Latest Odisha News

ଜୀବନରେ ବିଷାଦର କାରଣ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ମଣିଷ ଯେତେବେଳେ ନିଜ ଜୀବନରେ କିଛି ଆଶାର ସମ୍ଭାବନା ଦେଖିପାରେ ନାହିଁ, ସେତେବେଳେ ସେ ବିଷାଦର ସ୍ଥିତିକୁ ଚାଲିଯାଏ । ଦୀର୍ଘ ଦିନ ଧରି ବିଷାଦର ସ୍ଥିତିରେ ରହିଲେ ତାର ଜୀବନ ପ୍ରତି ଲୋଭ ତୁଟିଯାଏ । ଆମେ ଜାଣିଛେ ଛାତ୍ରମାନେ ନିଜ ହୋମ୍‌ୱାର୍କ ଠିକ୍ ସମୟରେ ନକରିପାରିଲେ ଟେନ୍‌ସନ୍ ହୋଇଯାନ୍ତି । ସେମାନେ ନିଜ ଚାରିପଟ, ପରିବାର ଓ ସମାଜରୁ ଏହି ଟେନ୍‌ସନ୍ ଶବ୍ଦ ବିଷୟରେ ଶୁଣି ଶୁଣି, ସେମାନଙ୍କୁ ଅନୁକରଣ କରନ୍ତି ଓ ଏହି ଶବ୍ଦ ସେମାନଙ୍କର ଜୀବନର ଅଙ୍ଗ ପାଲଟିଯାଏ । ସମାଜରେ ଅଧିକାଂଶ ଲୋକ, ବିଷାଦ, ଟେନ୍‌ସନ୍‌, ଚିନ୍ତା ଓ ଉଦାସ ଆଦି ଶବ୍ଦ ମଧ୍ୟରେ ତଫାତ୍ ଜାଣିପାରନ୍ତି ନାହିଁ ।

.

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ବିଷାଦ ଏକ ମାନସିକ ରୋଗ, ଯାହା ସାଧାରଣତଃ ମସ୍ତିଷ୍କରେ ସୃଷ୍ଟି ହେଉଥିବା ଦୋଳାୟମାନ ଭାବନାର ଏକ ମିଶ୍ରିତ ପ୍ରତିକ୍ରିୟା । ଯେତେବେଳେ ଜଣେ ବ୍ୟକ୍ତି କୌଣସି ପରିସ୍ଥିତିରେ ନିଜକୁ ଭରସାଶୁନ୍ୟ ଅବସ୍ଥାରେ ପାଏ ଓ ତାକୁ ଲାଗେ ତା ଜୀବନ ବେକାର, ତାର କୌଣସି ଭବିଷ୍ୟତ ନାହିଁ, ସେ ଦୁନିଆରେ ଗୋଟେ ବୋଝ, ଏହି ପରିସ୍ଥିତିକୁ ବିଷାଦ କୁହାଯାଏ । ଜଣେ ବ୍ୟକ୍ତି ଯେତେବେଳେ ନିଜକୁ ବେସାହାରା ଅନୁଭବ କରେ ଓ କୌଣସି ପରିସ୍ଥିତିକୁ ନେଇ ତା’ରି ଭିତରେ ଗୋଳେଇ ଘାଂଟି ହେଉଥାଏ, ତାକୁ ଚିନ୍ତାର ସ୍ଥିତି କୁହାଯାଏ । ଯେତେବେଳେ ବ୍ୟକ୍ତି ନିଜ କ୍ଷମତାରୁ ଅଧିକ ଓ କମ୍ ସ୍ତରର କାମ ବାଛିଥାଏ ବା ସେହି କାମ ପାଇଁ ଯେତିକି ପ୍ରୟାସ ତଥା ଯେପରି ରଣନୀତି ଆବଶ୍ୟକ ସେପରି କରିପାରେ ନାହିଁ, ଫଳସ୍ୱରୁପ ତାକୁ ବିଫଳତାକୁ ସାମ୍‌ନା କରିବାକୁ ପଡ଼ିଥାଏ, ନିଜ କ୍ଷମତା ଓ କାର୍ଯ୍ୟ ମଧ୍ୟରେ ସନ୍ତୁଳନ ରଖିପାରେ ନାହିଁ, ଏପରି ସ୍ଥିତିକୁ ଟେନ୍‌ସନ୍ କୁହାଯାଏ ।

