ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ଭୋଟଗଣତି ପୁର୍ବରୁ ଭିନ୍ନ ଭିନ୍ନ ଆକଳନ ହେଉଥିବା ବେଳେ ପ୍ରମୁଖ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଛନ୍ତି।
ଏହି କ୍ରମରେ କିଙ୍ଗ ମେକର ଭୂମିକାରେ ଅବତୀର୍ଣ୍ଣ ହେବକୁ ଛୋଟ ଛୋଟ ଦଳ ମଧ୍ୟ ନିଜର ପ୍ରସ୍ତୁତି କରୁଛନ୍ତି। ବହୁଜନ ସମାଜବାଦୀ ପାର୍ଟି ଏଥର ସରକାରକୁ ବାହାରୁ ସମର୍ଥନ ଦେବା ବଦଳରେ ସରକାରରେ ସାମିଲ ହେବାର ରଣନୀତି ପ୍ରସ୍ତୁତ କରୁଥିବା ଆଲୋଚନା ହେଉଛି।
ରାଷ୍ଟ୍ରିୟ ଲୋକତନ୍ତ୍ରିକ ପାର୍ଟି ଓ ଭାରତୀୟ ଟ୍ରାଇବାଲ ପାର୍ଟି ସ୍ୱାଧୀନ ପ୍ରାର୍ଥୀଙ୍କୁ ନିଜ ସହ ଯୋଡି ପ୍ରମୁଖ ଦଳଗୁଡିକ ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି।
ରାଜ୍ୟରେ ଏଥର ଆମ ଆଦମୀ ପାର୍ଟି, ଭାରତୀୟ ଟ୍ରାଇବାଲ ପାର୍ଟି, ରାଷ୍ଟ୍ରୀୟ ଲୋକତନ୍ତ୍ରିକ ପାର୍ଟି, ବିଏସପି ଆଦି ବହୁ ଦଳ ପ୍ରାର୍ଥୀ ଦେଇଛନ୍ତି। ଏସବୁ ଦଳର ସାତରୁ ଆଠ ଜଣ ପ୍ରାର୍ଥୀ ଜିତିପାରନ୍ତି ବୋଲି ଆକଳନ କରାଯାଉଛି।
ଏହାକୁ ଦେଖି ବିଜେପି ଓ କଂଗ୍ରେସର ନେତୃତ୍ୱ ଛୋଟ ଛୋଟ ଦଳ ସହ ଆଲୋଚନାକୁ କରିଛନ୍ତି। ସେଥିମଧ୍ୟରୁ ଭାରତୀୟ ଆଦିବାସୀ ପାର୍ଟି ନେତା ରାଜକୁମାର ରୋତ ଅଶୋକ ଗେହଲୋଟଙ୍କ ନିକଟତର ହେବା ସହ ତାଙ୍କ ଦଳ କଂଗ୍ରେସକୁ ସମର୍ଥନ କରିବ ବୋଲି ଆଗୁଆ ସୂଚନା ଦେଇଛନ୍ତି।
ରୋତ ବର୍ତ୍ତମାନ ବିଧାୟକ ଥିବା ବେଳେ ତାଙ୍କ ଦଳ ୧୭ ଜଣ ପ୍ରାର୍ଥୀଙ୍କୁ ମଇଦାନକୁ ଓଲ୍ହାଇଛି। ସେହିପରି ଆରଏଲପି ୭୭ ଜଣ ପ୍ରାର୍ଥୀଙ୍କୁ ନିର୍ବାଚନକୁ ଓଲ୍ହାଇଥିବା ବେଳେ ଏଥର ଲୋକେ ତୃତୀୟ ବିକଳ୍ପକୁ ବାଛିବେ ବୋଲି ସେ କହିଛନ୍ତି।
ଆରଏଲପିର ୭୭ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩ ରୁ ଚାରି ଜଣ ଦୃଢ଼ ସ୍ଥିତିରେ ଅଛନ୍ତି। ସେହିପରି ବାମପନ୍ଥୀ ଦଳ ମଧ୍ୟ କିଛି ସିଟରେ ଦୃଢ଼ ଥିବାବେଳେ ଗେହଲୋଟ ସେମାନଙ୍କ ସହ ଯୋଗାଯୋଗରେ ରହିଛନ୍ତି।
ସେପଟେ ବହୁଜନ ସମାଜବାଦୀ ପାର୍ଟି ସ୍ଥିତିକୁ ଅପେକ୍ଷା କରିଛି। ଯଦି କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳିଲା ଓ କୌଣସି ଦଳକୁ ଅଳ୍ପ କିଛି ସିଟର ଆଵଶ୍ୟକତା ପଡିଲା ତାହେଲେ ବିଏସପି ବାହାରୁ ସମର୍ଥନ ନ ଦେଇ ସରକାରରେ ସାମିଲ ହେବାକୁ ନେତୃତ୍ୱ ଚିନ୍ତା କରୁଥିବା କୁହାଯାଉଛି।
ତେଣୁ ଏସବୁ ଯୋଜନା ମଧ୍ୟରେ ରାତି ପାହିଲେ ଚାରୋଟି ରାଜ୍ୟର ଭୋଟ ଗଣତି ଓ ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି। ଚିତ୍ର ସ୍ପଷ୍ଟ ହେବା ପରେ ଯାଇ ରାଜନୈତିକ ସମୀକରଣ କଣ ହେବ ଓ କିଏ କାହାକୁ ସମର୍ଥନ କରିବ ତାହା ଜଣାପଡ଼ିବ।
Comments are closed.