ନୂଆଦିଲ୍ଲୀ: ଦିଲ୍ଲୀରେ ସରକାରକୁ ଆସିବା ପରେ ଏବେ ଆକ୍ସନ ମୋଡରେ ରହିଛି ବିଜେପି । ଆସୁ ଆସୁ, ଦିଲ୍ଲୀ ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଉପରେ କାମ ଆରମ୍ଭ କରିଦେଇଛି । ଶପଥ ଗ୍ରହଣ ପରେ ପରେ ପ୍ରଥମ କ୍ୟାବିନେଟ ବୈଠକରେ ଦିଲ୍ଲୀରେ ଆୟୁଷ୍ମାନ ଯୋଜନା ଲାଗୁ କରିଛନ୍ତି । ଯମୁନା ନଦୀର ସଫେଇ କାର୍ଯ୍ୟ ମଧ୍ୟ ଜୋରସୋରରେ ଆରମ୍ଭ ହୋଇଗଲାଣି ।
ହେଲେ ଏଥିରେ କିନ୍ତୁ ସନ୍ତୁଷ୍ଟ ନାହିଁ ପୂର୍ବତନ ଶାସକ ଆପ୍ । ଦିଲ୍ଲୀର ନୂଆ ବିଜେପି ସରକାର ମହିଳାଙ୍କୁ ଆସୁ ଆସୁ ଧୋକା ଦେଲାଣି ବୋଲି କହି ବିଜେପିକୁ ପ୍ରଥମ ଦିନରେ ହିଁ ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କାଲକାଜୀ ବିଧାୟିକା ଆତିଶୀ ମରଲେନା । ଏହାକୁ ନେଇ ପ୍ରେସ ମିଟ୍ କରି ଆତିଶୀ କହିଛନ୍ତି, ନିର୍ବାଚନ ପୂର୍ବରୁ, ପ୍ରଧାନମନ୍ତ୍ରୀ ମୋଦି ଏବଂ ସମସ୍ତ ବିଜେପି ନେତାମାନେ ପ୍ରତିଶ୍ରୁତି ଦେଇଥିଲେ ଯେ, ପ୍ରଥମ କ୍ୟାବିନେଟ ବୈଠକରେ ସେମାନେ ଦିଲ୍ଲୀର ପ୍ରତ୍ୟେକ ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଦେବା ପାଇଁ ଏକ ଯୋଜନା ପାରିତ କରାଇବେ । ହେଲେ ଆଜି, ପ୍ରଥମ କ୍ୟାବିନେଟ ବୈଠକରେ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଏମିତି କରି ବିଜେପି ମହିଳା ଭୋଟରଙ୍କୂ ଦେିଥିବା ପ୍ରତିଶ୍ରୁତି ଭାଙ୍ଗିଛି ବୋଲି କହିଛନ୍ତି ଆତିଶୀ ।
ଯାହାର କଡା ଜବାବ ରଖିଛନ୍ତି ନୂଆ କରି ଦିଲ୍ଲୀର ଶାସନ ଭାର ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ରେଖା କହିଛନ୍ତି, ବିଜେପି ସରକାର ତାର ପ୍ରତିଶ୍ରୁତି ପୂରଣ କରୁଥିବା ଦେଖି ଆପ୍ ଇତସ୍ତତଃ ହୋଇଯାଇଛି । ଆମେ ପ୍ରଥମ ଦିନରେ ଦିଲ୍ଲୀବାସୀଙ୍କୁ ୧୦ ଲକ୍ଷ ଟଙ୍କାର ଲାଭ ଦେଲୁ । ସେମାନଙ୍କର (ଆପ) ଆମକୁ ପ୍ରଶ୍ନ କରିବାର କୌଣସି ଅଧିକାର ନାହିଁ । ଆମେ ଏବେ ଦିଲ୍ଲୀ ବିଷୟରେ ଚିନ୍ତା କରିବୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦିଲ୍ଲୀ ତା’ର ଅଧିକାର ପାଇବ । ସେମାନେ ନିଜ ଦଳର ଯତ୍ନ ନେବା ଉଚିତ ବୋଲି ଆପକୁ ଟାର୍ଗେଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଏଥିସହିତ ଉଭୟ କଂଗ୍ରେସ ଏବଂ ଆପକୁ ନିଶାନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, କଂଗ୍ରେସ ୧୫ ବର୍ଷ ଏବଂ ଆପ୍ ୧୩ ବର୍ଷ ଧରି ଶାସନ କଲା । ସେମାନେ କ’ଣ କରିଛନ୍ତି ତାହା ଦେଖିବା ପରିବର୍ତ୍ତେ… ସେମାନେ ଆମର ଗୋଟିଏ ଦିନରେ କିପରି ପ୍ରଶ୍ନ ଉଠାଇପାରିବେ? ବୋଲି ସେ ପ୍ରଶ୍ନ କରିଛନ୍ତି । ଶପଥ ନେବା ପରେ ପ୍ରଥମ ଦିନରେ ଆମର କ୍ୟାବିନେଟ୍ ବୈଠକ ହୋଇଥିଲା ଏବଂ ଆମେ ଆପ ଦ୍ୱାରା ଅବରୋଧ କରାଯାଇଥିବା ଆୟୁଷ୍ମାନ ଭାରତ ଯୋଜନାକୁ ମଞ୍ଜୁରୀ ଦେଇଛୁ ବୋଲି କଡି ଆପକୁ କଡା କାଉଣ୍ଟର କରିଛନ୍ତି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ।
Comments are closed.