାମୂଳକ ଭାବେ ସେତେବେଳେର ସ୍କୁଲ୍ ପରିଦର୍ଶକ ମଲ୍ଲିକ ସାରଙ୍କ କଥା ଟାଳି ନ ପାରି ଭୂବନେଶ୍ବର ଆସିବାକୁ ହଁ କରିଦେଲି । ସାନ ଭାଇ ଦୁର୍ଯ୍ୟୋଧନ ବି କହିଲେ “ଚିନ୍ତା କରନ ଭାଇନା ,ମୁଁ ଅଛି “। ତାଲିମର ଦୁଇଦିନ ପରେ ରଥଯାତ୍ରା ଆସିଲା। ରାଜ୍ୟ ସ୍କାଉଟ୍ ଓ ଗାଇଡ୍ର ସମ୍ମାନୀୟ ନିର୍ଦ୍ଦେଶକ କାଳି ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆମ ପ୍ରଶିକ୍ଷକ, କାର୍ଯ୍ୟାଳୟର କିଛି କର୍ମକର୍ତ୍ତା ଓ ତିରିଶଟି ଜିଲ୍ଲାରୁ ତାଲିମ ଗ୍ରହଣ ନିମନ୍ତେ ଆସିଥିବା ଶିକ୍ଷକ/ଶିକ୍ଷୟତ୍ରୀ ମାନଙ୍କୁ ସମୁଦାୟ ଦଶଟି ଦଳରେ ବିଭକ୍ତ କରି ଗାଡିରେ ପୁରୀ ନିଆଗଲା । ଆମକୁ ସେବା ଦଳ ଭାବେ ଆଂଶିକ ତାଲିମ ଦେଇ ରଥଯାତ୍ରାରେ ସେବାକାର୍ଯ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଗଲା ।
ମୁଁ ଓ ମୋର ଦଶଜଣ ଦଳପତିଙ୍କ ସହ ପିଠି ପଛପଟେ ଜଳ ସିଞ୍ଚନ ଯନ୍ତ୍ର ଧରି ପାଣି ସ୍ପ୍ରେ କରିଚାଲିଲୁ । ତିନି ରଥକୁ ସୁରକ୍ଷା କର୍ମୀମାନେ କଡନ୍ କରି ରଖିଥାନ୍ତି । ମୁଁ ଖାଲି ସିଂହଦ୍ୱାର ପାଖରେ ଅପେକ୍ଷା କରିଥାଏ, କେତେବେଳେ ଠାକୁରଙ୍କ ପହଣ୍ଡି ହେବ ଓ ମୁଁ ପାଖରୁ ଚଚତୁର୍ଦ୍ଧା ମୁରତିଙ୍କୁ ଦର୍ଶନ କରି ପାରିବି । ତା ପୂର୍ବରୁ, ଥରେ କିନ୍ତୁ ପୁରୀ ଆସିଥିଲି ବାପା ମାଁଙ୍କ ସହ ଓ ରତ୍ନବେଦୀରେ ଠାକୁରଙ୍କୁ ଦର୍ଶନ କରିଥିଲି ।
ସେଦିନ, ଆମେ ସମସ୍ତେ ସ୍କାଉଟ୍ ଓ ଗାଇଡ୍ର ପୋଷାକରେ ଥାଇ ରଥଯାତ୍ରାରେ ସେବକ ଭାବେ ନିୟୋଜନ ହୋଇଥିଲୁ । ହଠାତ୍ ଘଣ୍ଟ ନାଦରେରେ ସେ ଅଞ୍ଚଳ ପ୍ରକମ୍ବିତ ହୋଇଉଠିଲା । ଦଇତାପତି ସେବକମାନଙ୍କ କାନ୍ଧରେ ଚକ୍ରରାଜ ସୁଦର୍ଶନ ବିଜେକଲେ । ତାପରେ ଟାହିଆକୁ ହଲାଇ ହଲାଇ ବଡଭାଇ ବଳଭଦ୍ର ହଳାୟୁଧ ବିଜେ କଲେ । ତାପରେ ମା ସୁଭଦ୍ରା ଓ ଶେଷରେ ଢଳି ଢଳି ଝୁଲି ଝୁଲି କାଳିଆ ସାଆନ୍ତ କୋଟି କୈବଲ୍ୟନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିରେ ବିଜେ କଲେ । ଚକା ଚକା ଆଖି ମୋତେ ଅନାଇ ରହିଥାନ୍ତି । ମୋର ଦୁଇ ଆଖି ବି ଚକା ଆଖିକୁ ଅନାଇ ରହିଥାନ୍ତି ।।ଚର୍ମ ନେତ୍ର ଓ ଦିବ୍ୟ ନେତ୍ରର ଅପୂର୍ବ ମିଳନ ଘଟିଲା । ମୋର ଆଖିରୁ ଅନବରତ ଲୁହର ଧାର ବୋହି ଚାଲୁଥାଏ । ମୁଁ ବୁଝି ପାରିଲି ନାହିଁ, ମୁଁ କାନ୍ଦୁଥିଲି କାହିଁକି ! ଜଣେ ସେବାୟତ ମୋତେ ପ୍ରକୃତିସ୍ଥ କରି କହିଲେ “କଣ ,ରଥ କୁ ନୂଆରେ ଆଇଚ ? ତୁଳସୀ ଟିକେ ପାଟିରେ ଦିଅ ,ଦଶ ଟଙ୍କାଟେ ଦିଅ ।।ମୁଁ ତଥାପି ଅନାଇ ରହିଥାଏ ,ସେ ଝୁଲନ୍ତା ଆଖି ଦୁଇଟା ର ସୂର୍ଯ୍ୟ ଓ ଚନ୍ଦ୍ର ରୂପ କୁ । ଆଖି ଦୁଇଟି ଯେମିତି, ମୋତେ ସମ୍ମୋହନ କରି କହୁଥିଲେ ” ସର୍ବ ଧର୍ମଂ ପରିତେଜ୍ୟ ,ଶରଣଂ ମାମେକଂ ବ୍ରଜ ।”
ଜୟ ଜଗନ୍ନାଥ
କୁଡୁମୁଲୁଗୁମ୍ମା ମାଲକାନଗିରି
୯୬୬୮୬୮୮୪୭୪
Comments are closed.