Latest Odisha News

ପ୍ରତିଦିନ କାହିଁକି କରାଯାଏ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ, ଜାଣନ୍ତୁ

ଭୁବନେଶ୍ୱର: ହିନ୍ଦୁଶାସ୍ତ୍ର ଅନୁଯାୟୀ ପୂଜା ପାଉଥିବା ଦେବଦେବୀଙ୍କ ମଧ୍ୟରୁ ସୂର୍ଯ୍ୟଙ୍କୁ ପ୍ରତ୍ୟକ୍ଷ ଦେବତା ବୋଲି କୁହାଯାଏ । କାରଣ ସୂର୍ଯ୍ୟ ଏମିତି ଜଣେ ଦେବତା ଯାହାଙ୍କୁ ପ୍ରତ୍ୟେକ ଦିନ ପ୍ରତ୍ୟେକ ଲୋକ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରୁଛନ୍ତି ।

ଆହୁରି ମଧ୍ୟ କୁହାଯାଏ ସମସ୍ତ ଗ୍ରହ ମାନଙ୍କର ରାଜା ତଥା ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ ଦେବତା। ଅନ୍ୟ ଦେବଦେବୀଙ୍କୁ ଭୋଗ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରାଯାଉଥିବା ବେଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବାର ବିଧି ରହିଛି । ତେବେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବାର କିଛି ସାଧାରଣ ନିୟମ ଓ କାରଣ ମଧ୍ୟ ରହିଛି। ବିଭିନ୍ନ କାରଣ ହେତୁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରାଯାଇଥାଏ।

ଜଳ ଅର୍ପଣର କାରଣ:

ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଆତ୍ମାର ସୁଦ୍ଧି ଘଟିଥାଏ ବୋଲି ବିଶ୍ୱାସ ରହିଛି । ଏହା ସହ ଜଳ ଅର୍ପଣ କରିବା ଦ୍ୱାରା ଆତ୍ମବିଶ୍ୱାସ ବଢେ, ପରିବାରର ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ, ଶିକ୍ଷା ଓ କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବାସହ
ଜାତକରେ ଗ୍ରହ ମାନଙ୍କ ସ୍ଥିତି ଭଲ ରହିଥାଏ ବୋଲି ବିଶ୍ୱାସ ରହିଛି ।

ଜଳ ଅର୍ପଣର ନିୟମ:

ସୂର୍ଯ୍ୟଦେବଙ୍କୁ ପ୍ରାତଃ ସମୟରେ ସ୍ନାନ ସାରି ଜଳ ଅର୍ପଣ କଲେ, ଏହା ଅତ୍ୟନ୍ତ ଶୁଭ ହୋଇଥାଏ।

ଜଳ ଅର୍ପଣ ସମୟରେ ଏକ ଆସନ ଉପରେ ଠିଆ ହେବା ଆବଶ୍ୟକ ଅଟେ।

ତମ୍ବା ପାତ୍ରରେ ଜଳ ନେଇ ଯେକୌଣସି ଲାଲ ରଙ୍ଗର ପୁଷ୍ପ, ଅରୁଆ ଚାଉଳ ଓ ନାଲି ରଙ୍ଗର ଚନ୍ଦନ ଅର୍ପଣ କଲେ, ଏହା ଅତ୍ୟନ୍ତ ଶୁଭ ଫଳ ପ୍ରଦାନ କରିଥାଏ।

ଜଳ ଅର୍ପଣ ସମୟରେ ‘ଓଁ ସୂର୍ଯ୍ୟାୟ ନମଃ’ ମନ୍ତ୍ର ଜପ କରିବା ଉଚିତ୍‍।

ଜଳ ଅର୍ପଣ ସମୟରେ ସୂର୍ଯ୍ୟଙ୍କୁ ସିଧାସଳଖ ଦର୍ଶନ ନକରି ଅର୍ପଣ କରୁଥିବା ଜଳ ଧାରାରେ ଦର୍ଶନ କଲେ ବହୁ ଶୁଭ ହୋଇଥାଏ।

ଅର୍ପଣ କରୁଥିବା ଜଳ ନିଜ ପାଦରେ ପଡ଼ିବା ଉଚିତ ନୁହେଁ। ତେଣୁ ଜଳ ଅର୍ପଣ କରିବା ସମୟରେ ତଳେ ଏକ ପାତ୍ରକୁ ରଖନ୍ତୁ।

ଯେପରି ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରୁଥିବା ଜଳ ସେହି ପାତ୍ର ମଧ୍ୟରେ ପଡିବ। ଏହା ପରେ ପ୍ରଣାମ କରି ପାତ୍ରରେ ଥିବା ଜଳକୁ ଗଛରେ ଢାଳି ଦିଅନ୍ତୁ। ଏପରି କରିବା ଦ୍ୱାରା ଗଛ ହୃଷ୍ଟପୃଷ୍ଟ ହୋଇ ବଢୁଥିବା କୁହାଯାଏ ।

Comments are closed.