ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…
ଏ ପୃଥିବୀରେ କିସମ କିସମର ପ୍ରଜାତି ଆମର । ନାନା ଜାତିର ପଥରକୁ ନେଇ କାହିଁ କେଉଁ କାଳୁ ଗଢ଼ିଉଠିଛି ଗୋଟାଏ ବିରାଟ ଶିଳାସମାଜ । କିଏ କହେ ଆମର ପ୍ରାଣ ନାହିଁ – ଆମେ ହେଉଛୁ ନିଷ୍ପ୍ରାଣ ପାଷାଣ ? ଯିଏ କହେ, ସିଏ ମହାମୂର୍ଖ । ଏକବାରେ ଅଜ୍ଞ । ଆମ ପଥର ଦେହ ଭିତରେ ବି ମନ ଅଛି, ପ୍ରାଣ ଅଛି, ଆତ୍ମା ଅଛି – ଖାଲି ଅନୁଭବ କରିବାକୁ ଅଲଗା ଆଖି ଦରକାର । ଆମ ଦେହ ସହିତ ଦେହ ମିଶାଇ ଅରଣ୍ୟର ମାଟି ତଳୁ ଯେତେବେଳେ ମଥା ଟେକିଥାନ୍ତି ନାନା ଔଷଧୀୟ ବୃକ୍ଷଲତାଗୁଳ୍ମ, ଆମେ ସେମାନଙ୍କ ମାର୍ଫତ ପୃଥିବୀକୁ ପଠାଇଦେଇଥାଉ ଆମ ଜୀବନୀଶକ୍ତିର କିଛି ଅଂଶ । ରସରୁ ରକ୍ତକୁ ସଂଚରିଯାଏ ସେ ଶକ୍ତି । ନୀରୋଗ ହୁଅନ୍ତି ମନୁଷ୍ୟ, ପଶୁପକ୍ଷୀ, ଜୀବଜଗତ । ପରଶମଣି ନାଆଁ ଶୁଣିଥିବ । ତାକୁ ଛୁଆଁଇଦିଅ ନିଜଠି, ଦେଖିବ ରହସ୍ୟମୟ ରୂପାନ୍ତର ।
ମନୁଷ୍ୟ ନିଜ ଆତ୍ମାକୁ ମଣିଥାଏ ପରମାତ୍ମାଙ୍କର ଏକ ଅଂଶ । ସେ ପରମାତ୍ମା କାଳେ ପୁରୁଷ । ଆମ ପଥରମାନଙ୍କର ପରମାତ୍ମା କିନ୍ତୁ ନାରୀ – ସେ ପ୍ରକୃତି । ଭାଗବତରେ ନାହିଁ ‘ଆତ୍ମାକୁ ସ୍ତିରୀବେଶ’ କରିବା କଥା ? ଏ ‘ଆତ୍ମାର ସ୍ତିରୀବେଶ’ ହେଲା ଅସଲ ଅର୍ଥରେ ଏଇ ପ୍ରସାରିତ ପ୍ରକୃତି । କିଏ ବୁଝିବ ଆଉ ବୁଝାଇବ ମୋ ଭଳି ପଥରର ଏ ମର୍ମବାଣୀ ? ଯଦି କେହି ବୁଝୁଥାନ୍ତେ, ତାହା ହେଲେ କ’ଣ କହୁଥାନ୍ତେ ପଥର ହେଉଚି ପ୍ରାଣହୀନ ପଦାର୍ଥ, ଆତ୍ମାହୀନ ଉପକରଣ ? ଆମକୁ ନାନା ଉପାୟରେ ଉପକରଣ କରିଛି କିଏ ? ପଦାର୍ଥରେ ପରିଣତ କରିଛି କିଏ ? ଏ ମଣିଷ । ସେ ଅ-ସଭ୍ୟ ଥିବା ବେଳେ ତା’ ହାତରେ ଆମେ ଥିଲୁ ଅସ୍ତ୍ର, ସଭ୍ୟ ହେଲା ପରେ ସେ ଆମକୁ କରିଛି କେତେ କିସମର ଉପକରଣ ! ସ୍ୱାର୍ଥର ସାମଗ୍ରୀ ପାଲଟିଛୁ ଆମେ ପଥରମାନେ ଏ ମଣିଷ ହାତରେ । ମଣିଷର ବୁଦ୍ଧି ତା’ ନିଜ ପାଇଁ ଯେଉଁ ନିୟମ ତିଆରି କରେ, ନିଜେ ପୁଣି ସେଇ ନିୟମକୁ ଭାଂଗିଦେବାକୁ ବି ଲଜ୍ଜାବୋଧ କରେନା । ସେଥିପାଇଁ ମୋ ଭଳି ପଥରମାନେ ଅଜସ୍ରବର୍ଷ ରହିଆସିଲୁ ଅଜ୍ଞାତବାସରେ । ମାତ୍ର ମଣିଷର ଶାଣିତ-ତିର୍ୟ୍ୟକ୍ ଦୃଷ୍ଟିଭଂଗି । ଭିନ୍ନ ଦୃଷ୍ଟି । ସେ ଦୃଷ୍ଟିଭଂଗିଟି ଶ୍ୱେନଦୃଷ୍ଟିଠାରୁ ସୁଦ୍ଧା ତାହା ତୀକ୍ଷ୍ଣତର । ତା’ ନଜରର ନାରାଚରୁ କିଏ ବା ନିସ୍ତାର ପାଇବ ? ସ୍ୱର୍ଗମର୍ତ୍ୟପାତାଳ – ସବୁ ତା’ ଗୁପ୍ତ ଆଁ’ର ଆହାର ! ଅନ୍ୟ ଗ୍ରହରେ ଆଗ୍ରହ ତାର ଯେମିତି ମହାକାଶବ୍ୟାପୀ, ଏ ଗ୍ରହର ଖଣିରୁ ମଣି ଲୁଟିବାର ଲୋଭ ବି ତା’ର ସେମିତି ପାତାଳଭେଦୀ !
ଏତେ କଥା କହିଯାଉଛି ଖଣ୍ଡେ ପଥର ହୋଇ । ପଥରର ଭାଷା ନାହିଁ ଭାବୁଥିବା ବୁଦ୍ଧିଆ ମଣିଷମାନଙ୍କୁ ପଚାରୁଛି ଗୋଟିଏ ପ୍ରଶ୍ନ – ଭାଷା କହିଲେ କ’ଣ ବୁଝ ? କିଛି ଧ୍ୱନି, କିଛି ଶବ୍ଦ, କିଛି ଲିଖନଭଂଗୀର କୁଶଳୀ କସରତ ? ତୁମ ମଣିଷମାନଙ୍କ ଭାଷା ତ ଜଟିଳ – ପ୍ରବଂଚନାପୂର୍ଣ୍ଣ – ଗୋଟିଏ କଥା କହିଲା ଭିତରେ ଚାପାପଡ଼ିରହିଥାଏ ଆଉ ଗୋଟିଏ ଉଦ୍ଦେଶ୍ୟ ! ଦିନରେ ମିଠା କଥା କହି ରାତିରେ ଛୁରୀ ଚଳାଇବାର ଯୋଜନାରେ ତିଆରି ହୋଇଛି ତୁମର ତାଲିମପ୍ରାପ୍ତ ଭାଷା । ପଥରର ଭାଷା କିନ୍ତୁ ଭିନ୍ନ । ସେ ଭାଷା ହେଉଛି ନୀରବତା – ଯାହା ଧରିରଖିଥାଏ ‘ଅନନ୍ତ ବକ୍ତବ୍ୟ’ । କେବେ ଯାଇ ବୁଝିବ ଏ କଥା ?
ମୁଁ ସାରା ମଣିଷଜାତିକୁ ଗୋଟିଏ କଥା ମନେପକାଇଦେବାକୁ ଚାହେ । ଆଗେଇଯିବାର ଉନ୍ମାଦ ଅଭିଯାନ ମଧ୍ୟରେ ସେମାନେ ଟିକିଏ କେଇଦଣ୍ଡ ପାଇଁ ଛିଡ଼ାହୋଇ ପଛକୁ ଚାହିଁବେ କି ? ପଛରେ ପୁରାଣ । ପ୍ରାଚୀନ କଥାକାହାଣୀର ପ୍ରସାରିତ ପରମ୍ପରା । ସେଇ ପୁରାଣ ଆଉ ପରମ୍ପରା ଭିତରେ ଅଳ୍ପଟିକିଏ କାନେଇପାରିଲେ ସେମାନେ ଶୁଣିବେ କେତେ ଶୀତଳ ନିଃଶ୍ୱାସପତନର ସ୍ୱରଶବ୍ଦ ! ଆଜି ବି ପବନରେ ସେ ନିଃଶ୍ୱାସର ସ୍ପର୍ଶ । ଅନୁଭବ କଲେ ହେଲା । କେତୋଟି କଥାର ଖିଅ ଧରାଇଦେବାକୁ ଇଚ୍ଛା ହେଉଛି । ଯାହା ବୁଝିବା କଥା ବୁଝିନିଅ ।
