ଦିବସର ତାତ୍ପର୍ଯ୍ୟ ଓ ଆମେ

ଗଲା ସପ୍ତାହରେ ପୁଅର କିଛି ଜିନିଷ କିଣାକିଣି କରିବାକୁ ପୁଅକୁ ସାଙ୍ଗରେ ନେଇ ମଲକୁ ଯାଇଥିଲି। ଆମେ ମାଆ-ପୁଅ ଜିନିଷ କିଣି ଦୋକାନରୁ ବାହାରିଲାବେଳେ ହଠାତ୍ ଦେଖିଲୁ କିଛି ବ୍ୟବଧାନରେ ୭/୮ଜଣ ଲୋକ ଘେରି ଯାଇଛନ୍ତି ଜଣେ ଭଦ୍ର ମହିଳାଙ୍କୁ। ଆଉ ତା’ଭିତରେ ଦୁଇଜଣ ବ୍ୟକ୍ତି ତଳେ ପଡ଼ିଥିବା ସମ୍ପୃକ୍ତ ମହିଳାଙ୍କୁ ଉଠାଇବାକୁ ପ୍ରୟାସ କରୁଛନ୍ତି। ତା’ପରେ ଭଦ୍ର ମହିଳାଜଣକ ଠିଆ ହୋଇଗଲେ। କିନ୍ତୁ ତାଙ୍କର ଶାଢ଼ୀଟି ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ପାଖକୁ ମୁଁ ଏବଂ ଆଉଜଣେ ମହିଳା ଯାଇ ତାଙ୍କର ଶାଢ଼ୀଟିକୁ ଠିକ୍ କରିଦେଲୁ ଏବଂ ତଳେ ପଡ଼ିଥିବା ଭ୍ୟାନିଟି ବ୍ୟାଗଟିକୁ ବଢ଼େଇଦେଲୁ। ଟିକିଏ ପ୍ରକୃତିସ୍ଥ ହେଲାପରେ ସେ ଧନ୍ୟବାଦ ଦେଇ ଚାଲିଚାଲି ଆଗକୁ ଗଲେ।

ଏଠାରେ ଏହି କଥାକୁ ଉଲ୍ଲେଖ କରିବାର କାରଣ ହେଉଛି ଯେ, ଯେଉଁ ଲୋକମାନେ ତାଙ୍କୁ ଘେରି ସାହାଯ୍ୟ ପାଇଁ ଆସିଥିଲେ ସେମାନଙ୍କ ମଧ୍ୟରୁ କିଛିଜଣ ଜୋରରେ ମନ୍ତବ୍ୟ ଦେଉଥିଲେ ଯେ, କ’ଣ ଏମିତି ଦରକାର ମଲ୍ ବୁଲିବା, ଏମିତି କ’ଣ ଏତେ ଜରୁରୀ ଯେ ସପିଙ୍ଗ୍ କରିବା ପାଇଁ ଆସିବା ନିହାତି ଦରକାର। ଏମିତି ଏକଲା କ’ଣ ପାଇଁ ଆସନ୍ତି ଏମାନେ। ଏଠି ଏମାନେ କହିବାର ଅର୍ଥ ଥିଲା ଭିନ୍ନ। ଅର୍ଥାତ୍ ମହିଳାଜଣକ ଭିନ୍ନକ୍ଷମ ଥିଲେ। ଆଉ ଗୋଟିଏ ବାଡ଼ି ସହାୟତାରେ ସେ ଚାଲୁଥିଲେ। ଶୁଣିକରି ଯେତିକି ଦୁଃଖ ଲାଗିଲା, ସେତିକି ଆଶ୍ଚର୍ଯ୍ୟ ମଧ୍ୟ ଲାଗିଲା। ଆମ ଲୋକ କେତେ ତଳକୁ ଚାଲିଯାଉଛନ୍ତି, ସାହାଯ୍ୟ କରିବାକୁ ହାତ ବଢ଼େଇଲାପରେ ମଧ୍ୟ ତାତ୍ସଲ୍ୟ କରିବାକୁ ପଛାଉନାହାନ୍ତି। ଏମାନଙ୍କର ମାନସିକତା ଯେ କେତେ ତଳକୁ ଖସିଯାଉଛି, ଆମେ ଏପ୍ରକାରର ମନ୍ତବ୍ୟରୁ ଠଉରେଇ ପାରିବା। ଦୁଇଦିନ ତଳେ ଅର୍ଥାତ୍ ଡିସେମ୍ବର ୩ତାରିଖ ଦିନ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ସମଗ୍ର ବିଶ୍ୱ ପାଳନ କରିଥିଲା। ଦିବସ ଆମେ ପାଳନ କରୁଛେ ସତ କିନ୍ତୁ ମନରେ ପ୍ରଶ୍ନ ଉଠୁଛି, ଆମେ କ’ଣ ଏହି ଦିବସର ପ୍ରକୃତ ଅର୍ଥକୁ ବୁଝିପାରୁଛେ । ଯଦି ବୁଝିପାରୁଥାନ୍ତେ ତା’ହେଲେ ଏଠି ସଚେତନତା ଭିତରେ ନିଜର ମାନବିକତାକୁ ଜମାବି ଭୁଲିପାରନ୍ତେ ନାହିଁ। ଭାରି ଦୁଃଖ ଦେଇଥିଲା ସେଦିନର ଘଟଣା। କ’ଣ ସେ ଭଦ୍ରମହିଳାଜଣଙ୍କ ଭିନ୍ନକ୍ଷମ ବୋଲି ମାର୍କେଟ୍ ଯାଇପାରିବେ ନାହିଁ। ସପିଙ୍ଗ୍ କରିପାରିବେ ନାହିଁ। ସେ କ’ଣ ନିଜର ସଉକ୍ ପାଇଁ ଅନ୍ୟ ସାଧାରଣ ମହିଳାମାନଙ୍କ ଭଳି ଜୀବନ ବିତେଇ ପାରିବେ ନାହିଁ। ଏମିତି ଅନେକ ଗୁଡ଼ିଏ କଥା ଆମ ପରି ସେମାନଙ୍କ ମନରେ ଏତେ ସଚେତନତା ସତ୍ତ୍ୱେ ମଧ୍ୟ ସୃଷ୍ଟି ହୋଇଥାଏ ।

