Latest Odisha News

BREAKING NEWS

ମହଙ୍ଗା ରିଚାର୍ଜରୁ ମୁକ୍ତି: ନିଜ ଇଚ୍ଛା ଅନୁଯାୟୀ କେବଳ କଲିଂ ପ୍ଲାନ୍ ବାଛିପାରିବେ ଗ୍ରାହକ

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଦେଶର କୋଟି କୋଟି ମୋବାଇଲ୍ ଗ୍ରାହକଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ଆଣିଛନ୍ତି। ଯେଉଁ ଗ୍ରାହକମାନେ କେବଳ ଫୋନ୍ କଲ୍ ଏବଂ ଏସଏମଏସ୍ ସେବାର ବ୍ୟବହାର କରୁଛନ୍ତି, ସେମାନଙ୍କୁ ଆଗାମୀ ଦିନରେ ଆଉ ମହଙ୍ଗା ରିଚାର୍ଜ କରିବାକୁ ପଡ଼ିବ ନାହିଁ ।

ବର୍ତ୍ତମାନ ସମୟରେ ରିଲାଏନ୍ସ ଜିଓ, ଏୟାରଟେଲ୍ ଏବଂ ଭୋଡାଫୋନ୍-ଆଇଡିଆ ଭଳି ଘରୋଇ ଟେଲିକମ୍ କମ୍ପାନୀଗୁଡ଼ିକ ଗ୍ରାହକମାନଙ୍କୁ ଯେଉଁ ରିଚାର୍ଜ ପ୍ଲାନ୍ ପ୍ରଦାନ କରୁଛନ୍ତି, ସେଥିରେ ଇଣ୍ଟରନେଟ୍ ଡାଟା, ଭଏସ୍ କଲିଂ ଏବଂ ଏସଏମଏସ୍‌କୁ ଏକାଠି ମିଶାଇ (ବଣ୍ଡଲ୍ ପ୍ଲାନ୍) ବିକ୍ରି କରାଯାଉଛି । ଏହାର ସିଧାସଳଖ ଅର୍ଥ ହେଉଛି, ଯଦି ଜଣେ ଗ୍ରାହକଙ୍କୁ କେବଳ କଥା ହେବା ପାଇଁ ବା ମେସେଜ୍ କରିବା ପାଇଁ ପ୍ଲାନ୍ ଦରକାର, ତଥାପି ତାଙ୍କୁ ବାଧ୍ୟତାମୂଳକ ଭାବେ ଅଦରକାରୀ ଇଣ୍ଟରନେଟ୍ ଡାଟା ପାଇଁ ମଧ୍ୟ ଅର୍ଥ ଦେବାକୁ ପଡୁଛି । ଏହି କାରଣରୁ ସବୁଠାରୁ ଶସ୍ତା ରିଚାର୍ଜ ପ୍ଲାନ୍‌ର ଦାମ୍ ମଧ୍ୟ ଢେର୍ ଅଧିକ ରହୁଛି । ଅଧିକାଂଶ ବୟସ୍କ ବ୍ୟକ୍ତି ଏବଂ ସାଧାରଣ ଫିଚର୍ ଫୋନ୍ ବ୍ୟବହାର କରୁଥିବା ଲୋକେ ଇଣ୍ଟରନେଟ୍ ବ୍ୟବହାର କରୁନଥିଲେ ସୁଦ୍ଧା ଅଯଥାରେ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି ।

ଗ୍ରାହକଙ୍କ ଏହି ଆର୍ଥିକ ଶୋଷଣକୁ ଦୃଷ୍ଟିରେ ରଖି ଟ୍ରାଇ ନୂଆ ଗାଇଡଲାଇନ୍ ବା ନିୟମ ଆଣିବାକୁ ଯାଉଛି । ଏହି ନୂଆ ନିୟମ ଅନୁଯାୟୀ, ଟେଲିକମ୍ କମ୍ପାନୀଗୁଡ଼ିକୁ ଏଣିକି କେବଳ ଭଏସ୍ କଲିଂ ଏବଂ ଏସଏମଏସ୍ ସୁବିଧା ଥିବା ସ୍ୱତନ୍ତ୍ର ତଥା ଶସ୍ତା ରିଚାର୍ଜ ପ୍ଲାନ୍ ଆଣିବାକୁ ପଡ଼ିବ । ଏହି ପ୍ଲାନ୍‌ଗୁଡ଼ିକରେ ଡାଟା ସୁବିଧା ରହିବ ନାହିଁ, ଫଳରେ ଏହାର ଦାମ୍ ଯଥେଷ୍ଟ କମ୍ ହେବ ।

ଗ୍ରାହକମାନେ ଏବେ ନିଜ ଆବଶ୍ୟକତା ଅନୁଯାୟୀ କେବଳ ଭଏସ୍ କଲ୍, କେବଳ ଏସଏମଏସ୍ କିମ୍ବା ଉଭୟର ସମ୍ମିଶ୍ରଣ ଥିବା ପ୍ଲାନ୍ ବାଛିପାରିବେ । ଯଦି କାହାକୁ ଇଣ୍ଟରନେଟ୍ ଦରକାର ଥାଏ, ସେମାନେ ନିଜ ସୁବିଧା ଅନୁସାରେ ଅଲଗା ଭାବେ ଡାଟା ଭାଉଚର୍ ରିଚାର୍ଜ କରିପାରିବେ ।

Leave A Reply

Your email address will not be published.