ନୂଆଦିଲ୍ଲୀ: ଆଇପିଏଲ ୨୦୨୬ର ପ୍ଲେ ଅଫରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର, ଗୁଜରାଟ ଟାଇଟାନ୍ସ, ସନରାଇଜର୍ସ ହାଇଦ୍ରାବାଦ ଓ ରାଜସ୍ଥାନ ରୟାଲ୍ସ ପ୍ରବେଶ କରିଛନ୍ତି । ପ୍ଲେ ଅଫରେ ପ୍ରବେଶ କରିଥିବା ସମସ୍ତ ଟିମକୁ ନେଇ ଅଦ୍ଭୁତ ସଂଯୋଗ ସମ୍ମୁଖକୁ ଆସିଛି । ସମସ୍ତ ୪ଟି ଯାକ ଟିମ ଥରେ ଲେଖାଏଁ ଆଇପିଏଲ ଟାଇଟଲ ହାସଲ କରିଛନ୍ତି । ଏଥର ଯେଉଁ ଟିମ ବିଜୟ ହାସଲ କରିବ ତାର ଟ୍ରଫି ସଂଖ୍ୟା ୨ରେ ପଂହଚିବ । କିଙ୍ଗସ ଏକାଦଶ ପଞ୍ଜାବ ଆରମ୍ଭରୁ ଭଲ ଖେଳିଥିଲେ ମଧ୍ୟ ଶେଷ ଭାଗରେ ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ଲେ ଅଫକୁ ଉନ୍ନୀତ ହୋଇପାରିନି ।
୨୦୨୫ରେ ଆରସିବି, ୨୦୨୨ରେ ଗୁଜରାଟ, ୨୦୧୬ରେ ହାଇଦ୍ରାବାଦ ଓ ୨୦୦୮ ଉଦଘାଟନୀ ସଂସ୍କରଣରେ ରାଜସ୍ଥାନ ଟାଇଟଲ ଜିିତିଥିଲା । ଆରସିବି ନିକଟରେ ଚେନ୍ନାଇ ସୁପର କିଙ୍ଗସ ଓ ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡ ସହ ସମକକ୍ଷ ହେବା ସୁଯୋଗ ଉପନୀତ ହୋଇଛି । ୨୦୧୦ ଓ ୨୦୧୧ରେ ଚେନ୍ନାଇ ଏବଂ ୨୦୧୯ ଓ ୨୦୨୦ରେ ମୁମ୍ବାଇ କ୍ରମାଗତ ଟାଇଟଲ ହାସଲ କରିଥିଲେ । ଆରସିବି ୨୦୨୫ରେ ପ୍ରଥମ ଟାଇଟଲ ହାସଲ କରିଥିଲା । ଏଥର କ୍ରମାଗତ ଚାମ୍ପିୟନ ହେବା ସୁଯୋଗ ଉପନୀତ ହୋଇଛି । ୫ ଥର ଲେଖାଏଁ ଟାଇଟଲ ହାସଲ କରିଥିବା ଚେନ୍ନାଇ ଓ ମୁମ୍ବାଇ ଟିମ ଏଥର ପ୍ଲେ ଅଫରେ ପ୍ରବେଶ କରିବାରେ ବିଫଳ ହୋଇଛନ୍ତି ।