Latest Odisha News

BREAKING NEWS

ବିଜେପିରେ ବିଦ୍ରୋହ

ଭୁବନେଶ୍ୱର: ପର ଘର ଭାଙ୍ଗି ନିଜ ଘର ସଜାଡୁଥିବା ଦଳକୁ ଏବେ ଲାଗିଛି ଜୋରଦାର ଝଟକା । ବିଦ୍ରୋହ ତୀବ୍ରରୂପ ଧାରଣ କରିଛି ବିଜେପିରେ । ଦୁଇ ଦୁଇଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ଆସନ ଲାଗି ବିଜେପି ଟିକେଟ ଘୋଷଣା ହେବା ପରେ ବଢ଼ିଛି ବିଦ୍ରୋହ ।

ଗତ ୨୧ ତାରିଖରେ ୧୦ଟି ଲୋକସଭା ଓ ୯୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି ବିଜେପି । ସେହିପରି ୨୨ ତାରିଖ ମଧ୍ୟରାତ୍ରୀରେ ଆଉ ୫ଟି ଲୋକସଭା ଆସନ ଓ ୨୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି ।

ତେବେ ଏହି ପ୍ରାର୍ଥୀ ତାଲିକା ଘୋଷଣା ପରେ ବିଜେପିରେ ଦେଖାଦେଇଛି ବିଦ୍ରୋହ । ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବା ମାତ୍ରେ ବିଜେପି ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ରୋହ କରିବା ଆରମ୍ଭ କରିଦେଇଛନ୍ତି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର ଆଶାୟୀ ଅମୀୟ ଦାସଙ୍କ ସମର୍ଥକ । ଦୀର୍ଘଦିନ ଧରି ଦଳର ସଂଗଠନ ସମ୍ଭାଳି ଥିବା ଅମୀୟ ଦାସଙ୍କ ବଦଳରେ ଦଳ ନୂଆ କରି ବିଜେଡିରୁ ଆସି ବିଜେପିରେ ଯୋଗ ଦେଇଥିବା ବାବୁ ସିଂହଙ୍କୁ ପ୍ରାର୍ଥୀ କରିଛି । ଏହା ସହଜରେ ହଜମ କରିପାରିନାହାନ୍ତି ଅମୀୟ ଦାସ । ଉତ୍ୟକ୍ତ ଅମୀୟ ଦାସଙ୍କ ସମର୍ଥକମାନେ ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ଗାଡି ଓ ଘର ଉପରକୁ ଆକ୍ରମଣ କରିବା ସହ ରାଜ୍ୟ କାର୍ଯ୍ୟାଳୟକୁ ତାଲା ପକାଇ ବାହାରେ ଆନ୍ଦୋଳନରେ ବସିଥିଲେ । ଏକା ଜିଦ୍ ପ୍ରାର୍ଥୀ ଚୟନର ପୂର୍ନବିଚାର କରାଯାଇ ଅମୀୟ ଦାସଙ୍କୁ ପୁଣି ଥରେ ପ୍ରାର୍ଥୀ ଘୋଷଣା କରାଯାଉ । ଖାସ୍ ସେହି କାରଣରୁ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହଙ୍କ ଦଳରେ ମିଶ୍ରଣ କାର୍ଯ୍ୟକ୍ରମ ପାର୍ଟି ଅଫିସ୍ରେ ନ ହୋଇ କନକବର୍ଦ୍ଧନ ସିଂହ ଦେଓ ଙ୍କ ଘରେ ହୋଇଛି । ତେବେ ଶେଷରେ ଅମୀୟ ନିଜେ ଆସି ବୁଝାସୁଝା କରିବାରୁ ଆନ୍ଦୋଳନରୁ ହଟିଛନ୍ତି ତାଙ୍କ ସମର୍ଥକ ।