ଭିନ୍ନକ୍ଷମ ହୋଇଗଲେ ଜଣେ ଯେ ସାରା ଜୀବନ ଅନ୍ୟର ସହାନୁଭୂତିରେ ବଂଚିବ ଏକଥା ଭାବିବା ସମ୍ପୂର୍ଣ୍ଣ ଭୁଲ୍। ଭିନ୍ନକ୍ଷମ କେତେ ଯେ ପ୍ରତିଭାର ଅଧିକାରୀ, ଆମେ ଏକଥାର ବହୁତ ଉଦାହରଣ ସମାଜରେ ଦେଖିଛେ। କିନ୍ତୁ ଏବେ ସମୟ ଆସିଛି ଆମମାନଙ୍କ ମାନସିକତାରେ ପରିବର୍ତ୍ତନ। ସବୁପ୍ରକାର ସୁବିଧା, ସୁଯୋଗକୁ ଉପଭୋଗ କରୁଥିବା ସକ୍ଷମ ବ୍ୟକ୍ତି ଭାବେ ଆମର ମାନସିକତାରେ ନିହାତି ପରିବର୍ତ୍ତନ ଦରକାର। ଆମ ସମସ୍ତଙ୍କର ଦାୟିତ୍ୱ ହେଉଛି ଭିନ୍ନକ୍ଷମମାନେ କେଉଁଭଳି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ। ସମାନତାର ଅଧିକାର ପାଇପାରିବେ ଓ ସଶକ୍ତିକରଣର ମାଇଲଖୁଣ୍ଟ ହୋଇପାରିବେ। ଯଦି ସରକାର ସେମାନଙ୍କୁ ଏତେ ପ୍ରୋତ୍ସାହନ ଦେଉଛନ୍ତି ତା’ହେଲେ ଆମେ କ’ଣ ଟିକେ ନିଜର ଚିନ୍ତାଧାରାରେ ପରିବର୍ତ୍ତନ ଆଣିପାରିବା ନାହିଁ?

୧୯୯୨ ମସିହାରୁ ପ୍ରତିବର୍ଷ ଡିସେମ୍ବର ୩ ତାରିଖକୁ ଭିନ୍ନକ୍ଷମ ଦିବସ ରୂପେ ଭିନ୍ନଭିନ୍ନ ପ୍ରସଙ୍ଗକୁ ନେଇ ପାଳନ କରାଯାଏ। ଏବର୍ଷ ବା ୨୦୨୦ ମସିହାର ପ୍ରସଙ୍ଗ ହେଉଛି “କୋଭିଡ୍ -୧୯ ପରବର୍ତ୍ତୀ ପରିସ୍ଥିତିରେ ଭିନ୍ନକ୍ଷମବ୍ୟକ୍ତିମାନଙ୍କର ନିମନ୍ତେ ଅନ୍ତର୍ଭୁକ୍ତୀକରଣ, ସୁଲଭ ଓ ସତତଃ ବିକାଶ ପାଇଁ ଏକ ଉତ୍ତମ ସମାଜର ଗଠନ”। ୨୦୨୦ର ଏହି ପ୍ରସଙ୍ଗ ପରେ ପୁଣି ୨୦୨୧ରେ ନୂଆ ପ୍ରସଙ୍ଗ ଆସିବ। ଯଦି ଆମେ ୨୦୨୦ର ପ୍ରସଙ୍ଗକୁ ବୁଝିପାରିବା ତା’ହେଲେ ଭିନ୍ନକ୍ଷମମାନଙ୍କ ପାଇଁ ଗୋଟିଏ ସୁନ୍ଦର ସୁସ୍ଥ ପରିବେଶ ଗଢ଼ି ଉଠିବ। ଆମ ସମସ୍ତଙ୍କର ଦାୟିତ୍ୱବୋଧ ରହିଛି। ଭିନ୍ନକ୍ଷମଙ୍କୁ ସମବେଦନା ନଜଣେଇ ସମ୍ମାନ ଦେବା ହିଁ ହେବ ଏବର୍ଷ ପ୍ରସଙ୍ଗର ମୁଖ୍ୟ ଉଦ୍ଦେଶ୍ୟ ଓ ସାର୍ଥକତା। ଯଦି ସମସ୍ତେ ଯତ୍ନବାନ ହେବା ତା’ହେଲେ ପ୍ରସଙ୍ଗ ଓ ଦିବସର ତାତ୍ପର୍ଯ୍ୟକୁ ବେଶ୍ ଭଲରେ ବୁଝିପାରିବା, ସେମାନଙ୍କ ପାଇଁ ପ୍ରତିବନ୍ଧକ ନଥିବା ସମାଜ ଗଠନ ମଧ୍ୟ ସମ୍ଭବପର ହୋଇପାରିବ। ଅବଶ୍ୟ ସମାଜ ପାଇଁ ଏବେ ଏହା ଏକ ‘ବଡ଼ ଆହ୍ୱାନ’।

(ମୋ)-୯୯୩୭୭୩୪୪୬୧