Latest Odisha News

BREAKING NEWS

କାହିଁକି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ଗଲେନି ନୀତିଶ ?

ନୂଆଦିଲ୍ଲୀ: ବିଜେପି ଖୁସିରେ କାହିଁକି ସାମିଲ ହେଲେନି ନୀତିଶ? ଦିଲ୍ଲୀରେ ଦୀର୍ଘ ୨୭ବର୍ଷ ପରେ କ୍ଷମତାକୁ ଫେରିଲା ବିଜେପି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଏନଡିଏ ମେଣ୍ଟର ବହୁ ନେତା ଦିଲ୍ଲୀ ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେ । ତେବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କାର୍ଯ୍ୟକ୍ରମରେ ଯୋଗ ନଦେବାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ବଢିଛି । ଆଉ କିଛି ମାସ ପରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ସବୁଠୁ ବଡ଼ ପ୍ରଶ୍ନ, ନୀତିଶଙ୍କ ମନରେ କଣ ଅଛି? ସାଥୀ ବଦଳାଇବାରେ ରେକର୍ଡ କରିଥିବା ନୀତିଶ କୁମାର ଏଥର ପୁଣି ବିଜେପିକୁ ଦେବେ କି ଚକମା? ମହାରାଷ୍ଟ୍ର ନିର୍ବାଚନ ପରେ ଅମିତ ଶାହାଙ୍କ ବୟାନକୁ ନେଇ ନୀତିଶ ଅସନ୍ତୁଷ୍ଟ ଥିବା କୁହାଯାଉଥିବା ବେଳେ, ଦିଲ୍ଲୀ ଶପଥ ଗ୍ରହଣ ସମାରୋହରେ ସାମିଲ ନହେବା ସସପେନ୍ସକୁ ଆହୁରି ବଢାଇଛି ।

ଆରଜେଡି ସହ ହାତ ମିଳାଇବେ ନୀତିଶ !

ଦିଲ୍ଲୀ ଶପଥ ଗ୍ରହଣ ସମାରୋହରେ ନୀତିଶ ଯୋଗ ନଦେବା ପରେ ଆରଜେଡି ବିଧାୟକ ଭାଇ ବୀରେନ୍ଦ୍ରଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ନୀତିଶ ଖୁବ୍ ଶୀଘ୍ର ଏନଡିଏରୁ ଅଲଗା ହୋଇ ଶୀଘ୍ର ଆରଜେଡି ସହ ହାତ ମିଳାଇବେ ବୋଲି ସେ ଦାବି କରିଛନ୍ତି । ନୀତିଶ ଆରଜେଡି ସହ ଆସିବେ, ତେଣୁ କାହିଁକି ବିଜେପି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି । ବିହାରରେ ଏନଡିଏର ନେତୃତ୍ବ ନେଇ ଅମିତ ଶାହାଙ୍କ ବୟାନ ପରେ ନୀତିଶ କୁମାରଙ୍କ ମନରେ ଅସନ୍ତୋଷ ରହିଥିବା କୁହାଯାଉଛି । ଏହାପରଠୁ ନୀତିଶ ସାଥୀ ବଦଳାଇ ପାରନ୍ତି ବୋଲି ଲଗାତର ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ଦିଲ୍ଲୀ ସମାରୋହରେ ଯୋଗ ନଦେବା ଚର୍ଚ୍ଚାକୁ ଆହୁରି ବଢାଇଛି । ଗୁରୁବାର ଶପଥ ଗ୍ରହଣ ସମାରୋହ ହୋଇଥିବା ବେଳେ ସେଦିନ ନୀତିଶ ପ୍ରଗତି ଯାତ୍ରାରେ ନାଳନ୍ଦା ଜିଲ୍ଲା ଗସ୍ତରେ ଯାଇଥିଲେ । ତାଙ୍କ ପ୍ରତିନିଧି ଭାବେ ସମାରୋହରେ କେନ୍ଦ୍ରମନ୍ତ୍ରୀ ଲଲନ ସିଂ ଓ ସଞ୍ଜୟ ଝା ଯୋଗ ଦେଇଥିଲେ ।

