ସାଂପ୍ରତିକ ସମୟରେ ଗାନ୍ଧୀଦର୍ଶନ ବିଚାରର ପ୍ରାସଂଗିକତା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ସାଂପ୍ରତିକ ସମୟ ଏକ ତ୍ରିବିଧ ଚରିତ୍ରାତ୍ମକ କାଳଖଣ୍ଡ । ନୈତିକ ଚରିତ୍ର, ରାଜନୈତିକ ଚରିତ୍ର ଓ ଅର୍ଥନୈତିକ ଚରିତ୍ର ଦୃଷ୍ଟିରୁ ସାଂପ୍ରତିକ ସମୟ ଏକପ୍ରକାର ଶୂନ୍ୟକାଳର ସଂଶୟ । ଏହି ସମୟରେ ଗାନ୍ଧୀଦର୍ଶନର ବିଚାରଣା ଅନେକଙ୍କ ପାଇଁ ଇଷ୍ଟସୁମରଣା ପରି ଶୁଭଙ୍କର ନିଶ୍ଚୟ । ନୈତିକ-ରାଜନୈତିକ-ଅର୍ଥନୈତିକ – ଏହି ତ୍ରୟୀଚେତନାର ସମନ୍ୱୟ ହେଉଛି ଗାନ୍ଧୀଦର୍ଶନ । ଏବେ ଦେଖାଯାଉଛି ଯେ ଏହିପରି ଏକ ବ୍ୟାପକ ମାନବିକ
ଦର୍ଶନର ମହାପ୍ରବାହକୁ ‘ଗାନ୍ଧୀବାଦ’ କହି ନ୍ୟସ୍ତସ୍ୱାର୍ଥ ରାଜନୈତିକ ମତଲବୀମାନେ ଗୋଟିଏ କୁହୁଡିର କୁଣ୍ଡଳୀ ସୃଷ୍ଟି କରିଦେଇ ଦେଶବାସୀଙ୍କୁ ଭୁଆଁ ବୁଲାଇଆସୁଛନ୍ତି । ଗାନ୍ଧୀବାଦକୁ ଗାନ୍ଧୀଟୋପିରୁ ଖଦି ଖଦଡ ପର୍ଯ୍ୟନ୍ତ ଲମ୍ବାଇଦେଇ ସେମାନେ ପ୍ରକୃତରେ ଛୋଟ କରିଦେଇଛନ୍ତି ଗାନ୍ଧୀଦର୍ଶନର ବିଚାର ଓ ମୂଲ୍ୟବୋଧକୁ । ନହେଲେ ଖୋଦ୍ ଗାନ୍ଧୀ ବି କେବେ ଗାନ୍ଧୀବାଦୀ ନଥିଲେ – ‘ମୁଁ ଯାହା କହୁଛି କର, ଯାହା କରୁଛି କରନାହିଁ’ ଭଳି ପ୍ରସିଦ୍ଧ ବାକ୍ୟରୁ ଏହା ପ୍ରତିପାଦିତ । ଗାନ୍ଧୀ ସତ୍ୟବାଦୀ ଥିଲେ, ମାତ୍ର ଆଜିର ଗାନ୍ଧୀବାଦୀମାନେ କ’ଣ ଗୋଟିଏ ଗୋଟିଏ ପ୍ରକାଣ୍ଡ ମିଥ୍ୟାଚାରୀ ନୁହନ୍ତି ? ଗାନ୍ଧୀ ତ
କହୁଥିଲେ – ‘ମୋ ଡାଏରି ସମସ୍ତଙ୍କ ପାଇଁ ଖୋଲା’, ହେଲେ ଏବର ଗାନ୍ଧୀବାଦୀମାନଙ୍କ କବାଟଗୁଡାକ ଖାଲି କାହିଁକି ଝରକାଗୁଡାକ ବି ବିଲ୍‌କୁଲ୍ ବନ୍ଦ – ଦୁଃସ୍ଥଦୁର୍ଗତ ଦଳିତ ବର୍ଗ ପାଇଁ । ବରଂ ଜାତି ଉଦ୍ଦେଶ୍ୟରେ ଗାନ୍ଧୀ ଏଇ ସୁବିଧାଭୋଗୀ ଗାନ୍ଧୀବାଦୀମାନଙ୍କ ହାତରେ ଗୋଟାଏ ସୁନ୍ଦର ଭୀଷଣର ଚିଠା ପାଲଟି ସାରିଛନ୍ତି କେବଠୁ ।