ଜଣେ ବ୍ୟକ୍ତିର ଜୀବନରେ ଯେତେବେଳେ କୌଣସି ଘଟଣା ନିଜ ଇଛାନୁସାରେ ହୋଇନଥାଏ ବା ଲୋକଙ୍କ ବ୍ୟବହାର ତାର ଆଶା ଅନୂରୁପ ହୋଇନଥାଏ, ସେତେବେଳେ ସେ ଉଦାସ ବା ଦୁଃଖୀ ହୋଇଯାଇଥାଏ । ଏହିପରି ଏସବୁ ଅବଧାରଣା ଭିନ୍ନ ଭିନ୍ନ ଅଟେ । କିନ୍ତୁ ଉଦାସ, ଟେନ୍‌ସନ୍ ଓ ଚିନ୍ତା ଆଦି ଜଣକର ଜୀବନରେ ଦୀର୍ଘ ଦିନ ଧରି ଲାଗିରହିଲେ ସେ ସେ ବିଷାଦର ଅବସ୍ଥାକୁ ଚାଲିଯାଇଥାଏ ।

ବିଜ୍ଞାନ ଭିତିକ ପତ୍ରିକା ଲାନ୍‌ସେଟ୍ ଅନୁସାରେ ଦୁନିଆରେ ପ୍ରତି ୯ ଜଣରେ ଜଣେ ବ୍ୟକ୍ତି ମାନସିକ ରୋଗରେ ପୀଡ଼ିତ । ପ୍ରାୟ ଛବିଶ କୋଟି ଲୋକ ବିଷାଦର ଶିକାର । ଆମ ଦେଶ ଭାରତରେ ୧୯.୭୩ କୋଟି ଲୋକ ମାନସିକ ରୋଗଗ୍ରସ୍ତ, ଯେଉଁଥିରୁ ୪.୫୭ କୋଟି ଲୋକ ବିଷାଦର ଶିକାର ଓ ୪.୪୯ କୋଟି ଲୋକ ଚିନ୍ତାର ଶିକାର । ରାଷ୍ଟ୍ରୀୟ ଅପରାଧ ରେକର୍ଡ଼ ବ୍ୟୁରୋ ଅନୁସାରେ ୨୦୧୩ ରୁ ୨୦୧୮ ମଧ୍ୟରେ ୫୨୫୨୬ ଜଣ ଲୋକ ମାନସିକ ରୋଗର ଶିକାର ହୋଇ ଆତ୍ମହତ୍ୟା କରିଛନ୍ତି । ଅନ୍ୟପକ୍ଷରେ ମାନସିକ ସ୍ୱାସ୍ଥ୍ୟ ସର୍ଭେକ୍ଷଣର ୨୦୧୫-୧୬ର ତଥ୍ୟ ଅନୁସାରେ ଆମ ଦେଶରେ ପ୍ରାୟ ୯ ହଜାର ମନଚିକିତ୍ସକ ଅଛନ୍ତି । ଅର୍ଥାତ ଏକ ଲକ୍ଷ ଜନସଂଖ୍ୟା ପାଇଁ ଜଣଙ୍କ ଠାରୁ ମଧ୍ୟ କମ୍ ଅଛନ୍ତି । କିନ୍ତୁ ହିସାବ ଅନୁସାରେ ଏକ ଲକ୍ଷ ଜନସଂଖ୍ୟା ପାଇଁ ଅତି କମ୍‌ରେ ତିନିଜଣ ଚିକିତ୍ସକ ରହିବା ଆବଶ୍ୟକ । ଅର୍ଥାତ୍ ଆମ ଦେଶରେ ଅତି କମ୍‌ରେ ୩୬ ହଜାର ମନଚିକିତ୍ସକଙ୍କ ଆବଶ୍ୟକତା ରହିଛି ।