ଲାଲୁଙ୍କ ହଁ ତେଜସ୍ବୀଙ୍କ ନା

ନୂଆ ବର୍ଷ ଅବସରରେ ଏକ ସାକ୍ଷାତକାରରେ ଆରଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବଙ୍କ ବୟାନକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା । ନୀତିଶଙ୍କୁ କ୍ଷମା କରି ପୁଣି ସାଥୀରେ ନେବାକୁ କହିଥିଲେ ଲାଲୁ । ଏହାପରେ ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ନୂଆ ସମୀକରଣ ନେଇ ଚର୍ଚ୍ଚା ହୋଇଥିଲା । ତେବେ ଆରଜେଡିର ନେତୃତ୍ବ ନେଉଥିବା ତେଜସ୍ବୀ ଯାଦବ ନୀତିଶଙ୍କୁ ସାଥୀରେ ନନେବା ନେଇ ଅନେକ ସମୟରେ କହିଛନ୍ତି । ସେହିପରି ନିଜେ ନୀତିଶ କୁମାର ବି ଅନେକ ଥର ଏନଡିଏରେ ରହିବେ ଓ କେବେବି କଂଗ୍ରେସ, ଆରଜେଡି ସହ ଯିବେନି ବୋଲି କହିଛନ୍ତି । ଏହାପରେ ବି ବିହାର ରାଜନୀତିରେ ନୂଆ ସମୀକରଣ ସମ୍ଭାବନାକୁ ଏଡାଇ ଦେଇହେବନି।

ଚିରାଗ ପାଶଓ୍ବାନ, ମାଞ୍ଝି ବି ଗଲେନି

କେବଳ ନୀତିଶ କୁମାର ନୁହନ୍ତି ଏନଡିଏର ଅନ୍ୟତମ ସହଯୋଗୀ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶଓ୍ବାନ ଓ ଜିତନ ରାମ ମାଞ୍ଝୀ ମଧ୍ୟ ଦିଲ୍ଲୀ ଶପଥ ଗ୍ରହଣ ସମାରୋହରେ ସାମିଲ ହୋଇନଥିଲେ । ଗତ ଦିଲ୍ଲୀ ନିର୍ବାଚନରେ ଜେଡିୟୁ ଓ ଏଲଜେପିକୁ ବୁରାରୀ ଓ ଦେଓଲି ସିଟ୍ ଦେଇଥିଲା ବିଜେପି । ଉଭୟ ସିଟରେ ଏନଡିଏ ପ୍ରାର୍ଥୀ ହାରିଛନ୍ତି । ସେହିପରି ମାଞ୍ଝିଙ୍କ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚାକୁ ଗୋଟିଏ ବି ସିଟ୍ ମିଳିନଥିଲା । ନୀତିଶ କୁମାରଙ୍କ ଜେଡିୟୁ, ଏଲଜେପି ଓ ହାମ୍ ବିହାରରେ ଏନଡିଏର ମେଣ୍ଟ ସହଯୋଗୀ । ତେବେ ମେଣ୍ଟ ସହଯୋଗୀ ଦିଲ୍ଲୀ ସମାରୋହରେ ଯୋଗ ନଦେବା ପରେ ବିହାରରେ ମେଣ୍ଟ ସମୀକରଣକୁ ନେଇ ବଡ ସସପେନ୍ସ ସୃଷ୍ଟି ହୋଇଛି । ଆଉ କେତେ ମାସ ପରେ ବିହାର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ମେଣ୍ଟ ସହଯୋଗୀଙ୍କ ଆଚରଣ ଏନଡିଏ ପାଇଁ ଚିନ୍ତାର ବିଷୟ ହୋଇପାରେ ।

Comments are closed.