ଆମେ ସାଂପ୍ରତିକ ସମୟର ନୈତିକ ବିଚ୍ୟୁତି, ରାଜନୈତିକ ବିଭ୍ରାନ୍ତି ଓ ଅର୍ଥନୈତିକ ବିପର୍ଯ୍ୟୟ କଥା ଭାବିବସିଲେ ଗାନ୍ଧୀଦର୍ଶନର ବିଚାରଧାରା ଆମ ପାଇଁ ତାର ପ୍ରାସଙ୍ଗିକତା ପ୍ରତିପାଦନ କରୁଛି ନିଶ୍ଚୟ । ଗାନ୍ଧୀଙ୍କ ନୈତିକ ତତ୍ୱର କେନ୍ଦ୍ରବିନ୍ଦୁରେ ଧର୍ମ ନୁହେଁ, ଈଶ୍ୱର ହିଁ ଅସଲ ଅସ୍ତିତ୍ୱ, ଯେଉଁ ଈଶ୍ୱର ‘ସମସ୍ତଙ୍କୁ ସମ୍ମତି’ ଦେବାର ବିଶ୍ୱାସ ବାଂଟିଯାଇଛନ୍ତି ସେ । ଆଜି ଧର୍ମକୁ ନେଇ ହଣାକଟାବେଳେ ଗାନ୍ଧୀଙ୍କର ସେ ‘ଈଶ୍ୱର’ କେଉଁଠି ? ସେ ଆଉ ନୂଆଖାଲିରେ ନାହାନ୍ତି କି ନୂଆଦିଲ୍ଲୀରେ ନାହାନ୍ତି – ସେ ଅଛନ୍ତି ଆଦିବାସୀପଲ୍ଲୀରେ, ନହେଲେ ଗରିବର ଗଡଜାତରେ । ସେ ଈଶ୍ୱରଙ୍କୁ ଆମେ ଆମ
ଜଳ ଜମି ଜଙ୍ଗଲରୁ ହଟାଇଦେଇ ପଠାଇଦେଇଛୁ ଅପହଂଚ ଅପନ୍ତରାକୁ । ‘ସମସ୍ତଙ୍କୁ ସମ୍ମତି’ ମିଳିବାର ଆଶା ତେଣୁ ଅଧୁରା । ଗାନ୍ଧୀଙ୍କ ଈଶ୍ୱର ମଣିଷର ଈଶ୍ୱର, ଧର୍ମଗୁରୁମାନଙ୍କ ଇତର କିଙ୍କର ନୁହନ୍ତି – ଏ କଥା କ’ଣ ଆଉ ଅଛପା ? ଗାନ୍ଧୀବାଦୀମାନେ ଯଦି ଗାନ୍ଧୀଙ୍କ ‘ଈଶ୍ୱର’ଙ୍କୁ ବି ଅଳ୍ପଟିକିଏ ବୁଝିଥାନ୍ତେ, ତାହେଲେ ଗରିବଙ୍କ ତଂଟିଚିପା ପଇସାରେ କୁବେର ହୋଇସାରିଥିବା ଥୋକେ ଦେଶଦ୍ରୋହୀଙ୍କ କଳାଧନର ଫର୍ଦ୍ଦ ଫିଟାଇବାକୁ କ’ଣ ଆଜି
ପର୍ଯ୍ୟନ୍ତ ପଛାଉଥାନ୍ତେ ? କଳାଧନର ଭାରତରେ ସଫେଦ୍ କେବଳ ଝୁଟ୍ – ସବୁ ହରିଳୁଟ୍ – ଗାନ୍ଧୀବାଦୀଏ ଖଦି ପିନ୍ଧି ନୀରବଦର୍ଶକ !