ଏହି ଅବସ୍ଥାର ବି ଚିକିତ୍ସା ଅଛି ଓ ଲୋକମାନେ ଏହି ରୋଗରୁ ମୁକ୍ତ ମଧ୍ୟ ହୋଇପାରିବେ । ମନୋବୈଜ୍ଞାନିକ ଦୃଷ୍ଟିରୁ ଏହାକୁ ଏକ ମାନସିକ ରୋଗ ଭାବେ ଦେଖାଯାଏ କିନ୍ତୁ ସମାଜଶାସ୍ତ୍ର ଦୃଷ୍ଟିରୁ ଦେଖିଲେ, ଏହା ଏକ ରୋଗ ନୁହେଁ । ଏକ ଅଭାବଗ୍ରସ୍ତ ଅବସ୍ଥା । ସାମାଜିକ ସମ୍ବନ୍ଧରେ ଘନିଷ୍ଠତାର ଅଭାବ, ଯୋଗାଯୋଗର ଅଭାବ, ସମସ୍ୟାର ସମାଧାନ କରିବାରେ ଅକ୍ଷମତା, ପାରସ୍ପରିକ ବୁଝାମଣାର ଅଭାବ, ପରସ୍ପରଙ୍କ ସହିତ ସମୟ ଦେବାର ଅଭାବ ଇତ୍ୟାଦି । ପୂର୍ବର ସମାଜରେ ଏପରି ହେଉନଥିଲା ବୋଲି ନୁହେଁ, କିନ୍ତୁ ବର୍ତମାନର ଔଦ୍ୟୋଗୀକରଣ ଦୁନିଆରେ ସଂପର୍କର ବଦଳୁଥିବା ସମୀକରଣରେ ବିଷାଦର ମାତ୍ରା ଓ ସମ୍ଭାବନା ବହୁତ ବଢ଼ିଯାଇଛି ।

ଯେତେ ଯେତେ ବସ୍ତୁବାଦୀ ସଂସ୍କୃତି ବଢ଼ିଚାଲୁଛି, ସେତେ ସେତେ ଦେଖେଇହେବାର ସଂସ୍କୃତି ବି ବଢ଼ିଚାଲୁଛି । ଯାହାର ଫଳସ୍ୱରୁପ ପ୍ରତି ସ୍ଥାନରେ ପ୍ରତିଦ୍ୱନ୍ଦିତା ବଢ଼ୁଛି । ଯେଉଁମାନେ ନିଜକୁ ଏହି ପ୍ରତିଦ୍ୱନ୍ଦିତାର ସ୍ଥିତିରେ ଅସଫଳ ଅନୁଭବ କରୁଛନ୍ତି ତଥା କମ୍‌ଜୋର୍ ପାଉଛନ୍ତି, ସେମାନେ ଧିରେ ଧିରେ ବିଷାଦର ଶିକାର ହୋଇଯାଉଛନ୍ତି । ଏହା ସହିତ ମଣିଷ ଭିତରେ ସଂଘର୍ଷ ମାନସିକତା ଦ୍ରୁତ ଗତିରେ କମିବାରେ ଲାଗୁଛି ।

