Latest Odisha News

BREAKING NEWS

ହନୁମାନ ମନ୍ଦିର ନା ମସଜିଦ୍ : କର୍ଣ୍ଣାଟକରେ ଶ୍ରୀରଙ୍ଗପାଟନା ଚଲୋ

ଶ୍ରୀରଙ୍ଗପାଟନା: ଜ୍ଞାନବାପି ପରେ ଏବେ କର୍ଣ୍ଣାଟକର ମାଣ୍ଡିୟା ଜିଲ୍ଲାରେ ମନ୍ଦିର- ମସଜିଦ ବିବାଦ ତେଜିବାରେ ଲାଗିଛି । ମାଣ୍ଡିଆରେ ଥିବା ଜାମିଆ ମସଜିଦକୁ ନେଇ ହିନ୍ଦୁ ପକ୍ଷ ଏହାକୁ ହନୁମାନ ମନ୍ଦିର ବୋଲି ଦାବି କରିଛନ୍ତି । ମସଜିଦ୍ ରେ ହନୁମାନ ଚାଳିଶା ପାଠ ପାଇଁ କିଛି ହିନ୍ଦୁ ସଂଗଠନ ଦାବି କରିଥିବା ବେଳେ ପୋଲିସ କିନ୍ତୁ ସେମାନଙ୍କୁ ଏପରି କରିବାକୁ ବାରଣ କରୁଛି ।

ମସଜିଦ ଭିତରକୁ ଯାଇ ହନୁମାନ ଚାଳିଶା ପାଠ କରିବାକୁ ଅନୁମତି ନମିଳିବାରୁ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ହିନ୍ଦୁ ସଂଗଠନ । କାରଣ ହେଉଛି ଏଠାରେ ଥିବା ମସଜିଦକୁ ହନୁମାନ ମନ୍ଦିର କହୁଛନ୍ତି ବିଶ୍ବ ହିନ୍ଦୁ ପରିଷଦର କାର୍ଯ୍ୟକର୍ତ୍ତା ଏବଂ ସ୍ଥାନୀୟ ହିନ୍ଦୁ ।

ମୁସଲିମ ଶାସକଙ୍କ ସମୟରେ ଏହି ମନ୍ଦିର ଭାଙ୍ଗି ତାହା ଉପରେ ମସଜିଦ ନିର୍ମାଣ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ଟିପୁ ସୁଲତାନଙ୍କ ନିର୍ଦେଶରେ ଏହି ମନ୍ଦିର ଭଙ୍ଗାଯାଇଥିବା ଅଭିଯୋଗ କରୁଛନ୍ତି ସ୍ଥାନୀୟ ହିନ୍ଦୁ । ଏହି ଘଟଣାକୁ ନେଇ ଏବେ ମସଜିଦର ସୁରକ୍ଷା ବଢାଇ ଦିଆଯାଇଛି ।

ପୋଲିସ ମସଜିଦ ନିକଟକୁ ବିକ୍ଷୋଭକାରୀଙ୍କୁ ନଛାଡିବାରୁ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତାମାନେ ବିବାଦୀୟ ମସଜିଦର ଏକ କିଲୋମିଟର ଦୂରତା ମଧ୍ୟରେ ହନୁମାନ ଚାଳିଶା ପାଠ କରିଛନ୍ତି ।
ଶାନ୍ତି ଏବଂ ସୁରକ୍ଷା ପାଇଁ ଉକ୍ତ ଜନସମାବେଶ ସ୍ଥଳୀରେ ଧାରା ୧୪୪ ଲାଗୁ କରାଯାଇଛି । ସେପଟେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଜାମିଆ ମସଜିଦରେ ଏକ ସର୍ଭେ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ମଧ୍ୟ ଦାବି କରୁଛନ୍ତି ।

ପୂର୍ବରୁ ମସଜିଦ ସ୍ଥାନରେ ଏକ ହନୁମାନ ମନ୍ଦିର ଥିଲା, କିନ୍ତୁ ମୁସଲିମ ଶାସକମାନେ ଏହାକୁ ଭାଙ୍ଗି ଦେଇ ତାହା ଉପରେ ମସଜିଦ ନିର୍ମାଣ କରିଥିବା ଅଭିଯୋଗ ହେଉଛି । ମସଜିଦରେ ସର୍ଭେ ପାଇଁ ବିଶ୍ବ ହିନ୍ଦୁ ପରିଷଦ ମାଣ୍ଡିୟାର କୁଭେମ୍ପୁ ସର୍କଲରୁ ‘‘ଶ୍ରୀରଙ୍ଗପାଟନା ଚଲୋ’’ ନାମକ ଏକ ପଦଯାତ୍ରା ପାଇଁ ଆହ୍ୱାନ କରିଥିଲା । କିନ୍ତୁ ଜିଲ୍ଲା କର୍ତୃପକ୍ଷ ସେମାନଙ୍କୁ ଅନୁମତି ଦେଇନଥିଲେ ମଧ୍ୟ ଏହି ଗୋଷ୍ଠୀ ବିରୋଧ ପ୍ରଦର୍ଶନ ସହ ଆଗକୁ ବଢିଥିଲେ ।

ଏବେ ସ୍ଥାନୀୟ ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରିଥିଲେ ମଧ୍ୟ ମସଜିଦର ସର୍ଭେ ପାଇଁ ହିନ୍ଦୁ ପକ୍ଷ ଦାବି କରି ବିକ୍ଷୋଭ କରୁଛନ୍ତି ।

Leave A Reply

Your email address will not be published.