ସରଭେଣ୍ଟ୍ ସଙ୍ଗ୍‍ : ଏ ତ କଳିକାଳ ରୀତି

ସରଭେଣ୍ଟ୍ ସଙ୍ଗ୍‍ : ଏ ତ କଳିକାଳ ରୀତି

ସୂର୍ଯ୍ୟ ଦେଓ

ପ୍ରତି ଗୀତ ପଛରେ ଲୁଚିକି ରହିଥାଏ ଗୋଟିଏ ଗପ । ଗୀତ ସାମ୍ନାକୁ ଆସେ, ଗପ ଅନ୍ତରାଳରେ ରହିଯାଏ । ଅଥଚ ସେହି ଅନ୍ତରାଳ ଗପ କେବେକେବେ ଗରତଠାରୁ ଅଧିକ ଆମୋଦକର, ଅଧିକ ଉନ୍ମାଦକର ମଧ୍ୟ । ଷାଠିଏ ଦଶକର ସିନେମା ‘ଅମଡ଼ବାଟ’ର ‘ଏ ତ କଳିକାଳ ରୀତି’ ଗୀତ ଯଥେଷ୍ଟ ଲୋକପ୍ରିୟ ହୋଇଥିଲା । ତେବେ ମଜାକଥା ହେଉଛି ଏହାର ମୂଳ ମୁଖୁଡ଼ା ଅପେକ୍ଷା ଅନ୍ତରାର ‘ବୀରବର ଠେଙ୍ଗାଧର’ ଶବ୍ଦ ଯୋଡ଼ି ହିଁ ଗୀତକୁ ଚିହ୍ନାଉଥିଲା । ଏହି ଗୀତର ଆଉ ଏକ ଚିହ୍ନା ଥିଲା । ତାହା ହେଉଛି ସରଭେଂଟ୍ ସଙ୍ଗ ବା ଚାକର ଗୀତ । ଏହି ଚିହ୍ନାକୁ ବାରମ୍ବାର କହି କହି ଅକ୍ଷୟ ମହାନ୍ତି ଆହୁରି ଚିହ୍ନାଇଲେ । ବିଭିନ୍ନ ପତ୍ରପତ୍ରିିକା ସାକ୍ଷାତକାରରେ କହିଲେ, ରେଡିଓରେ କହିଲେ, ଏପରିକି ନିଜ ଆତ୍ମଜୀବନୀମୂଳକ ଉପନ୍ୟାସରେ ବି ସାଙ୍କେତିକତାର ପୁଟଦେଇ ଏ କଥାକୁ ଲେଖିଲେ । ଏଠାରେ ସ୍ଥାନିତ ହେଉଛି ସରଭେଂଟ୍ ସଙ୍ଗ ବା ସଙ୍ଗ ନମ୍ବର ସିକ୍ସର ଅନ୍ତରାଳର ଗପ ଯାହା ଅକ୍ଷୟ ମହାନ୍ତି ଏକଦା କହିଥିଲେ ।

ଗୀତ: ଏ ତ କଳିକାଳ ରୀତି
ସିନେମା: ଅମଡ଼ାବାଟ (୧୯୬୪)
ପ୍ରଯୋଜନା: ଛାୟାବାଣୀ ପ୍ରତିଷ୍ଠାନ
ଗାୟକ: ଅକ୍ଷୟ ମହାନ୍ତି
ଗୀତିକାର: ନାରାୟଣ ପ୍ରସାଦ ସିଂହ
ସଂଗୀତକାର: ବାଳକୃଷ୍ଣ ଦାଶ

ଅକ୍ଷୟ ମହାନ୍ତି ଯାହା କହିଥିଲେ:

