Latest Odisha News

BREAKING NEWS

ରିଲାଏନ୍ସ ଜିଓର ନୂଆ ଅଫର: ୩୯୯ ଟଙ୍କା ରିଚାର୍ଜ କଲେ ୧୨ ମାସ ପାଇଁ କାନଭା ପ୍ରୋ ସମ୍ପୂର୍ଣ୍ଣ ମାଗଣା

ମୁମ୍ବାଇ: ରିଲାଏନ୍ସ ଜିଓ ନିଜର ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ନୂତନ ଡିଜିଟାଲ୍ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଆଉ ଏକ ଆକର୍ଷଣୀୟ ଅଫର ଘୋଷଣା କରିଛି । ବର୍ତ୍ତମାନ ଯୁଗରେ ଗ୍ରାଫିକ୍ସ ଡିଜାଇନିଂ ଏବଂ ସୋସିଆଲ୍ ମିଡିଆ କଣ୍ଟେଣ୍ଟ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବା ବେଳେ, ଜିଓ ଏବେ ଲୋକପ୍ରିୟ ଡିଜାଇନ୍ ପ୍ଲାଟଫର୍ମ ‘କାନଭା’ ସହ ହାତ ମିଳାଇଛି । ଏହି ନୂଆ ଚୁକ୍ତି ଅନୁଯାୟୀ, ଜିଓର କେତେକ ବଛାବଛା ପ୍ରିପେଡ୍ ପ୍ଲାନ୍ ରିଚାର୍ଜ କଲେ ଗ୍ରାହକଙ୍କୁ ୧୨ ମାସ ପାଇଁ କାନଭା ପ୍ରୋ ଏବଂ କାନଭା ପ୍ରୋ ଲାଇଟର ସବସ୍କ୍ରିପସନ୍ ସମ୍ପୂର୍ଣ୍ଣ ମାଗଣାରେ ମିଳିପାରିବ । ଏହି ପ୍ରିମିୟମ୍ ସୁବିଧାର ବଜାର ମୂଲ୍ୟ ପ୍ରାୟ ୪୦୦୦ ଟଙ୍କା ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ନୂତନ ଅଫର ଅନୁଯାୟୀ, ଯେଉଁ ଗ୍ରାହକମାନେ ୩୯୯ ଟଙ୍କାର ଜିଓ ପ୍ରିପେଡ୍ ପ୍ଲାନ୍ ରିଚାର୍ଜ କରିବେ, ସେମାନେ ଆଗାମୀ ୧ ବର୍ଷ ପାଇଁ ବିନା ମୂଲ୍ୟରେ କାନଭା ପ୍ରୋ ବ୍ୟବହାର କରିବାର ସୁଯୋଗ ପାଇବେ । ସେହିପରି, ୩୪୯ ଟଙ୍କିଆ ପ୍ଲାନ୍ କିମ୍ବା ଦୈନିକ ୨ ଜିବି ଡାଟା ପ୍ରଦାନ କରୁଥିବା ୩୪୯ ଟଙ୍କାରୁ ଊର୍ଦ୍ଧ୍ୱ ଯେକୌଣସି ପ୍ଲାନ୍ ରିଚାର୍ଜ କଲେ ଗ୍ରାହକଙ୍କୁ ‘କାନଭା ପ୍ରୋ ଲାଇଟ୍’ ମିଳିବ । କାନଭା ପ୍ରୋ ମାଧ୍ୟମରେ ଲକ୍ଷ ଲକ୍ଷ ପ୍ରିମିୟମ୍ ଫଟୋ, ଗ୍ରାଫିକ୍ସ, ଟେମ୍ପଲେଟ୍, ବ୍ୟାକଗ୍ରାଉଣ୍ଡ ରିମୁଭର ଭଳି ଟୁଲ୍ସ ଏବଂ ଅତ୍ୟାଧୁନିକ ଏଆଇ ଫିଚର୍ ବ୍ୟବହାର କରିହେବ । ଏହାଦ୍ୱାରା ଛାତ୍ରଛାତ୍ରୀ, ଡିଜିଟାଲ୍ କଣ୍ଟେଣ୍ଟ କ୍ରିଏଟର୍, ୟୁଟ୍ୟୁବର୍ ଏବଂ ଛୋଟ ବ୍ୟବସାୟୀମାନେ ନିଜର ପ୍ରୋଜେକ୍ଟ ପାଇଁ ଉଚ୍ଚମାନର ଡିଜାଇନ୍ ପ୍ରସ୍ତୁତ କରିବାରେ ବେଶ୍ ସହାୟତା ପାଇବେ ।

ଏହି ସ୍ୱତନ୍ତ୍ର ଅଫରର ଲାଭ ଉଠାଇବା ମଧ୍ୟ ଅତି ସହଜ । ଆଗ୍ରହୀ ଗ୍ରାହକମାନେ ନିର୍ଦ୍ଦିଷ୍ଟ ପ୍ଲାନ୍ ରିଚାର୍ଜ କରିବା ପରେ ସେମାନଙ୍କର ସ୍ମାର୍ଟଫୋନରେ ଥିବା ‘ମାଇଁ ଜିଓ’ ଆପ୍ ଖୋଲି ଏହି ଅଫର କ୍ଲେମ୍ କରିପାରିବେ । ଆପ୍‌ର ଅଫର ବିଭାଗରେ ଯାଇ କାନଭା ଲିଙ୍କ୍ ଉପରେ କ୍ଲିକ୍ କରିବା ମାତ୍ରେ ସବସ୍କ୍ରିପସନ୍ ଆକ୍ଟିଭେଟ୍ ହୋଇଯିବ । କମ୍ପାନୀ ସ୍ପଷ୍ଟ କରିଛି ଯେ, ଏଥିପାଇଁ କୌଣସି ପ୍ରକାରର ଗୁପ୍ତ ଦେୟ ବା ହିଡେନ୍ ଚାର୍ଜ ଲାଗୁ କରାଯିବ ନାହିଁ ।

ଟେଲିକମ୍ ବଜାରରେ ଏବେ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିଥିବା ବେଳେ ଏୟାରଟେଲ୍ ମଧ୍ୟ ଏହାର ଗ୍ରାହକଙ୍କୁ ଆଡୋବି ଏବଂ ଗୁଗଲ୍ ଏଆଇ ଭଳି ସୁବିଧା ଦେଉଛି । ଏପରି ପରିସ୍ଥିତିରେ ଜିଓ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପୂର୍ବରୁ କେବଳ ଓଟିଟି ପ୍ଲାଟଫର୍ମର ସବସ୍କ୍ରିପସନ୍ ମାଗଣାରେ ଦେଉଥିବା ଜିଓ ଏବେ ଡିଜାଇନିଂ କ୍ଷେତ୍ରକୁ ଧ୍ୟାନ ଦେବା ଗ୍ରାହକଙ୍କୁ ନିଶ୍ଚିତ ଭାବେ ଲାଭବାନ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.