ପରସ୍ପରଙ୍କ ମଧ୍ୟରେ ସହଯୋଗର ଭାବନା ଓ ସହନଶୀଳତା କମ୍ ହେଉଛି ଏବଂ ବ୍ୟକ୍ତିବାଦ୍ ଦ୍ରୁତ ଗତିରେ ବଢ଼ୁଛି । ପରିଣାମ ସ୍ୱରୁପ ବ୍ୟକ୍ତି ସମାଜ ଠାରୁ ବିଛିନ୍ନ ଅନୁଭବ କରୁଛି ଓ ଏକୁଟିଆପଣର ଶିକାର ହେଉଛି । ଏହି ଏକୁଟିଆପଣ ଆତ୍ମହତ୍ୟା ପରି ପଦକ୍ଷେପ ନେବାକୁୂ ବାଧ୍ୟ କରୁଛି । ମନସ୍ତତ୍ୱବିତ୍‌ଙ୍କ ମତ ଅନୁସାରେ ଯେଉଁ ବ୍ୟକ୍ତି ନିଜ ସମାଜ ସହିତ ଯେତେ ବିଛିନ୍ନ ତା ପକ୍ଷରେ ଆତ୍ମହତ୍ୟାର ସମ୍ଭାବନା ସେତେ ଅଧିକ ।

ଆଜିର ଶିକ୍ଷା ବ୍ୟବସ୍ଥାରେ ଥିବା ତ୍ରୁଟି ବିଚ୍ୟୁତି ବି ସଂପ୍ରତି ବଢ଼ୁଥିବା ଆତ୍ମହତ୍ୟାର ଏକ ପ୍ରମୂଖ କାରଣ । ନଚେତ୍ ଶିକ୍ଷା ବ୍ୟବସ୍ଥା ତ ଅସମାନତା, ଶୋଷଣ, ଅନ୍ୟାୟ, ବିଫଳତା ଆଦି ବିରୋଧରେ ଲଢ଼ିବାକୁ ଶିଖେଇବା ଉଚିତ୍ । ଶିକ୍ଷା ମଣିଷ ମନରୁ ନକରାତ୍ମକତା ଦୂର କରି ସକରାତ୍ମକତା ଭରିଦେବା ଉଚିତ୍ । ସଂଘର୍ଷ କରିବାକୁ ପ୍ରେରଣା ଦେବା ଉଚିତ୍ । କିନ୍ତୁ ଆଜିର ଶିକ୍ଷା ବ୍ୟବସ୍ଥା ଏପରି ଆଦୌ କରୁନାହିଁ । ଅତୀତର ଆମେ ଅନେକ ସଫଳ ଲୋକଙ୍କ ଉଦାହରଣକୁ ଦେଖିପାରିବା । ଯେଉଁମାନେ ଅନେକ ପ୍ରତିକୂଳ ପରିସ୍ଥିତି ଓ ବିଫଳତା ସତ୍ୱେ ବି ସଂଘର୍ଷ କରି ନିଜକୁ ଠିଆ କରିଛନ୍ତି । କିନ୍ତୁ ହାର୍ ମାନିନାହାନ୍ତି । ଆଜିର ଶିକ୍ଷା ବ୍ୟବସ୍ଥା ମଣିଷର ବ୍ୟକ୍ତିତ୍ୱକୁ ମଜବୁତ୍ କରିପାରୁନାହିଁ ।

ଆସୋଚାମ୍‌ର ତଥ୍ୟ ଅନୁସାରେ କର୍ପୋରେଟ୍ ଜଗତ ସହିତ ଜଡ଼ିତ ୪୨.୫ ପ୍ରତିଶତ କର୍ମଚାରୀ ବିଷାଦ ଓ ଚିନ୍ତା ସହିତ ଯୁଝି ହେଉଛନ୍ତି । ୩୮.୫ ପ୍ରତିଶତ କର୍ମଚାରୀ ନିଦ୍ରାହୀନତାର ଶିକାର ଭୋଗୁଛନ୍ତି । ଆମ ସମାଜରେ ବିଷାଦ ପରି ସ୍ଥିତିକୁ କଳଙ୍କ ତଥା ଖରାପ ମନାଯାଏ, ତେଣୁ ଏ ବିଷୟରେ କେହି କାହା ସହିତ ଖୋଲା କଥାବାର୍ତା କରିପାରନ୍ତି ନାହିଁ । ଏହାକୁ ଏକ ପ୍ରକାର ଲଜ୍ଜା ଭାବେ ମଧ୍ୟ ଦେଖାଯାଏ । ସରକାର ବି ଏହି ମାନସିକ ରୋଗକୁ ଏକ ମୂଖ୍ୟ ସମସ୍ୟା ଭାବେ ପରିଗଣିତ କରିନାହାନ୍ତି । ଯାହାର ପ୍ରମାଣ ସରକାରଙ୍କ ସ୍ୱାସ୍ଥ୍ୟ ବଜେଟ୍‌ରୁ ଜଣାଯାଏ ।