ସେହିପରି ଅଲେଖ ଜେନାଙ୍କ ଓ ଦୋଳ ଗୋବିନ୍ଦ ନାୟକଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଆଳି ଓ ରାଜନଗରର ବହୁ ଦଳୀୟ କର୍ମୀ ବିଜେପି ପାର୍ଟି ଅଫିସରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବରଗଡ଼ ଲୋକସଭା ଆସନରେ ସୁବାସ ଚୌହାନଙ୍କ ବଦଳରେ ସୁରେଶ ପୂଜାରୀଙ୍କୁ ବିଜେପି ପକ୍ଷରୁ ପ୍ରାର୍ଥୀ କରାଯାଇଥିବାରୁ ଚୌହାନଙ୍କ ସମର୍ଥକମାନେ ବଡ଼ ଧରଣର ପ୍ର୍ରତିବାଦ କରିଛନ୍ତି । ବରଗଡରେ ଚୌହାନଙ୍କ ସମର୍ଥକମାନେ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନାରାବାଜୀ କରିଛନ୍ତି । ଗତ ୨୦୧୪ ନିର୍ବାଚନରେ ବରଗଡ଼ ଲୋକସଭା ଆସନର ବିଜେପି ପ୍ରାର୍ଥୀ ଥିଲେ ସୁବାସ । କିନ୍ତୁ ଏଥର ତାଙ୍କ ଟିକେଟ କଟିଛି । ତାଙ୍କ ବଦଳରେ ୨୦୧୪ରେ ସମ୍ବଲପୁର ଲୋକସଭା ଆସନରେ ପ୍ରାର୍ଥୀ ଥିବା ସୁରେଶ ପୂଜାରୀଙ୍କୁ ପ୍ରାର୍ଥୀ କରିଛି ଦଳ । ପ୍ରାର୍ଥୀ ଚୟନ ନେଇ ସୁବାସ ଖୁସି ନଥିବା ଜଣାପଡ଼ିଛି ।

ଭଦ୍ରକରେ ମଧ୍ୟ ଟିକେଟ ବଂଟନକୁ ନେଇ ଅସନ୍ତୋଷ ସାମ୍ନାକୁ ଆସିଛି । ବାସୁଦେବପୁରରୁ ଦୀନବନ୍ଧୁ ପତିଙ୍କୁ ଟିକେଟ ଦିଆଯାଇ ନଥିବାରୁ ତାଙ୍କ ସମର୍ଥକମାନେ ଦଳୀୟ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି । ଏଠାରେ ବିଜେପି ମାଧବାନନ୍ଦ ମଲ୍ଳିକଙ୍କୁ ପ୍ରାର୍ଥୀ କରିଛି । ମାଧବାନନ୍ଦ ନିକଟରେ କଂଗ୍ରେସର ହାତ ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ । ଅନ୍ୟ ପଟେ ପୂର୍ବରୁ ବିଜେପିରୁ ଟିକେଟ ନେଉଥିବା ଦୀନବନ୍ଧୁ ପତିଙ୍କୁ ଦଳ ଏଥର ଟିକେଟ ଦେଇନାହିଁ । ଯାହା ପରେ ଦୀନବନ୍ଧୁଙ୍କ ସମର୍ଥକମାନେ ପ୍ରତିବାଦ କରିବା ସହ ଅସନ୍ତୋଷ ଜାହିର କରିଛନ୍ତି । ଏପରିକି ଅନେକ ସଂଖ୍ୟାରେ ସମର୍ଥକମାନେ ଜିଲ୍ଲା ବିଜେପି ପାର୍ଟି ଅଫିସରେ ତାଲା ପକାଇଛନ୍ତି ।

ସମର୍ଥକମାନେ କହିଛନ୍ତି, “ଆମେ ଏ ନେଇ ଅଭିଯୋଗ କରିବୁ । ଗତ ଦୁଇଦିନ ହେବ ବାସୁଦେବପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଂଚାୟତର ଲୋକେ ଏ ନେଇ ପ୍ରତିବାଦ କରୁଛନ୍ତି । ରାଜ୍ୟ ସଭାପତି ଏ ନେଇ ନିଷ୍ପତି ନ ନେଲେ ଆମେ ସମସ୍ତେ ବିଜେପିରୁ ଇସ୍ତଫା ଦେବୁ ।”

ଅନ୍ୟପକ୍ଷରେ ଦଳୀୟ ଟିକେଟରୁ ବଂଚିତ ବିଜେପିର ବରିଷ୍ଠ ନେତା ତଥା ଖଡିଆଳ ବିଧାୟକ ଦୁର୍ଯ୍ୟୋଧନ ମାଝୀ ଇସ୍ତଫା ଦେଇଛନ୍ତି । ଖଡିଆଳ ଆସନରୁ ରିତାରାଣୀ ବର୍ଗର୍ତିଙ୍କୁ ବିଜେପି ପ୍ରାର୍ଥୀ କରିବା ପରେ ଦୁର୍ଯ୍ୟୋଧନ ଏଭଳି ନିଷ୍ପତି ନେଇଥିବା କୁହାଯାଉଛି ।