ମନେପଡେ, ଦେଶ ବିଭାଜନ ପାଇଁ ମୋଟେ ମଙ୍ଗୁନଥିବା ଗାନ୍ଧୀ ପରିସ୍ଥିତିର ଚାପରେ ମାନିନେବାକୁ ବାଧ୍ୟ ହେଲେ ଦ୍ୱିଖଣ୍ଡିତ ଭାରତବର୍ଷର ରାଜନୈତିକ ରାଜିନାମାକୁ । ମାତ୍ର ମନେପକାନ୍ତୁ ପାକିସ୍ତାନ ପରି ନୂତନ ରାଷ୍ଟ୍ର ତଥା ନବଜାତକ ଦେଶ ପାଇଁ ସେ ଭାରତର ରାଜକୋଷରୁ ବିପୁଳ ବିତ ଯୋଗାଇଦୋବକୁ କିପରି ଅଡିବସିଲେ, ଯାହା ଉଗ୍ରପନ୍ଥୀ ହିନ୍ଦୁମାନଙ୍କୁୁ କ୍ରୁଦ୍ଧ ଓ କ୍ଷୁବ୍ଧ କରାଇଥିଲା ଶେଷକୁ, ଯାହାର ଏକପ୍ରକାର ଘୋର ଦୁର୍ଭାଗ୍ୟଜନକ ପରିଣାମ ବି ଥିଲା ଗଡ୍‌ସେର ଗୁଳି ! ମାତ୍ର ଗାନ୍ଧୀ ଥିଲେ ବିଶ୍ୱାସ, ବିବେକ ଓ ବିଚାରର ମୂର୍ତ ବିଗ୍ରହ । ରାଜନୀତି ହେଉ କି ଅର୍ଥନୀତି –
ସବୁ କ୍ଷେତ୍ରରେ ନୈତିକତା ହିଁ ତାଙ୍କ ପାଇଁ ଥିଲା ମୂଳଭିତି । ସାଂପ୍ରତିକ ସମୟର ନୈତିକ ଅଧଃପତନ କ୍ଷେତ୍ରରେ ଗାନ୍ଧୀଙ୍କୁ ଇଷ୍ଟ ପରି ସୁମରଣା
କରିବାର ସମୟ ପୁଣି ପହଂଚିଛି । ଏ ନୈତିକ ଭିତିକୁ ସୁଦୃଢ ନକଲେ ଭାରତବର୍ଷର ରାଜନୀତି ଓ ଅର୍ଥନୀତିର ଭବିଷ୍ୟତ କେବଳ ବିତଶାଳୀ ପୁଞ୍ଜିପତି ଶ୍ରେଣୀ ଦ୍ୱାରା ସଂପୂର୍ଣ୍ଣମାତ୍ରାରେ କବଳିତ ହେବାକୁ ଆଉ ଡେରି ନାହିଁ ବେଶୀ । ବିଶ୍ୱାସ କରିବାର କଥା ଯେ ଏ ରାଜନୈତିକ ଦଳଶାଳୀ ଓ ଅର୍ଥନୈତିକ ବଳଶାଳୀ ଚରିତ୍ରମାନଙ୍କ ଦ୍ୱାରା ଦେଶର ଖଡା ବି ଖଣ୍ଡେ ସିଝିବାର ନାହିଁ ! ଏ କ୍ଷେତ୍ରରେ ଦେଶର ଗରିବମାନେ ଗାନ୍ଧୀଙ୍କ ମନ୍ତ୍ର ମନେପକାନ୍ତୁ, କିନ୍ତୁ ଗାନ୍ଧୀବାଦୀ ମଣିମା ମନ୍ତ୍ରୀମାନଙ୍କୁ ଭୁଳିଯାଆନ୍ତୁ ପୂରା । ଗାନ୍ଧୀ ଆଦିବାସୀବର୍ଗର ଅନ୍ଧାରୀ ମୁଲକରେ ସେତେ ପ୍ରଭାବଶାଳୀ ହୋଇପାରିନାହାନ୍ତି ନିଜ
ଜୀବଦ୍ଦଶାରେ, ମାତ୍ର ହିନ୍ଦୁସମାଜ ଯେଉଁମାନଙ୍କୁ ଯବନ ଓ ଜାତିଚ୍ୟୁତ ଦୃଷ୍ଟିରେ ଅଛୁଆଁ କରିରଖିଥିଲା, ସେମାନଙ୍କୁ ସେ ହୃଦୟଭରା ସ୍ନେହମମତା ଦେଇ କହୁଥିଲେ ‘ହରିଜନ’ । ଅଥଚ ଗାନ୍ଧୀବାଦୀମାନଙ୍କ ଅଭିଶପ୍ତ ଭାରତବର୍ଷରେ ‘ହରିଜନ’ ହୋଇସାରିଛି ଗୋଟାଏ ଆପତିଜନକ ଉଚ୍ଚାରଣ – ଗୋଟାଏ ନିର୍ଘାତ ଗାଳିର ଗଂଜଣା ! ଯଦି ଏପରି ବିଡମ୍ବନା ଘଟିସାରିଛି, ତାହେଲେ ଗାନ୍ଧୀବାଦୀମାନେ ଗାନ୍ଧୀଙ୍କୁ ନେଇ କେଉଁଠି ଥୋଇସାରିଛନ୍ତି, ବିଚାରିବା କଥା ।

