କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପୁଣି ଥରେ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି । ମଙ୍ଗଳବାର ଦିନ ଜଣେ ଦ୍ୱିତୀୟ ବର୍ଷର ଛାତ୍ର ତାଙ୍କ ସିନିୟରମାନଙ୍କ ନାଁରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇଥିବାର ଅଭିଯୋଗ ଆଣିଛନ୍ତି । ଏହି ଘଟଣାଟି ବିଶ୍ୱବିଦ୍ୟାଳୟର ଜଗନ୍ନାଥ ହଷ୍ଟେଲରେ ଘଟିଥିବା ବେଳେ ଏକ ଅନ୍ଲାଇନ୍ ମୋବାଇଲ୍ ଗେମ୍କୁ କେନ୍ଦ୍ର କରି ବିବାଦ ଉପୁଜିଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ, ଅନ୍ଲାଇନ୍ ଗେମ୍ ଖେଳିବା ସମୟରେ ତୃତୀୟ ବର୍ଷର ଛାତ୍ରମାନେ ଚିଟିଂ କରିଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ଦ୍ୱିତୀୟ ବର୍ଷର ଛାତ୍ର ଜଣକ ବିରୋଧ କରିବାରୁ ସିନିୟରମାନେ ଉତ୍କ୍ଷିପ୍ତ ହୋଇପଡିଥିଲେ। ପରେ, ସେମାନେ ଉକ୍ତ ଜୁନିୟର ଛାତ୍ରଙ୍କୁ ସେମାନଙ୍କ ହଷ୍ଟେଲ୍ ରୁମ୍ ପାଖକୁ ଡାକିଥିଲେ ଏବଂ ସେଠାରେ ତାଙ୍କୁ ମାନସିକ ତଥା ଶାରୀରିକ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗରେ ଦର୍ଶାଯାଇଛି । ତେବେ, ଏହି ନିର୍ଯାତନାର ସ୍ୱରୂପ ଓ ମାତ୍ରା କେତେ ଥିଲା, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ ।
ଏହି ଘଟଣା ପରେ, ପୀଡିତ ଛାତ୍ର ଜଣକ ନ୍ୟାୟ ଆଶାରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଆଣ୍ଟି-ରାଗିଂ ସେଲ୍ର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ ଦାୟର କରିଛନ୍ତି । ଏହା ସହିତ ସେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଏବଂ ଚିଫ୍ ୱାର୍ଡେନ୍ଙ୍କୁ ଇମେଲ୍ ମାଧ୍ୟମରେ ମଧ୍ୟ ଅବଗତ କରାଇଛନ୍ତି ଏବଂ ଘଟଣାରେ ହସ୍ତକ୍ଷେପ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି ।
ରେଭେନ୍ସା ଭଳି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ବାରମ୍ବାର ରାଗିଂ ଭଳି ଘଟଣା ଘଟିବା ଏବେ ଚିନ୍ତାର ବିଷୟ ପାଲଟିଛି । ବିଶେଷକରି, ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