ସ୍ୱାସ୍ଥ୍ୟ ବଜେଟ୍‌ର ମାତ୍ର ୨ ଭାଗରୁ କମ୍ ଭାଗ ମାନସିକ ସ୍ୱାସ୍ଥ୍ୟ ପାଇଁ ରଖାଯାଉଛି । ଏହା ଏକ ଗମ୍ଭୀର ସମସ୍ୟା । ଆଜି ସମୟ ଆସିଛି, ମାନସିକ ସ୍ୱାସ୍ଥ୍ୟକୁ ପ୍ରମୂଖତା ଦେବାର । ନଚେତ୍ ଏହି ସମସ୍ୟା ଆହୁରି ତୀବ୍ର ହେବ ।

ଆଜିର କିଶୋର ଓ ଯୁବ ସମାଜକୁ ଏହା ବୁଝିବାକୁ ପଡ଼ିବ ଯେ, ସାମୂହିକତାରୁ ବିଛିନ୍ନ ହେବା ଅର୍ଥ ନିଜ ଠାରୁ ବିଛିନ୍ନ ହେବା । ବଂଚି ରହିବା ପାଇଁ ଯେମିତି ଖାଦ୍ୟ ଓ ପାଣି ଆବଶ୍ୟକ ସେମିତି ମାନସିକ ଭାବେ ସୁସ୍ଥ ରହିବା ପାଇଁ ଭାବନାତ୍ମକ ବନ୍ଧନ ଓ ଘନିଷ୍ଠତା ନିହାତି ଆବଶ୍ୟକ । ଆଜି ଆଧୁନିକତା ତଥା ଯାନ୍ତ୍ରିକୀକରଣ ଯୋଗୁ ମଣିଷ ମଣିଷ ମଧ୍ୟରେ କଥାବାର୍ତା କମିଯାଉଛି । ସଂପର୍କରେ ଘନିଷ୍ଠତା ଆସୁନାହିଁ । ଏହି ସମସ୍ୟାକୁ ମଧ୍ୟ ସମାଧାନ କରିବାକୁ ହେବ । ଜୀବନରେ ସଫଳତା ଓ ବିଫଳତା ଅପେକ୍ଷା ଅଧିକ ଆବଶ୍ୟକ ସକରାତ୍ମକ ଭାବନା ଓ ସଂଘର୍ଷ କରିବାର ମାନସିକତା ।

ଜୀବନରେ ସଫଳ ହେବା ଅପେକ୍ଷା ଜୀବନ ଯାତ୍ରା ଅଧିକ ମହତ୍ୱପୂର୍ଣ୍ଣ, ଏହା ଆମକୁ ବୁଝିବାକୁ ହେବ । ଜୀବନରେ ଆମେ ସଫଳ ହେଉ କି ନହେଉ କିନ୍ତୁ ଏକ ସଫଳ ଜୀବନ ଜୀଇଁବା ଅଧିକ ମହତ୍ୱପୂର୍ଣ୍ଣ । ସଫଳତାକୁ ଜୀବନର ଲକ୍ଷ ନ ଭାବି ଜୀବନର ଯାତ୍ରାକୁ ହିଁ ସଫଳତା ମାନିବା ଉଚିତ୍ । ତାହେଲେ ଆମେ ବିଷାଦ, ଟେନ୍‌ସନ୍‌, ଉଦାସପଣ ଓ ଚିନ୍ତା ଆଦି ପରିସ୍ଥିତିକୁ ହରେଇପାରିବା ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

Comments are closed.