Latest Odisha News

BREAKING NEWS

ପୁରୀର ବାଡ଼ିଆ ଡାଲ୍‌ମା

ପ୍ରବାସିନୀ ନନ୍ଦଙ୍କ ରନ୍ଧାବଢ଼ାରୁ ‘ପୁରୀର ବାଡ଼ିଆ ଡାଲ୍‌ମା’

 

ସଂସ୍କୃତି ଓ ଐତିହ୍ୟର ସହର ପୁରୀ, ଜଗତର ନାଥ ଜଗନ୍ନାଥଙ୍କ ସହିତ ଓତପ୍ରୋତ ଭାବେ ଜଡ଼ିତ । ଏଠି ଦେଖିବାକୁ ମିଳିଥାଏ ଏକ ନିଆରା ଚଳଣୀ । ଜଗନ୍ନାଥଙ୍କ ମହାପ୍ରସାଦରେ ଅନ୍ନ, ଡାଲମା, ବେସର, ମହୁର, ଶାଗ, ସମସ୍ତଙ୍କୁ ଆକୃଷ୍ଟ କରେ । କାହିଁ କେତେ ଦୂରରୁ ଭକ୍ତ ଚାଲିଆସନ୍ତି ଟିକେ ଅବଢ଼ା ଖାଇବେ ଓ ଦାରୁବ୍ରହ୍ମଙ୍କୁ ଦର୍ଶନ କରିବେ । ପୁରୀ ଆସି ଅବଢା ନଖାଇ ଫେରିଲେ ଯେମିତି ଗୋଟେ ଅବଶୋଷ ରହିଯାଏ ମନରେ ।

ପୁରୀର ଏହି ଡାଲମା ତା’ର ସ୍ୱାଦ ପାଇଁ ପ୍ରସିଦ୍ଧି ଲାଭ କରିଛି । ପୁରୀ ତଥା ଆଖପାଖ ଅଞ୍ଚଳରେ ଡାଲମାର ବହୁଳ ବ୍ୟହବାର ଦେଖିବାକୁ ମିଳିଥାଏ । ଯେମିତି ଚୁଡ଼ାଘଷା ସହିତ ଡାଲମା, ଖଳିରୁଟି ଡାଲମା, ଉପମା ଓ ରୁଟି, ପୁରି ବା ପରଟା ସହିତ ଡାଲମାର ମଜା ଟିକେ ନିଆରା । କ୍ରମେ ଏହାର ସ୍ୱାଦର ଆକର୍ଷଣ ପରିବ୍ୟାପ୍ତ ହୋଇ ଡାଲ୍‌ମାକୁ ଆମ ରାଜ୍ୟର ପାରମ୍ପରିକ ବ୍ୟଞ୍ଜନର ମାନ୍ୟତା ମିଳି ସାରିଛି । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ନାମରେ ରେସ୍ତୋଁରାର ନାମକରଣ ମଧ୍ୟ କରାଯାଇଛି । ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଲୋକଙ୍କଠାରେ ମଧ୍ୟ ଡାଲ୍‌ମାର ଆଦର କିଛି କମ୍ ନୁହେଁ । ଅଣଓଡ଼ିଆ ଲୋକ ମଧ୍ୟ ଏହି ଡାଲ୍‌ମା ଭୋଜନ କରି ଏହାର ପ୍ରସଂଶା କରିବାର ଦେଖାଯାଏ । ପୁରୀ ସଂସ୍କୃତିରେ ଡାଲେମା ବା ଡାଲ୍‌ମା ଏକ ସାତ୍ୱିକ ସୁସ୍ୱାଦୁ ବ୍ୟଞ୍ଜନ । ଶ୍ରୀମନ୍ଦିରରେ ଅନ୍ନ ମହାପ୍ରସାଦ ସହିତ ଯେଉଁ କେତେ ପ୍ରକାରର ଡାଲି ପ୍ରସ୍ତୁତ ହୁଏ ସେଥିରେ ଡାଲ୍‌ମା ଅନ୍ୟତମ ।ଏହି ଡାଲ୍‌ମା ଶ୍ରୀମନ୍ଦିରରେ ସାଧାରଣତଃ ଦୁଇ ପ୍ରକାରର ହୋଇଥାଏ । ୧. ସାଧା ଡାଲମା, ୨. ମସଲା ଡାଲମା ।

ସାଧା ଡାଲ୍‌ମାରେ ଶିମ୍ବ, ମୂଳା, ପଣସ ବା ପୋଟଳ ଭଳି ସୀମିତ ସଂଖ୍ୟକ ପରିବା ବ୍ୟବହାର ହେଉଥିବା ବେଳେ ମସଲା ଡାଲ୍‌ମାରେ ଏହା ସହିତ ଦେଶୀଆଳୁ କଦଳୀ, କାଙ୍କଡ଼ ପ୍ରଭୃତି ମିଶିଥାଏ । ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ହେଉଥିବା ପ୍ରସାଦର ସ୍ୱାଦ ନିଆରା, କାରଣ ମାଟିହାଣ୍ଡି, କାଠଚୁଲି ଓ କୂଅ ପାଣିର ବ୍ୟବହାରରେ ପ୍ରସ୍ତୁତ ବ୍ୟଞ୍ଜନ ସର୍ବଦା ସୁସ୍ୱାଦୁ ହୋଇଥାଏ । ଏହି ଡାଲ୍‌ମା ପ୍ରସ୍ତୁତି ବେଳେ ପାଣିର ପରିମାଣ କମାଇ ଏହାକୁ ମଣ୍ଡ ଭଳି ମୋଟା କରି ପ୍ରସ୍ତୁତ କଲେ ଏହା ବାଡିଆ ଡାଲ୍‌ମା ଭାବେ ପରିଚିତ ହୁଏ । ଶ୍ରୀମନ୍ଦିରରୁ ବାହାରି ଏହି ଡାଲ୍‌ମା ପୁରୀରେ ରହିଥିବା ବିଭିନ୍ନ ଯେଗା ଘର, ଆଖଡ଼ା ଓ ଅନ୍ୟ ମନ୍ଦିରମାନଙ୍କରେ ଭୋଜିଭାତରେ ଏହାର ଆଦୃତି କିଛି କମ୍ ନୁହେଁ । ଶ୍ରୀମନ୍ଦିର ବାହାରେ ଡାଲ୍‌ମା ପ୍ରସ୍ତୁତିରେ ଆଳୁ , ଅମୃତ ଭଣ୍ଡା ଆଦି ବ୍ୟବହାର କରାଯାଏ ।