ଦିନେ ଅଯୋଧ୍ୟାର ଯୁବରାଜ ଶ୍ରୀରାମଚନ୍ଦ୍ରଙ୍କ ପାଦସ୍ପର୍ଶରେ ଅଦ୍ଭୁତ ଘଟଣା ଘଟିଥିଲା । ଅଗନାଗ୍ନି ବନସ୍ତର ଖଣ୍ଡେ ପଥର ହଠାତ୍ ପରିଣତ ହୋଇଉଠିଲା ରକ୍ତମାଂସର ଦିବ୍ୟରୂପସୀ ରୂପରେ । ସେ ଅହଲ୍ୟା । ଅଭିଶପ୍ତା ଋଷିପତ୍ନୀ । ନାରୀ ହେବା ପାଇଁ ସେ ପଥରଖଣ୍ଡିକର ଅପେକ୍ଷା ଥିଲା କେତେ ଯୁଗ, କେତେ କାଳ, କେତେ ମନ୍ୱନ୍ତର ?-କେଜାଣି ? ମୋର କିନ୍ତୁ ଏବେ ବି ବିଶ୍ୱାସ ଯେ ଏଇ ପଥର ଭିତରେ ଅଛି ସୂକ୍ଷ୍ମଜୀବନୀସତାର ଗୁପ୍ତତତ୍ୱ । ହୁଏତ ଏହା ବି ସଂଭବ, ସୁଦୂରତମ ମହାଭବିଷ୍ୟକାଳକୁ ଏ ସୃଷ୍ଟି ଦିନେ ଅଂଗେ ନିଭାଇବ ଏକ ଅଭୂତପୂର୍ବ କାୟାକଳ୍ପର କୁହୁକ – ଯେଉଁଦିନ ପଥରମାନେ ପରିବର୍ତିତ ହୋଇସାରିଥିବେ ଧ୍ୟାନମୁଦ୍ରାରେ ଆସୀନ ଗୋଟିଏ ଗୋଟିଏ ଅଲୌକିକ ମହାପ୍ରାଣୀରେ । ସେମାନେ ସେଦିନ ଉନ୍ମୋଚନ କରିବେ ମହାଜୀବନର ରହସ୍ୟ … ଜ୍ଞାନ ଓ ବିଜ୍ଞାନର ଅପହୁଂଚ ସ୍ତରରେ ଲୁକ୍କାୟିତ ପ୍ରଜ୍ଞାନର ପ୍ରଭାମଣ୍ଡଳ … ରୂପାନ୍ତର ପ୍ରକ୍ରିୟାମୁଖୀ ମୃତ୍ୟୁରହିତ ଜୀବନର ମହାସତ୍ୟ । ଜଡ଼ ଲାଭ କରିବ ଜୀବନ – ଯେମିତି ବିବର୍ତନର ବୈଚିତ୍ର୍ୟରେ ଜେଲିମୀନରୁ ମଣିଷର କ୍ରମପରିଣାମ ।
ପୁରାଣ କଥା ଯେତେ ପୁରୁଣା, ପଥର କଥା ତା’ଠୁ କାହିଁ କେତେଗୁଣା ପୁରୁଣା । ସେଇ ଶ୍ରୀରାମଚନ୍ଦ୍ର ସମୁଦ୍ରରେ ସେତୁ ବାନ୍ଧି ଲଙ୍କାବିଜୟ କରିବାକୁ ପଣ କଲାବେଳେ କ’ଣ କରାଯିବ ଭାବିଲାବେଳକୁ ବୁଦ୍ଧିବାଟ ଦିଶିନଥିଲା ତାଙ୍କୁ । ସେ ଯୁଗରେ ସମୁଦ୍ରରେ ସେତୁବନ୍ଧ ପ୍ରତିଷ୍ଠା କରିବା କେବଳ ସଂଭବପର ହୋଇପାରିଥିଲା – ଆମେ ପଥରମାନେ ଯେତେବେଳେ ପ୍ରସ୍ତୁତ ହେଲୁ ଭାସମାନ ଭୂମିକାରେ ଥାଇ ପିଠି ପାତିଦେବୁ । ପାଣିରେ ନ ବୁଡ଼ି ଆମେ ପତାଇଦେଲୁ ପିଠିଟିମାନ ଆମର – ଆଉ ତା’ ଉପରେ ଅସୁରସାମ୍ରାଜ୍ୟ ବିରୋଧରେ ଯୁଦ୍ଧ ଘୋଷଣା କରି ଲଙ୍କା ଅଭିମୁଖେ ଆଗେଇଚାଲିଲେ ସମ୍ମିଳିତ ନର ବାନର । ଏକ ଲକ୍ଷ୍ୟରେ ଏଇ ମହାସଂଗଠିତ ଐକ୍ୟ ଆଗରେ ଭୂଲୁଣ୍ଠିତ ହେଲା ବିଶାଳ ଆସୁରିକ ଅପଶକ୍ତି ।
ମୁନିମନୀଷୀ, ଋଷିମହର୍ଷିମାନେ ପୁରାଣରୁ ପୋଥିପତ୍ର ଯାଏଁ କେତେ କଥାର ନଥା ଛାଡ଼ିଯାଇ ନାହାନ୍ତି ! ନା କଥା ବୁଝିଛି ନା ନଥା ବୁଝିଛି ମଣିଷ ? ସେ ବୁଝିଛି କେବଳ ଜୟପରାଜୟର ବିବରଣୀ – ହତ୍ୟା, ଲୁଣ୍ଠନ, ବର୍ବରତାର ବୃତାନ୍ତ । ମାତ୍ର ଦୁଃସହ ଦୁଃଖରେ ମଣିଷ ବି କେମିତି ପଥର ହୋଇଯାଏ, ସେ କଥା ବୁଝିଛି କି ?