ଗୋପାଳ ଛୋଟରାୟ ଦିନେ ରେଡ଼ିଓ ଷ୍ଟେସନ୍ରେ ଦେଖାହେଲେ, କହିଲେ ‘ଅକ୍ଷୟ! “ଅମଡ଼ାବାଟ’ରେ ଗୋଟିଏ ଚାକର ଗୀତ ଅଛି, ତାକୁ ଗାଇବାକୁ କେହି ରାଜି ହେଉ ନାହାନ୍ତିି, ତମେ ଗାଇବ?’ ମୁଁ କହିଲି ‘ଗୀତ ତ ଗୀତ, ଗାଇବାରେ ଆପତ୍ତି କ’ଣ?’ ସଂଧ୍ୟାବେଳେ ବାଳକୃଷ୍ଣ ଦାଶଙ୍କ ଘରକୁ ଗୀତ ଶିଖିିବାକୁ ଗଲି । ସାର୍ କହିଲେ ‘ସେ ଗୀତ ସ୍ୱର କରିନି, ବସ! କରିଦେଉଛି ।’ ହାର୍ମୋନିୟମ୍ ଧରି ସେ ସ୍ୱର କଲେ । ପରଦିନ ମୋର ଓ ସିକନ୍ଦର ଆଲାମ୍ର ପ୍ରୋଗ୍ରାମ୍ ଥାଏ ବାରିପଦାରେ । ଆମେ ପ୍ରୋଗ୍ରାମ ସାରି କଲିକତା ଗଲୁ । ସେତେବେଳକୁ ମୁଁ ଚାକର ଗୀତର ସ୍ୱର ଭୁଲି ଯାଇଥାଏ । ବାଟରେ ଥଣ୍ଡା ପଡ଼ିବା ଯୋଗୁଁ ମୋତେ ଜର ହୋଇଗଲା । ପରଦିନ ରେକର୍ଡିର୍ଂ ପାଇଁ ଷ୍ଟୁଡ଼ିଓ ଗଲି । ଶହେ ଚାରି ଜର । ଦୁର୍ବଳ ଲାଗୁଥାଏ । ନିର୍ମଳା ମିଶ୍ରଙ୍କ ସୋଲୋ ଏବଂ ଆଲାମ୍ ଓ ଆରତିଙ୍କ ଡୁଏଟ୍ ରେକର୍ଡ ହେଲା । ତା’ପରେ ସଂଯୋଜକ ଭି ବାଲସରା ‘ଚାକର ଗୀତ’ର ସ୍ୱରଲିପି ନେଇ ଆସିଲେ । ଶହେ ଚାରି ଡିଗ୍ରୀ ଜର ଥାଇ ମୁଁ ଷ୍ଟୁଡିଓ ଭିତରକୁ ଗଲି । ମୋତେ କୁହାଗଲା, ଗୋଟିଏ ଥରରେ ଗୀତ ଗାଇବାକୁ ପଡ଼ିବ କାରଣ ଅଧ ଘଣ୍ଟାରୁ ଯଦି ଘଣ୍ଟାଏ ହୋଇଯାଏ ତେବେ ପ୍ରଡୁ୍ୟସର୍ଙ୍କୁ ଓଭର୍ ଟାଇମ୍ ଦେବାକୁ ପଡ଼ିବ । ମୁଁ ଶହେ ଚାରି ଜରରେ ଗୋଟିଏ ଥରରେ ‘ଅମଡ଼ାବାଟ’ର ସଙ୍ଗ୍ ନମ୍ବର ସିକ୍ସ ଯାହାକୁ ସମସ୍ତେ କହୁଥିଲେ ସର୍ଭେଣ୍ଟ ସଙ୍ଗ୍, ସେହି ଗୀତ ଗାଇଲି । । ମୋର ସୌଭାଗ୍ୟ, ‘ଅମଡ଼ା ବାଟ’ର ସର୍ଭେଣ୍ଟ ସଙ୍ଗ୍ ହିଁ ସବୁଠାରୁ ବେଶି ହିଟ୍ ହେଲା ଓ ମୁଁ ପପୁଲାର୍ ହେଲି ।

ଗୀତ: ଏ ତ କଳିକାଳ ରୀତି

ଏ’ତ କଳିକାଳ ରୀତି, ବିପରୀତ ଭାଇରେ
ଆଣୁ ରଣଚଣ୍ଡୀ ଘରେ
ହାତ ଧରି ବାହା ହୋଇରେ

ଶଶୁର ଶାଶୂର ସେବା
ସେ’ତ ହେଲା ପାପରେ
ଦେଖି ତୁ ବାବାଜୀ ସାଜି
ହରି ନାମ ଜପରେ
ନ ହେଲେ ତୁ ଠେଙ୍ଗା ଧର
ଆଉ ବାଟ ନାହିଁ ନାହିଁରେ
ଏ ତ କଳିକାଳ ରୀତି, ବିପରୀତ ଭାଇରେ

ନିଜ ସୁଖ ପାଇଁ ସେ ଯେ
ତୁଚ୍ଛା ମିଛ କଥାରେ
ହାତ ଦେଇପାରେ କହି
ଜଗନ୍ନାଥ ମଥାରେ
ବୁଲେ ପୁଣି ସଂ ସାଜି
ଛାଡ଼ି ଘର ସାଇ ସାଇରେ
ଏ ତ କଳିକାଳ ରୀତି, ବିପରୀତ ଭାଇରେ

ଏପରି ଘରଣୀ ଖଣ୍ଡେ
ଘରେ ଥିବ ଯାହାର
ତା’ ଲାଗି ଶାସନ ନୀତି
ଦିନରାତି ପାହାର
ବୀରବର ଠେଙ୍ଗା ଧର
ଆଉ ବାଟ ନାହିଁ ନାହିଁରେ
ଏ ତ କଳିକାଳ ରୀତି, ବିପରୀତ ଭାଇରେ

…………………
ସୂର୍ଯ୍ୟ ଦେଓ ଓଡ଼ିଆ ସିନେମା ଓ ସଂଗୀତର ଜଣେ ଯଶସ୍ୱୀ ଗବେଷକ ଓ ଲେଖକ

LEAVE A REPLY

Please enter your comment!
Please enter your name here