ରନ୍ଧନ ପ୍ରକ୍ରିୟାରେ ଡାଲ୍‌ମାର ମାନ କମିଗଲେ ଅର୍ଥାତ୍ ଅଧିକ ପାଣିଆ ହେଇଗଲେ ସେ ପାଚକଙ୍କୁ ସ୍ୱୀକୃତି ମିଳେ ନାହିଁ । କଥାରେ ଅଛି ଡାଲ୍‌ମା ଏମିତି ହେଇଥିବ ହାତରେ ମେଞ୍ଚେ ଧରି କାନ୍ଥକୁ ଛାଟି ଦେଲେ ସେମିତି ଲାଖି ରହିଥିବ କେବେ କାନ୍ଥରୁ ଖସିବ ନାହିଁ । ଆଜି ଜାଣିବା ବାଡ଼ିଆ ଡାଲ୍‌ମାର ପ୍ରସ୍ତୁତି ପ୍ରଣାଳୀ ।

ବାଡ଼ିଆ ଡାଲ୍‌ମା :-

ଆବଶ୍ୟକୀୟ ଦ୍ରବ୍ୟ: – ବଡ଼ ଫାଳ ହରଡ଼ ଡାଲି ୫୦୦ ଗ୍ରା.ମ, ପରିବା – ଦେଶୀ ଆଳୁ, କଦଳୀ, ପୋଟଳ, ପଣସ, ସିମ୍ବ, ମୂଳା, କାଙ୍କଡ଼, ହଳଦୀଗୁଣ୍ଡ, ଲୁଣ, ଜିରା, ଶୁଖିଲା ଲଙ୍କା, ଅଦା, ତେଜପତ୍ର, ନଡ଼ିଆ, ବଡ଼ ନାଡ଼ି, ହେଙ୍ଗୁ, ଭଲ ଘିଅ, ଫୁଟଣ ।

ପ୍ରସ୍ତୁତି ପ୍ରଣାଳୀ: -ପ୍ରଥମେ ଏକ ପାତ୍ରରେ ପାଣି ଗରମ କରନ୍ତୁ । ସେଥିରେ ହଳଦୀ ଗୁଣ୍ଡ ପକାନ୍ତୁ । ପାଣି ତାତିଗଲେ , ସେଥିରେ ଡାଲିକୁ ଧୋଇ ପକାଇ ଦିଅନ୍ତୁ । ଡାଲି ଫୁଟି ଆସିଲେ ସେଥିରେ କଟା ହୋଇଥିବା ପରିବା ସବୁକୁ ପକାନ୍ତୁ । ଦୁଇଟି ତେଜପତ୍ର ଓ ଆବଶ୍ୟକ ପରିମାଣରେ ଲୁଣ ପକାନ୍ତୁ । ପରିବା ଡାଲି ସିଝି ଆସିଲେ ସେଥିରେ ଅଦା ଛେଚା ପକାନ୍ତୁ । ନଡ଼ିଆକୁ କୋରି ଡାଲମାରେ ପକାଇ ଦିଅନ୍ତୁ । ଜିରାଲଙ୍କା ଭାଜି ଗୁଣ୍ଡ କରି ପକାଇ ଦିଅନ୍ତୁ । ତା’ ପରେ ନାଡ଼ିକୁ ଟିକେ ଘିଅରେ ଭାଜି ପକାଇ ଦିଅନ୍ତୁ । ଏହି ନାଡ଼ି ଡାଲ୍‌ମାକୁ ବହଳ କରିବାରେ ସାହାଯ୍ୟ କରିଥାଏ । ଏବେ ଡାଲ୍‌ମା ଟିକେ ଫୁଟି ଆସିଲେ ଅନ୍ୟ ଏକ କରେଇ ଚୁଲିରେ ବସାଇ ଭଲ ଘିଅ ଗରମ କରି ସେଥିର ଫୁଟଣ, ଶୁଖିଲା ଲଙ୍କା, ହେଙ୍ଗୁ ପକାଇ ଦିଅନ୍ତୁ । ଫୁଟଣ ଭଲ କରି ଫୁଟି ଆସିଲେ ସେଥିରେ ଡାଲିକୁ ଢାଳି ଦିଅନ୍ତୁ । ଡାଲି ବହଳ ହେଇ ଆସିଲେ କାଢି ଦିଅନ୍ତୁ । ଏବେ ପରିଷିବା ପାଇଁ ପ୍ରସ୍ତୁତ ହୋଇଗଲା ବାଡ଼ିଆ ଡାଲମା । ନିଜେ ଖାଆନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ଖାଇବାକୁ ଦିଅନ୍ତୁ ।

Leave A Reply

Your email address will not be published.