Latest Odisha News

BREAKING NEWS

ମାଁ ବୁଢ଼ୀ ଠାକୁରାଣୀ ମନ୍ଦିରର ହେବ ନବିକରଣ

ବ୍ରହ୍ମପୁର: ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟର ଗୋଟିଏ ପରେ ଗୋଟିଏ ପ୍ରସିଦ୍ଧ ମନ୍ଦିରର ନବିକରଣ କରାଯାଉଛି । ଏହା ଭିତରେ ମାଁ ତାରା ତାରିଣୀ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ବର୍ତ୍ତମାନ ନବିକରଣ ଅଭିଯାନରେ ସାମିଲ ହେବାକୁ ଯାଉଛି ବ୍ରହ୍ମପୁରର ପ୍ରସିଦ୍ଧ ତଥା ଆରାଧ୍ୟ ଦେବୀ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ସାମିଲ ହେବାକୁ ଯାଉଛି ।

ଏହାର ରୂପରେଖ ପ୍ରସ୍ତୁତି ଚାଲିଥିବା ବେଳେ ଖୁବ୍‌ ଶୀଘ୍ର ଏନେଇ ବଡ଼ ଘୋଷଣା ହେବା ନେଇ ସଙ୍କେତ ମିଳୁଛି ।

ବ୍ରହ୍ମପୁର ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରର ଉନ୍ନତିକରଣ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ଼ି, ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ ଏବଂ ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ସିଦ୍ଧେଶ୍ବର ବଳିରାମ ବୋନ୍ଦର ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ମନ୍ଦିରର ଉନ୍ନତିକରଣ ନେଇ ଆଲୋଚନା ହୋଇଥିଲା ।

ମାଁ ବୁଢ଼ୀ ଠାକୁରାଣୀ ବ୍ରହ୍ମପୁର ସହରବାସୀଙ୍କ ଭାବାବେଗ ସହ ଜଡ଼ିତ । ରାଜ୍ୟର ଅନ୍ୟ ସ୍ଥାନରେ ମନ୍ଦିରଗୁଡ଼ିକର ଉନ୍ନତିକରଣ ନେଇ ରାଜ୍ୟ ସରକାର ଘୋଷଣା କରିବା ପରେ ଏଥିରେ ମାଁ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରକୁ ସାମିଲ କରିବାକୁ ଦାବି ହେଉଥିଲା । ଏଣୁ ମନ୍ଦିରର ଉନ୍ନତିକରଣ ନେଇ ବୈଠକରେ ରୂପରେଖ ପ୍ରସ୍ତୁତ କରାଯାଇଥିଲା ।

ମନ୍ଦିର ଆଖାପାଖ ଅଞ୍ଚଳରୁ ଜବରଦଖଲ ଉଚ୍ଛେଦ, ଭକ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା ଏବଂ ପୀଠର କେତେକ ଉନ୍ନତିକରଣ ପ୍ରକଳ୍ପ ନେଇ ଆଲୋଚନା ହୋଇଥିଲା ।

ତେବେ ବୈଠକ ସଂପର୍କରେ ସାଂସଦ ସାହୁ କହିଥିଲେ ଯେ, ଏହା ହେଉଛି ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମନ୍ଦିର । ଯାତ୍ରାରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଲୋକମାନେ ଆସିଥାନ୍ତି । ଏଣୁ ମନ୍ଦିରର ବିକାଶ ସଂପର୍କରେ ଆଲୋଚନା ହୋଇଥିଲା । ସେବାୟତମାନେ ମଧ୍ୟ ଉପସ୍ଥିତ ଥିଲେ ।

ମନ୍ଦିର ଆଖପାଖରେ ଯେଉଁମାନେ ଜବରଦଖଲ କରିଛନ୍ତି, ସେମାନଙ୍କୁ ଥଇଥାନ କରାଯିବ । ଏକ ଭବ୍ୟ ମନ୍ଦିର ନିର୍ମାଣ ହେବ । ଓଡ଼ିଶାର ସଂସ୍କୃତି ଏବଂ ସ୍ଥାପତ୍ୟର ଝଲକ ଦେଖବାକୁ ମିଳିବ। ଏଥି ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।

ଆଗାମୀ ଦିନରେ ମନ୍ଦିରକୁ ପରିଦର୍ଶନରେ ଯିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯିବ। ସମସ୍ତଙ୍କ ଉଦ୍ୟମରେ ଉନ୍ନତିକରଣ ହାତକୁ ନିଆଯିବ ବୋଲି ସେ ପ୍ରକାଶ କରିଥିଲେ ।

ବିଧାୟକ ବିକ୍ରମ କୁମାର ପଣ୍ଡା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପ୍ରତିଷ୍ଠିତ ପୀଠର ପୁନଃରୁଦ୍ଧାର କରିଛନ୍ତି। କୋର୍ଟରେ ମାମଲା ବିଚାରଧୀନ ଥିବା ଯୋଗୁ ମନ୍ଦିରର ଉନ୍ନତିକରଣ ପାଇଁ ଆସିଥିବା ଟଙ୍କା ୨୦୧୮ ମସିହାରେ ଫେରିଯାଇଥିଲା । ମନ୍ଦିରର କ’ଣ ସବୁ ସମସ୍ୟା ରହିଛି, ସେନେଇ ଆଲୋଚନା ହୋଇଥିଲା ।

ଉନ୍ନତିକରଣ ପାଇଁ ଯୋଜନା ଏବଂ ବଜେଟ୍‌ ପ୍ରସ୍ତୁତ ହେବ ବୋଲି ସେ କହିଛନ୍ତି। ମେୟର ସଂଘମିତ୍ରା ଦଳେଇ କହିଥିଲେ ଯେ, ପ୍ରତି ବ୍ରହ୍ମପୁର ବାସିନ୍ଦାଙ୍କ ଇଷ୍ଟଦେବୀ ହେଉଛନ୍ତି ମାଁ ବୁଢ଼ୀ ଠାକୁରାଣୀ । ଏହି ମନ୍ଦିରର ଉନ୍ନତି ପାଇଁ ଆଗ୍ରହ ପ୍ରକାଶ କରାଯାଇଛି । ସେଥିପାଇଁ ସେବାୟତଙ୍କୁ ଡକାଯାଇଥିଲା । ତାଙ୍କ ଭିତରେ ଥିବା ବାଦ ବିବାଦ ଯେମିତି ମନ୍ଦିରର ଉନ୍ନତିକରଣରେ ବାଧା ସୃଷ୍ଟି ନହୁଏ, ସେନେଇ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇଛି।

ଗୋଟିଏ ସପ୍ତାହ ପରେ ମନ୍ଦିର ପରିଦର୍ଶନରେ ଯାଇ ରୂପରେଖ ପ୍ରସ୍ତୁତ କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.