Latest Odisha News

BREAKING NEWS

ବଜାରରେ ଉପଲବ୍ଧ ଔଷଧକୁ ଯୁକ୍ତିଯୁକ୍ତ ଭାବେ ବ୍ୟବହାର କରିବା ଉଚିତ

ଭୁବନେଶ୍ୱର: ବିଗତ କେତେ ବର୍ଷ ଧରି ନୂତନ ପ୍ରକାର ଔଷଧର ଉଦ୍ଭାବନ ହେଉ ନଥିବା ବେଳେ ଉପଲବ୍ଧ ଔଷଧଗୁଡ଼ିକୁ ସାବଧାନତାର ସହ ଏବଂ ଯୁକ୍ତିଯୁକ୍ତ ଭାବେ ରୋଗୀମାନଙ୍କ ଚିକିତ୍ସା ପାଇଁ ପ୍ରୟୋଗ କରାଯିବା ଉଚିତ୍ ବୋଲି କହିଛନ୍ତି ବିଶିଷ୍ଟ ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ।

ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍ ପକ୍ଷରୁ “ଔଷଧର ପୁନ ଉପଯୋଗୀକରଣ : ଆହ୍ୱାନ ଏବଂ ସୁଯୋଗ” ଶୀର୍ଷକ ଦୁଇଦିନିଆ କର୍ମଶାଳାରେ ଯୋଗ ଦେଇ ସୋଆର ନିର୍ଦ୍ଦେଶକ (ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ) ପ୍ରଫେସର ମହାପାତ୍ର କହିଥିଲେ ଯେ ନୂତନ ଔଷଧ ପ୍ରସ୍ତୁତ କରିବା କଷ୍ଟକର ଏବଂ ଆମେ ଉପଲବ୍ଧ ଔଷଧକୁ ଅଯଥାରେ ବ୍ୟବହାର କରିବା ମଧ୍ୟ ଅନୁଚିତ ।

ରୋଗର ଜୀବାଣୁ ନଷ୍ଟ କରିବା ନେଇ ପ୍ରସ୍ତୁତ ହେଉଥିବା ଔଷଧ ଅର୍ଥାତ୍ ଆଂଟିବାୟୋଟିକ ପଲିସି ଉପରେ ଜୋର ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ ସମୟ ଅନୁସାରେ ଏହିସବୁ ଔଷଧ ଗୁଡ଼ିକରେ ପରିବର୍ତନ ହେବାର ଆବଶ୍ୟକତା ରହିଛି । ପ୍ରଫେସର ମହାପାତ୍ର କହିଥିଲେ ଯେ ଦେଶରେ ୧୨ ଲକ୍ଷ ଲୋକ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଏବଂ ଏଥିରୁ ୧୦ ପ୍ରତିଶତ ଲୋକ ଔଷଧ ପ୍ରତିରୋଧ ଯୋଗୁଁ ମୃତ୍ୟୁ ବରଣ କରୁଛନ୍ତି । ତେବେ ଗବେଷକମାନେ ଏହି ସମସ୍ୟାର ସମାଧାନ ପାଇଁ ନୂତନ ଔଷଧ ଆବିଷ୍କାର କରିବାର ଆବଶ୍ୟକତା ରହିଛି । ତେବେ ଗବେଷଣା ଯଦି କେବଳ ଅଧିକ ପାଟେଂଟ ନିମନ୍ତେ ଏବଂ ପ୍ରଚାର ସର୍ବସ୍ୱ ରହିବ ତେବେ ଏହା ଆମ ସମାଜକୁ କେବେ ବି ସାହାଯ୍ୟ କରିପାରିବ ନାହିଁ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଏସ୍ପିଏସ୍ ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି କହିଥିଲେ ଯେ ନୂତନ ଔଷଧ ଆବିଷ୍କାର କରିବାରେ ସମସ୍ୟା ଉପୁଜୁଥିବା ବେଳେ ଚିକିତ୍ସାର ଅନ୍ୟ ଦିଗ ପ୍ରତି ଜୋର ଦେବାର ଆବଶ୍ୟକତା ରହିଛି ।

ଔଷଧର ପୁନ ଉପଯୋଗୀକରଣର ଆବଶ୍ୟକତା ରହିଥିବାବେଳେ ପଲିଫାର୍ମାକୋଲୋଜି ଓ ହର୍ବାଲ୍ ଟେକ୍ନୋଲୋଜି ନୂତନ ସୁଯୋଗ ସୃଷ୍ଟି କରିଛି ବୋଲି ପ୍ରଫେସର ସି କହିଛନ୍ତି । ଏହି କର୍ମଶାଳାରେ ନ୍ୟାସ୍ନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ, ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇଜର), ଭୁବନେଶ୍ୱର ର ମଲିକ୍ୟୁଲାର ଜେନେଟିକ୍ସ ଆଣ୍ଡ ଇପିଜେନେଟିକ୍ସ ଲାବାରେଟୋରୀ ବିଭାଗର ଆସୋସିଏଟ୍ ପ୍ରଫେସର ଡଃ ଦେବସ୍ମିତା ପି. ଆଲୋନ୍, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍, ଭୁବନେଶ୍ୱରର ବୈଜ୍ଞାନିକ ଡଃ ଅଂଶୁମାନ ଦୀକ୍ଷିତ ଏବଂ ଏସ୍ପିଏସ୍ର ଡେପୁଟି ଡିନ୍ ପ୍ରଫେସର ପ୍ରତାପ କୁମାର ସାହୁ ବକ୍ତବ୍ୟ ରଖିଥିଲେ ।

Leave A Reply

Your email address will not be published.