ସେପଟେ କୋରାପୁଟ ଲକ୍ଷ୍ମୀପୁରରେ ବିଜେପି ଅଫିସରେ ଭଙ୍ଗାରୁଜା ସହିତ ପୋଡାଜଳା କରିଛନ୍ତି ଦଳୀୟ କର୍ମୀ । ଲକ୍ଷ୍ମୀପୁର ଆସନରୁ କୁମୁଦ ଚନ୍ଦ୍ର ସାଉନ୍ତ ଟିକଟ ମିଳିବା ପରେ ଏହି ବିରୋଧ ସାମ୍ନାକୁ ଆସିଛି । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ୭ଟି ମଣ୍ଡଳୀର ସଭାପତିଙ୍କ ସହିତ କର୍ମକର୍ତା ଓ ଆଶାୟୀ ପ୍ରାର୍ଥୀ ବିରୋଧ ପ୍ରଦର୍ଶନ କରିବା ପରେ ବ୍ଲକ ଅଫିସରେ ପୋଡାଜଳା କରିଥିଲେ । ଚଳିତ ଥର ଏଠାରୁ ଟିକେଟ ଆଶାୟୀ ଥିଲେ ୬ ଜଣ ।

ଲକ୍ଷ୍ମୀପୁରରେ ବିଜେପି ବିଦ୍ରୋହୀମାନେ ବିଜେପି ଅଫିସରେ ପୋଡାଜଳା କରିଥିବା ବେଳେ ଆଳି, ରାଜନଗର, ଜି. ଉଦୟଗିରିରୁ ଆସିଥିବା ଶତାଧିକ ଅସନ୍ତୁଷ୍ଟ କର୍ମୀ ରାଜ୍ୟ ବିଜେପି ଅଫିସ ଆଗରେ ବିଦ୍ରୋହ କରୁଥିବା ଦେଖିବାକୁ ମିଳିଛି । ଠିକ୍ ଲୋକଙ୍କୁ ଟିକେଟ ଦିଆଯାଇ ନାହିଁ । ଟିକେଟ କାଟି ପୁରୁଣା ଦଳର ସଚ୍ଚା ଆଶାୟୀ ନେତାଙ୍କୁ ଟିକେଟ ଦିଆଯାଉ ବୋଲି ସେମାନେ ଦାବି ଜଣାଇ ନାରାବାଜି କରିଛନ୍ତି । ବରଗଡ, ସମ୍ବଲପୁର, କଳାହାଣ୍ଡି, କୋରାପୁଟ ଭଳି ଦୂରଦୂରାନ୍ତ ଅଂଚଳରୁ ମାଳ ମାଳ ଅସନ୍ତୁଷ୍ଟ କର୍ମୀ ବିଜେପି ଅଫିସ ସାମନାରେ ପହଂଚୁଥିବା ଲକ୍ଷ୍ୟ କରାଯାଇଛି ।

ସେହିପରି ବିଜେପି ରାଜ୍ୟ ସ୍ୱାସ୍ଥ୍ୟ ପ୍ରକୋଷ୍ଠର ସଂଯୋଜକ ଡାକ୍ତର ରାମକୃଷ୍ଣ ପୁରୋହିତ ଦଳରୁ ଇସ୍ତଫା ଦେଇଛନ୍ତି । ବରଗଡ଼ ଜିଲ୍ଲାର ଏହି ନେତା ଟିକେଟ ପାଇବାକୁ ଆଶା ରଖିଥିଲେ ।

କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଅସନ୍ତୋଷ ଦେଖାଦେଇଛି । ୨୦୧୪ରେ କଳାହାଣ୍ଡିର ଲୋକସଭା ପ୍ରାର୍ଥୀ ଥିବା ପ୍ରଦୀପ୍ତ ନାୟକଙ୍କ ବଦଳରେ ଦଳ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି । ନୂଆପଡ଼ାରେ ବସନ୍ତଙ୍କ ସ୍ଥିତି ଏବେ ଭଲ ନ ଥିବା ବେଳେ ଦଳ କଳାହାଣ୍ଡି ଲୋକସଭା ଆସନ ଧରାଇଛି ବସନ୍ତଙ୍କୁ । ସେପଟେ ପ୍ରଦୀପ୍ତଙ୍କୁ ଭବାନୀପାଟଣା ବିଧାନସଭା ଅସାନରୁ ପ୍ରାର୍ଥୀ କରିଛି ଦଳ । ଯାହାକୁ ନେଇ ପ୍ରଦୀପ୍ତ ଅସନ୍ତୁଷ୍ଟ ଥିବା ଜଣାପଡିଛି ।

ତେବେ ବିଜେଡିର ବିଦ୍ରୋହୀ ନେତାଙ୍କୁ ଦଳରେ ସାମିଲ କରି ଖୁସିରେ ଗଦଗଦ ହୋଇଉଠଥିବା ବିଜେପିକୁ ଏବେ ଟିକେଟ ଚୟନ ପ୍ରକ୍ରିୟା ପରେ ବେଶ ମହଙ୍ଗା ପଡ଼ିଛି ଦଳୀୟ ନେତାଙ୍କ ବିଦ୍ରୋହ ।

Leave A Reply

Your email address will not be published.