Latest Odisha News

BREAKING NEWS

ବିଜେଡି ଜନଜାଗରଣ ଅଭିଯାନ ପଛର କାରଣ କ’ଣ?

ଭୁବନେଶ୍ବର: ଅଗଷ୍ଟ ୧୬ରୁ ପ୍ରତି ପଞ୍ଚାୟତରେ ବିଜେଡି ଆରମ୍ଭ କରିବ ଜନଜାଗରଣ ଅଭିଯାନ । ଭତ୍ତାକୁ ନେଇ ବିଜେପିକୁ ସୋସିଆଲ୍ ମିଡିଆରେ ସିଧା ଆଟାକ୍ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ। ବିଜେପିର ପ୍ରତିଶ୍ରୁତି ପାଣିର ଗାର ହୋଇଛି। ଭତ୍ତାଧାରୀ ବୟସ୍କ ତଥା ରାଜ୍ୟବାସୀଙ୍କ ସହ ପ୍ରତାରଣା ହୋଇଛି, ଯାହା ଲୋକଙ୍କ ଭିତରେ ଜନଅସନ୍ତୋଷ ବଢାଇଛି । ତେଣୁ ପ୍ରତି ପଞ୍ଚାୟତରେ ୧୬ରୁ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ନବୀନ କହିଛନ୍ତି । ତେବେ ଜନଜାଗରଣ ଅଭିଯାନ ପଛର ପ୍ରକୃତ ବ୍ଲୁପ୍ରିଣ୍ଟ କଣ? କାହିଁକି ପଞ୍ଚାୟତସ୍ତରରୁ ଅଭିଯାନ କରିବାକୁ ଯାଉଛି ଦଳ?

ଗ୍ରାଉଣ୍ଡରେ ଗଡ଼ ରକ୍ଷା ଚିନ୍ତା

୨୪ବର୍ଷ ପରେ କ୍ଷମତାଚ୍ୟୁତ ହୋଇଛି ବିଜେଡି । ଶାସନରେ ଥିବା ଯାଏଁ ଗ୍ରାଉଣ୍ଡରେ ବି ସ୍ଥିତି ମଜଭୂତ ରହିଥିଲା । ହେଲେ ହାତରୁ କ୍ଷମତା ଯିବା ପରେ ତୃଣମୂଳସ୍ତରରେ ବି କର୍ମୀଙ୍କ ମନୋବଳ ଭାଙ୍ଗିଛି । ଫଳରେ ଦଳର ଦଖଲ ଧୀରେ ଧୀରେ ଭୁଶୁଡିବା ନେଇ ଆଶଙ୍କା ବଢିଛି । ବିଭିନ୍ନ ଜିଲ୍ଲାରେ କର୍ମୀ ତଥା ଗ୍ରାଉଣ୍ଡସ୍ତରର ନେତା ବି ଦଳ ଛାଡୁଥିବା ଦେଖିବାକୁ ମିଳୁଛି । ତେଣୁ ଜନଜାଗରଣ ଅଭିଯାନ ମାଧ୍ୟମରେ ପ୍ରତି ପଞ୍ଚାୟତରେ ପୂର୍ବ ଭଳି ଦଖଲ ରଖିବାକୁ ଉଦ୍ୟମ କରିବ ବିଜେଡି। ଅଭିଯାନ ପୂର୍ବରୁ ହିଁ ଜିଲ୍ଲାରୁ ଜିଲ୍ଲା ବୁଲି ବିଜୁ ଯୁବ ଓ ଛାତ୍ର ଜନତା ଦଳର ସଭାପତି କର୍ମୀଙ୍କୁ ଭେଟି ଆଲୋଚନା କଲେଣି। ପୂର୍ବ ବିଜେଡି ସରକାରର ଜନକଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ କହିଛନ୍ତି ।

ଫୋକସରେ ପଞ୍ଚାୟତ ପୌର ନିର୍ବାଚନ

ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିପୁଳ ସଫଳତା ହାସଲ କରିଥିଲା ବିଜେଡି । ଆଉ ଦୁଇ ବର୍ଷ ପରେ ନିର୍ବାଚନ ହେବାକୁ ଥିବା ବେଳେ ଏବେଠୁ ସଂଗଠନ ସଜାଡିବା ଉପରେ ଗୁରୁତ୍ବ ଦେଉଛି ଦଳ । ଗ୍ରାଉଣ୍ଡରେ କର୍ମୀଙ୍କୁ ଏକଜୁଟ୍ ରଖିବା ପାଇଁ ଜନ ଜାଗରଣ ଅଭିଯାନ ବେଳେ ଉଦ୍ୟମ କରିବ ବିଜେଡି । ପଞ୍ଚାୟତ ପୌର ପ୍ରତିନିଧି ଦଳଡିଆଁ ଆରମ୍ଭ କରିଥିବା ବେଳେ ଏବେଠୁ ଗ୍ରାଉଣ୍ଡ ସ୍ଥିତି ମଜଭୂତ ନରଖିଲେ ବିଜେଡି ନିଜ ସ୍ଥିତି ହରାଇପାରେ । ସେଥିପାଇଁ ବିଜେପି ସରକାର ବିରୋଧରେ ଯୁଦ୍ଧ ରାଜ୍ୟର ପ୍ରତି ପଞ୍ଚାୟତରୁ ହିଁ ଆରମ୍ଭ କରିବାକୁ ଯାଉଛି ଦଳ ।

ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତି

୨୦୧୮ ମସିହା ପରଠୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହୋଇନି । ବିନା ନିର୍ବାଚନରେ ରାଜ୍ୟର ଛାତ୍ର ରାଜନୀତିରେ ଏକଚାଟିଆ ଦଖଲ ରଖିଥିଲା ବିଜେଡି । ତେବେ ରାଜ୍ୟରେ କ୍ଷମତା ପରିବର୍ତ୍ତନ ପରେ ଛାତ୍ର ସଂସଦ ନିର୍ବାଚନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସକାରାତ୍ମକ ମନ୍ତବ୍ୟ ଦେଇଛନ୍ତି । ତେଣୁ ନିର୍ବାଚନ ନେଇ ସମ୍ଭାବନା ବଢିଛି । ଏଭଳି ସ୍ଥିତିରେ ସବୁ କଲେଜରେ କିଭଳି ଛାତ୍ର ବିଜେଡି ଭଲ ପ୍ରଦର୍ଶନ କରିବ ସେଥିପାଇଁ ପରିଶ୍ରମ କରିବାକୁ ଯୁବ ଓ ଛାତ୍ର ଜନତା ଦଳର ସଭାପତି ଆହ୍ବାନ ଦେଉଛନ୍ତି । ଉନ୍ନତ ଓଡିଶା ଗଠନରେ ଛାତ୍ରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ କହିବା ସହ ଏବେଠୁ ପ୍ରସ୍ତୁତି କରିବାକୁ କହିଛନ୍ତି । ଜନଜାଗରଣ ଅଭିଯାନରେ ବି ଛାତ୍ର ନିର୍ବାଚନକୁ ଗୁରୁତ୍ବ ଦେବ ଦଳ ।

ଦଳ ଯୋଡିବାକୁ ଗ୍ରାଉଣ୍ଡରୁ କସରତ !

କ୍ଷମତାରେ ରହିଥିବା ବେଳେ ନିଜ ଦଳର ନେତାଙ୍କଠାରୁ ନବୀନ ଅପହଞ୍ଚ ରହିଥିବା ନେଇ ଅନେକ ଥର ଅଭିଯୋଗ ଆସିଛି । ହେଲେ କ୍ଷମତାରୁ ଯିବା ପରେ ତୃଣମୂଳସ୍ତରର ନେତାଙ୍କୁ ଭେଟୁଛନ୍ତି ବିଜେଡି ସଭାପତି । ପଞ୍ଚାୟତ ଓ ବ୍ଲକ ପ୍ରତିନିଧିଙ୍କୁ ଭେଟିବା ସହ ଗ୍ରାଉଣ୍ଡରେ ସଂଗଠନ ସୁଦୃଢ଼ କରିବାକୁ ପରାମର୍ଶ ଦେଉଛନ୍ତି । ମମତା ମହନ୍ତଙ୍କ ୟୁଟର୍ଣ୍ଣ ପରେ ବିଜେଡି ଭାଙ୍ଗିବା ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ତୃଣମୂଳ ସଂଗଠନକୁ ଫୋକସ କରୁଛନ୍ତି ନବୀନ । କୌଣସି ସ୍ଥିତିରେ ଦଳରୁ ନେତା ଗଲେ ଯେପରି ତାଙ୍କ ସଂଗଠନ ବିଜେଡି ସହ ହିଁ ରହିବ ସେଥିପାଇଁ ରୋଡମ୍ୟାପ ପ୍ରସ୍ତୁତ ହେଉଛି ।

ବିଜେପି ସରକାରକୁ ଦୁଇ ମାସ ପୂରିଥିଲେ ବି ଏପର୍ଯ୍ୟନ୍ତ ରାଜ୍ୟରେ ସେଭଳି ପ୍ରଭାବ ଦେଖାଇପାରିନି । ଦୁଇ ମାସର ସମୟ ନିଶ୍ଚିତ ଭାବେ ପ୍ରଦର୍ଶନ ବିଚାର କରିବା ନେଇ ଖୁବ୍ କମ ସମୟ । ଆଗକୁ ପ୍ରଭାବଶାଳୀ କାର୍ଯ୍ୟଦକ୍ଷତା ଦେଖାଇପାରନ୍ତି ମୋହନ ସରକାର । ତେବେ ବିରୋଧୀ ସିଟରେ ବସିଥିବା ବିଜେଡି, ନିଶ୍ଚିତ ଭାବେ ସରକାରଙ୍କୁ କାଠଗଡ଼ାକୁ ଟାଣିବେ। ଆଉ ତାର ଶୁଭାରମ୍ଭ ବି ହୋଇସାରିଛି । ପୋଲାଭରମ୍ ହେଉ କି ଭତ୍ତା କିମ୍ବା କଳିଙ୍ଗ ପୁରସ୍କାର, ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥରେ ଥିବା ବିଭିନ୍ନ ପ୍ରସଙ୍ଗ ଉଠାଇ ଘେରିବାକୁ ଉଦ୍ୟମ ବି କଲାଣି ଦଳ । ତେଣୁ ଜନଜାଗରଣ ଅଭିଯାନ ମାଧ୍ୟମରେ ଜନତାଙ୍କ ପାଖରେ ପହଞ୍ଚି ନିଜ ପୂର୍ବ ବିଶ୍ବାସନୀୟତାକୁ ଫେରି ପାଇବାକୁ ଉଦ୍ୟମ କରିବ ବିଜେଡି ।

Comments are closed.