Latest Odisha News

BREAKING NEWS

ଦେଶରେ ସିଏସଆର୍‌ରେ ସର୍ବାଧିକ ଖର୍ଚ୍ଚ କରିବା ସହ ଶୀର୍ଷରେ ରିଲାଏନ୍ସ

ନୂଆଦିଲ୍ଲୀ : ମୁକେଶ ଅମ୍ବାନିଙ୍କ ନେତୃତ୍ବାଧୀନ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ୨୦୨୦-୨୧ ଆର୍ଥିକ ବର୍ଷରେ କର୍ପୋରେଟ ସୋସିଆଲ ରେସପନସିବିଲିଟି କ୍ଷେତ୍ରରେ ଦେଶରେ ସର୍ବାଧିକ ଖର୍ଚ୍ଚ କରିଥିବା କମ୍ପାନୀର ମାନ୍ୟତା ଲାଭ କରିଛି । କରୋନା ମହାମାରୀ ସମୟରେ ୨୦୨୦-୨୧ ଆର୍ଥିକ ବର୍ଷରେ କମ୍ପାନୀ ସମାଜସେବା କ୍ଷେତ୍ରରେ ୯୨୨ କୋଟି ଟଙ୍କା ଖର୍ଚ୍ଚ କରିଛି । ଭାରତୀୟ କମ୍ପାନୀଗୁଡିକ ଦ୍ବାରା ସିଏସଆର୍ ବାବଦରେ ମୋଟ ୮୮୨୮.୧୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସଂସଦରେ ଉପସ୍ଥାପନ କରାଯାଇଥିବା ତଥ୍ୟରୁ ଜଣାଯାଇଛି ।

ଏଥିରେ କୁହାଯାଇଛି ଯେ, କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ କ୍ଷେତ୍ରରେ ସର୍ବାଧିକ ଖର୍ଚ୍ଚ କରିଥିବା ରିଲାଏନ୍ସ ପରେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଦୁଇ ଆଇଟି କମ୍ପାନୀ ଟିସିଏସ୍ ଏବଂ ୱିପ୍ରୋ ରହିଛନ୍ତି । ଟିସିଏସ୍ ୬୭୪ କୋଟି ଟଙ୍କା ସିଏସଆର୍ ବାବଦରେ ଖର୍ଚ୍ଚ କରି ଦ୍ବିତୀୟ ସ୍ଥାନ ଏବଂ ୱିପ୍ରୋ ୨୪୬ କୋଟି ଟଙ୍କା ଖର୍ଚ୍ଚ କରି ତୃତୀୟ ସ୍ଥାନରେ ରହିଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତୀୟ କର୍ପୋରେଟ ଜଗତ ଦ୍ବାରା ସିଏସଆର୍ କ୍ଷେତ୍ରରେ କରାଯାଇଥିବା ମୋଟ ଖର୍ଚ୍ଚର ୧୦ ପ୍ରତିଶତ ରିଲାଏନ୍ସ ଏକାକି କରିଛି ।

ସୂଚନାଯୋଗ୍ୟ ଯେ, କମ୍ପାନୀ ଗୁଡିକ ନିମନ୍ତେ ବିଗତ ତିନି ବର୍ଷର ନେଟ୍ ଲାଭର ୨% ସିଏସଆର୍ ବାବଦରେ ଖର୍ଚ୍ଚ କରିବାକୁ ବାଧ୍ୟତାମୂଳକ କରାଯାଇଛି । କୋଭିଡ ମହାମାରୀ କାରଣରୁ ରିଲାଏନ୍ସ ଏହି ଧାର୍ଯ୍ୟ ୨ ପ୍ରତିଶତ ଠାରୁ ଯଥେଷ୍ଟ ଅଧିକ ଖର୍ଚ୍ଚ କରିଛି । ତେବେ ମୋଟ ଉପରେ ଭାରତୀୟ କର୍ପୋରେଟ ଜଗତ ପୂର୍ବ ବର୍ଷ ତୁଳନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ୬୪% କମ୍ ଖର୍ଚ୍ଚ କରିଥିବା ଜଣାଯାଇଛି ।

ଭାରତ ପାଇଁ ଯାହା ଭଲ, ତାହା ରିଲାଏନ୍ସ ପାଇଁ ଭଲ ନୀତିରେ ବିଶ୍ୱାସ ରଖୁଥିବା ଭାରତର ସର୍ବବୃହତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କୋଭିଡ ସମୟରେ ତାହାର ବାର୍ଷିକ ସିଏସଆର୍ ଖର୍ଚ୍ଚ ପରିମାଣ ବୃଦ୍ଧି କରିବା ସହିତ କୋଟି କୋଟି ଲୋକଙ୍କ ପାଇଁ ସହାୟକ ହୋଇଥିଲା । ରିଲାଏନ୍ସ ବିଭିନ୍ନ ପ୍ରୟାସ ପାଇଁ ବାଧ୍ୟତାମୂଳକ ୨ ପ୍ରତିଶତ ସିଏସଆର୍ ଖର୍ଚ୍ଚ ମଧ୍ୟରେ ସୀମିତ ନରହି ଏହାର ପ୍ରତିବଦ୍ଧତା ନିରନ୍ତର କାର୍ଯ୍ୟକାରୀ କରିଚାଲିଛି ।