ଏବେ ସାଂପ୍ରତିକ ସମୟରେ ସାରାପୃଥିବୀରେ ରାଜନୈତିକ ଅସ୍ଥିରତାର ଅଥୟପର୍ବ । ଭାରତର ବହୁଦଳୀୟ ରାଜନୈତିକ ବ୍ୟବସ୍ଥାର ବ୍ୟୂହରେ ନିରୀହ ନିରସ୍ତ୍ର ନାଗରିକ ସମାଜ ରୁଦ୍ଧଶ୍ୱାସ । ଏହା ଜରୁରୀ, ନ ହେଲେ ନାଗରିକ ସମାଜର ପ୍ରଶାସନିକ ନାଗବନ୍ଧୁରୁ ନିସ୍ତାର ନାହିଁ । ରାଜନୈତିକ ବିପ୍ଲବକୁ ଶୃଙ୍ଖଳା ଓ ସଂଯମ ମଧ୍ୟରେ ଆବାହନ କରିବାର ଦର୍ଶନ ହିଁ ପ୍ରକୃତ ଗାନ୍ଧୀଦର୍ଶନ । ଏହି ଦର୍ଶନର ବିଚାରଧାରା ପୁଣି ପରୀକ୍ଷିତ ହେବାର ପ୍ରତୀକ୍ଷାରେ ।
ବର୍ତମାନର ଭାରତର ଅର୍ଥନୈତିକ କ୍ଷେତ୍ରକୁ ଅକ୍ତିୟାର କରିନେଇଛନ୍ତି ଦେଶୀବିଦେଶୀ ପୁଞ୍ଜିପତିବର୍ଗ । ଏହା କାଏମ୍ ରହିଲେ ମାମୁଲିମଣିଷର ମଙ୍ଗଳ ଏକ ସୁଦୂରପରାହତ ସ୍ୱପ୍ନ ହୋଇ ରହିଯିବା ଛଡା ଗତ୍ୟନ୍ତର ନାହିଁ । ଗାନ୍ଧୀଦର୍ଶନ ସାଧାରଣ ମଣିଷର ମଙ୍ଗଳ ପାଇଁ ଅଭିପ୍ରେତ ଦରଦୀ ମୂଲ୍ୟବୋଧର ଦର୍ଶନ ।

ଗ୍ରାମଭାରତକୁ ନିଜ କଳ୍ପରାଷ୍ଟ୍ର ‘ରାମରାଜ୍ୟ’ର ଭିତି କହୁଥିଲେ ଗାନ୍ଧୀ । ଆଜି ଶାସକ ଓ ଶିଳ୍ପପତିମାନେ ଗ୍ରାମଭାରତକୁ ଶିକାର କରି କୃଷିଜୀବୀବର୍ଗକୁ
ଆତ୍ମହତ୍ୟାପ୍ରବଣ ଜନଗୋଷ୍ଠୀରେ ପରିଣତ କରିବାକୁ ଯାଉଛନ୍ତି । ଜମି ଯାଉଛି, ଜଙ୍ଗଲ ଯାଉଛି, ପ୍ରଗତି ନାଆଁରେ ଶିଳ୍ପସାମ୍ରାଜ୍ୟ ପ୍ରଦୂଷିତ କରିଚାଲିଛି ପରିବେଶ । ବିସ୍ଥାପିତ ସମସ୍ୟା ଏକ ନବ୍ୟ ସାମାଜିକ ସଂକଟର ରୂପ ନେଲାଣି । ‘ଗାଆଁକୁ ଫେରିଚାଲ’ – ଏ ଗାନ୍ଧୀବିଚାରକୁ ଆଉଥରେ ଦୋହରାଇବାକୁ ପଡିବ । ସାଂପ୍ରତିକ ସମୟରେ ଏହି ଦୃଷ୍ଟିରୁ ଗାନ୍ଧୀଦର୍ଶନ ଆହୁରି ବହୁତ କଥାକୁ କାର୍ଯ୍ୟକାରୀ କରିବାର ଆହ୍ୱାନ ଦେବ ।

ଯାଜପୁର ରୋଡ, ଯାଜପୁର ମୋ : ୯୮୬୧୦୩୪୧୬୯