ପ୍ରାଚୀନ ଲୋକଗଳ୍ପରେ ଅଛି ଏଇ କଥାଟି ।
ଦୁଇ ସଂଗାତ ସେମାନେ । ରଜାପୁଅ, ମନ୍ତ୍ରୀପୁଅ । ଦିନେ ବାଟବଣା ହେଇ ଘୋର ବନସ୍ତରେ ଗୋଟିଏ ଗଛମୂଳେ ରାତି କାଟିଲେ ଦୁହେଁ । ରଜାପୁଅ ଶୋଇଥାଏ, ମନ୍ତ୍ରୀପୁଅ ଜଗିଥାଏ । ଗଛଡ଼ାଳରେ କଥାବାର୍ତା ହେଉଥାନ୍ତି ଦୁଇ ଚଢ଼େଇ । ଗୋଟିଏ କହୁଥାଏ ଆରଗୋଟିକୁ – ଏ ଗଛମୂଳରେ ଆଜି ଯେଉଁ ରଜାପୁଅଟି ଶୋଇଛି, କାଲି ସୂର୍ୟ୍ୟ ବୁଡ଼ିବା ଆଗରୁ ତା’ର ମରଣ ନିଶ୍ଚିତ ।
ଆର ଚଢେଇଟି ପଚାରିଛି – ଏ ମରଣରୁ ତରିବା ପାଇଁ କ’ଣ କିଛି ଉପାୟ ନାହିଁ ।
ପୂର୍ବ ଚଢେଇ କହିଛି – ଅଛି ଯେ, ହେଲେ ବିପଦ ଅଛି ।
ଆର ଚଢେଇ – କି ବିପଦ?
ତହୁଁ ପୂର୍ବ ଚଢେଇ ଉପାୟମାନ ବତାଇଦେଲା ପରେ ଚେତାଇ ଦେଇଛି – ଏ ଉପାୟ ଜାଣି ଯିଏ ରଜାପୁଅକୁ ଉଦ୍ଧାର କରିବ, ସିଏ ଏସବୁ କଥା କିନ୍ତୁ ଗୁପ୍ତ ରଖିବ । ଯଦି ଗୁପ୍ତକଥା ପ୍ରଘଟ କଲା, ତା’ହେଲେ ଜାଣ ସେ ପାଦରୁ ମୁଣ୍ଡଯାଏଁ ପଥର ହେଇଗଲା – ଅର୍ଥାତ୍ ବଂଚି ଥାଉଥାଉ ମଲା । ଆର ଚଢେଇକୁ ରଜାପୁଅ କିପରି ମରଣଦାଢ଼ରୁ ବର୍ତିପାରିବ, ତା’ର ଗୁପ୍ତଭେଦ କହିଦେଇସାରିବା ପରେ ବି ପୂର୍ବଚଢେଇଟି ଅତି ଦୁଃଖରେ କହିଲା – ଆମ ଚଢେଇଙ୍କ ଭାଷା କିଏ ବୁଝିବ ଯେ ରଜାପୁଅକୁ ବଂଚାଇପାରିବ? ହେଲେ ମନ୍ତ୍ରୀପୁଅକୁ ମାଲୁମ୍ ଥିଲା ଚଢେଇମାନଙ୍କ ଭାଷା ।
ସକାଳ ହେଲା । ମନ୍ତ୍ରୀପୁଅ ରଜାପୁଅକୁ ଉଠାଇ ରାଜ୍ୟ ଆଡ଼କୁ ବାଟ କଢ଼ାଇଲା । ବାଟରେ ଯେତେ ବିପଦଆପଦ, ରଜାପୁଅର ଜୀବନ ପ୍ରତି ଯେତେ ମହାବିପତି ଉପୁଜିଲେ ବି ସବୁକୁ ମନ୍ତ୍ରୀପୁଅ ଚଢେଇ କହିଥିବା ଗୁପ୍ତଭେଦ ଅନୁସାରେ ଗୋଟାକ ପରେ ଗୋଟାଏ ଟାଳିଦେବାରେ ସଫଳ ହେଲା । ରଜାପୁଅ ଏକାବେଳକେ ତାଟକା । ସେ ସନ୍ଦେହ କଲା ଯେ ମନ୍ତ୍ରୀପୁଅ ଆଗରୁ ଜାଣିଲା ପରି କେମିତି ଏ ବିଘ୍ନବିପତିରୁ ତାକୁ ଉଦ୍ଧାର କରିଦେଉଛି ? ସେ ଗୁଡ଼େଇତୁଡ଼େଇ ମନ୍ତ୍ରୀପୁଅକୁ ପ୍ରଶ୍ନ କଲା । ମନ୍ତ୍ରୀପୁଅ ଉତର ଦେବାକୁ ନାମଙ୍ଗ ହେବାରୁ ତା’ର ସନ୍ଦେହ ଆହୁରି ବଢିଲା । ଶେଷରେ ବାଧ୍ୟ ହୋଇ ମନ୍ତ୍ରୀପୁଅ କହିଲା: ସଂଗାତ, ଇଏ ଗୁପ୍ତଭେଦ । ୟାକୁ ପ୍ରଘଟ କଲେ ମୁଁ ପାଦରୁ ମଥାଯାଏଁ ପଥର ହେଇଯିବି । ରଜାପୁଅ ହସିହସି କଥାଟାକୁ ଉଡେଇଦେଇ ତାକୁ ଅବିଶ୍ୱାସ କରିବାକୁ ଆରମ୍ଭ କଲା । ମନ୍ତ୍ରୀପୁଅ ବିଚରା ଦୁଃଖରେ କଳା ପଡ଼ିଗଲା ସଂଗାତର ଅବିଶ୍ୱାସ ଅନୁଭବ କରି । ବାଧ୍ୟ ହୋଇ ସେ ଗୁପ୍ତଭେଦ ରହସ୍ୟ ବୃତାନ୍ତ ବଖାଣୁ ବଖାଣୁ ପାଦରୁ ବେକଯାଏଁ ପଥର ହେଇଆସିଲାବେଳକୁ ରଜାପୁଅର ଚେତା ପଶିଲା । ବଂଧୁର ଏ ଅବସ୍ଥା ଦେଖି ସେ ଭୋ ଭୋ କାନ୍ଦି ପକାଇଲା…. ।
ମୁଁ ଏ ଲୋକଗଳ୍ପଟିର ଶେଷଭାଗ ଜାଣିଶୁଣି କହୁନି । ଯେଉଁଠି ମନ୍ତ୍ରୀପୁଅ ପଥର ହେଇଗଲା, ସେଇଠି ମୋ ବକ୍ତବ୍ୟ ସାରୁଛି । ତମ ମଣିଷମାନଙ୍କୁ କେବଳ ଚେତାଇଦେଉଛି – ତମେସବୁ ସନ୍ଦେହୀ ରଜାପୁଅର ଅୟସଭରା ଜୀବନ ବଂଚିବାକୁ ଚାହୁଁଚ, ମାତ୍ର ତମ ଚାରିପଟର ବଂଧୁପରିଜନମାନଙ୍କ କୁଶଳ କଥା କେବେହେଲେ ଚିନ୍ତୁନାହଁ – ତାଙ୍କୁସବୁ ପର ମଣି, ପରତେ ନ ଯାଇ ପଥର ହେବାର ବାଟରେ ଛାଡ଼ିଦେଇ ଚାଲିଯିବାକୁ ଦ୍ୱିଧାବୋଧ କରୁନାହଁ ତିଳାର୍ଦ୍ଧ । ହଁ, ମୁଁ ଆଜି କହିବି ଯେ ଏମିତି ମଣିଷ ରୂପରେ ଅମଣିଷ ହେବା ଅପେକ୍ଷା ପଥର ହେବା ବରଂ ଶତଗୁଣେ ଶ୍ରେୟସ୍କର । (କ୍ରମଶଃ…)
ଯାଜପୁର ରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩
Comments are closed.