୨୦୨୦ ମାର୍ଚ୍ଚରେ ସମଗ୍ର ଦେଶରେ କୋଭିଡ ଜନିତ ତାଲାବନ୍ଦ ଆରମ୍ଭ ହେବା ପୂର୍ବରୁ ରିଲାଏନ୍ସ ତ୍ବରିତ ପଦକ୍ଷେପ ଗ୍ରହଣ କରି ମୁମ୍ବାଇରେ ଦେଶର ପ୍ରଥମ କୋଭିଡ କେୟାର୍ ବ୍ୟବସ୍ଥା ସ୍ଥାପନ କରିଥିଲା । ପରେ ସମଗ୍ର ଦେଶକୁ ଏହି ସୁବିଧା ସହିତ ଅନ୍ୟାନ୍ୟ ସେବା ସମ୍ପ୍ରସାରିତ କରାଯାଇଥିଲା । ଦେଶର ବିଭିନ୍ନ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ମହାମାରୀ ମୁକାବିଲା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ରିଲାଏନ୍ସ ୫୬୧ କୋଟି ଟଙ୍କା ପ୍ରଦାନ କରିଥିଲା । କୋଭିଡର ଦ୍ୱିତୀୟ ଲହର ସମୟରେ ଗୁରୁତର ରୋଗୀଙ୍କ ସଂଖ୍ୟା ବୃଦ୍ଧି ଏବଂ ସେମାନଙ୍କ ପାଇଁ ମେଡିକାଲ ଗ୍ରେଡ୍ ଅମ୍ଳଜାନ ଅଭାବ ପରିସ୍ଥିତିକୁ ଦୃଷ୍ଟିରେ ରଖି ରିଲାଏନ୍ସ ତାହାର ଜାମନଗର ବିଶୋଧନାଗାରକୁ ମେଡିକାଲ ଗ୍ରେଡ୍ ଅକ୍ସିଜେନ ଉତ୍ପାଦନ ନିମନ୍ତେ ପୁନଃ ଅଭିପ୍ରେତ କରିଥିଲା ।

ଦୁଇ ସପ୍ତାହ ମଧ୍ୟରେ ଏହା ଦୈନିକ ୧୧୦୦ ମେଟ୍ରିକ ଟନ ମେଡିକାଲ ଗ୍ରେଡ୍ ଅମ୍ଳଜାନ ଉତ୍ପାଦନ କରି ବିଭିନ୍ନ ରାଜ୍ୟମାନଙ୍କୁ ମାଗଣାରେ ଯୋଗାଇ ଦେଇଥିଲା ଏବଂ ଏହାଦ୍ବାରା ଦୈନିକ ପ୍ରାୟ ୧ ଲକ୍ଷ ଲୋକଙ୍କର ଜୀବନ ରକ୍ଷାରେ ସହାୟକ ହୋଇଥିଲା । ଏହା ସହିତ ମୁମ୍ବଇରେ ୨୫୦ ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ ଚିକିତ୍ସା ସୁବିଧା ସ୍ଥାପନ କରିଥିଲା, ଯାହା ଦେଶରେ ପ୍ରଥମ ଥିଲା । ସମଗ୍ର ଦେଶରେ ଏହା ଏହିଭଳି ୨ ହଜାର ଶଯ୍ୟା କୋଭିଡ ରୋଗୀଙ୍କ ପାଇଁ ପ୍ରସ୍ତୁତ କରିଥିଲା । ଯେଉଁଥିରେ ମାଗଣାରେ ନିରବଚ୍ଛିନ୍ନ ମେଡିକାଲ ଅକ୍ସିଜେନ ଯୋଗାଣ ବ୍ୟବସ୍ଥା କରାଯାଇଥିଲା ।

କମ୍ପାନୀ ପକ୍ଷରୁ ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ଅନ୍ନ ସେବା ଅଭିଯାନ ହାତକୁ ନିଆଯାଇଥିଲା ଏବଂ ତାହା ଖୁବଶୀଘ୍ର ସମଗ୍ର ବିଶ୍ବରେ କୌଣସି କର୍ପୋରେଟ ଫାଉଣ୍ଡେସନ ଦ୍ବାରା ହାତକୁ ନିଆଯାଇଥିବା ସର୍ବବୃହତ ଭୋଜନ ବଣ୍ଟନ କାର୍ଯ୍ୟକ୍ରମରେ ପରିଣତ ହୋଇଥିଲା । ରିଲାଏନ୍ସ ଫାଉଣ୍ଡେସନ୍ ୨୧ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ସମ୍ମୁଖ ଭାଗ ଯୋଦ୍ଧା ଏବଂ ଜନସାଧାରଣଙ୍କୁ ମୋଟ ୧.୩ କୋଟି ମାସ୍କ ପ୍ରଦାନ ସହିତ କୋଭିଡ ସମ୍ପର୍କରେ ସଚେତନତା ସୃଷ୍ଟି କାର୍ଯ୍ୟକ୍ରମ ହାତକୁ ନେଇଥିଲା । ଏହାସହ କମ୍ପାନୀ ଆହୁରି ଅନେକ ବିକାଶମୂଳକ କାର୍ଯ୍ୟ ହାତକୁ ନେଇ ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡା ଭଳି ଅନେକ କ୍ଷେତ୍ରରେ ସହଯୋଗ କରିଆସୁଛି ।

Comments are closed.