Latest Odisha News

BREAKING NEWS

ବିଡିଏର ସାଧାରଣ ବୈଠକ: କ୍ରୀଡ଼ା, ଆବାସ, ବ୍ୟବସାୟ ଭିତ୍ତିଭୂମିକୁ ଗୁରୁତ୍ବ

ବ୍ରହ୍ମପୁର: ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ସାଧାରଣ ପରିଷଦ ବୈଠକ ସମ୍ମିଳନୀ କକ୍ଷରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ବ୍ରହ୍ମପୁର, ଗୋପାଳପୁର ଏବଂ ଛତ୍ରପୁରର ଅନେକ ବିକାଶମୂଳକ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଥିଲା ।

ବିଶେଷକରି କ୍ରୀଡ଼ା, ଆବାସ ଏବଂ ବ୍ୟବସାୟକ ଭିତ୍ତିଭୂମିକର ବିକାଶ ପାଇଁ ନୂତନ ପ୍ରକଳ୍ପଗୁଡ଼ିକୁ ଗୁରୁତ୍ବ ଦିଆଯାଇଥିଲା । ଯେଉଁ ପ୍ରକଳ୍ପଗୁଡ଼ିକର ବ୍ୟୟ ଅଟକଳ ୧୦ କୋଟି ଠାରୁ କମ୍‌, ସେଗୁଡ଼ିକର ନିର୍ମାଣ କାର୍ଯ୍ୟ ନିକଟ ଭବିଷ୍ୟତରେ ଆରମ୍ଭ ହୋଇଯିବ ବୋଲି ସୂଚନା ମିଳିଛି ।

ନୂତନ ପ୍ରକଳ୍ପ ଭିତରେ ରହିଛି ଆବାସୀକ, ଆପାର୍ଟମେଣ୍ଟ, ଇଣ୍ଡୋର ଷ୍ଟାଡିୟମ ଏବଂ ମାର୍କେଟ୍‌ କ​‌େ​‌ମ୍ପ୍ଳକ୍ସ।

ବିଡ଼ିଏ ଉପାଧ୍ୟକ୍ଷ ତଥା ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ସିଦ୍ଧେଶ୍ବର ବଳିରାମ ବୋନ୍ଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ବ୍ରହ୍ମପୁର ଉପଜିଲାପାଳ ୱି.କିର୍ତ୍ତି ଭାସନ, ବିଡ଼ିଏ ସଚିବ ସମ୍ବିତ ରାଉତ, ଛତ୍ରପୁର ବିଜ୍ଞପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ଏ. ଜାନକୀରାଓ, ବିଏମସି ନିର୍ବାହୀ ଯନ୍ତ୍ରୀ ତଥା ବିଡିଏ ଇଂଜିନିୟର ସଦସ୍ୟ ଇଂ. ବସନ୍ତ ପାଢୀଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ଥିଲେ ।

ବୈଠକରେ ମୋଟ ୧୦ଟି ନୂତନ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଥିଲା । ବ୍ରହ୍ମପୁର ଅର୍ଣ୍ଣପୂର୍ଣ୍ଣା ମାର୍କେଟ୍‌, ଅର୍ବାନ ବ୍ୟାଙ୍କ ରୋଡ ଏବଂ ଆଖପାଖ ଅଞ୍ଚଳରେ ପାର୍କିଂ ସମସ୍ୟା ଉତ୍କଟ ହେବାରେ ଲାଗିଛି । ଏହାର ସମାଧାନ ପାଇଁ ପୁରୁଣା ବସଷ୍ଟାଣ୍ଡ ନିକଟରେ ଏକ ମଲଟି ଲେଭଲ କାର ପାର୍କିଂ କରାଯିବ।

ପ୍ରାୟ ୧୦ କୋଟି ଟଙ୍କାରେ ଏହା ନିର୍ମାଣ ହେବାକୁ ଥିବା ବେଳେ ବିଏମ୍‌ସି ଏଥି ପାଇଁ ଜାଗା ପ୍ରଦାନ କରାଯିବ । ଏକା ସମୟରେ ଏଠାରେ ପ୍ରାୟ ୨ଶହ କାର୍‌ ପାର୍କିଂ ହୋଇପାରିବ ।

ନିକଟରେ ନନ୍ଦନକାନନ ଠାରେ ଏଭଳି ଏକ ବହୁତାଳ କାର୍‌ ପାର୍କିଂ କୋଠା ନିର୍ମାଣ ହୋଇଛି । ଅବକଳି ସେହି ଢ଼ାଞ୍ଚାରେ ନିର୍ମାଣ କରାଯିବ ।

ସେହିଭଳି ନୂଆବସଷ୍ଟାଣ୍ଡ ରାସ୍ତାରେ ବ୍ୟବସାୟିକ କୋଠା ନିର୍ମାଣ ହେବ । ଏହି କୋଠା ପାଇଁ ମଧ୍ୟ ପ୍ରାୟ ୧୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ । ମିଶନ୍‌ ଶକ୍ତି ମହିଳାଗୋଷ୍ଠୀଙ୍କୁ ଏଠାରେ ଷ୍ଟଲ୍‌ ପ୍ରଦାନକୁ ଗୁରୁତ୍ବ ଦିଆଯିବ । ଏହି ବିଲିଡିଂରେ ଅତ୍ୟାଧୁନିକ ରେଷ୍ଟୁରାଣ୍ଟ ରହିବ ।

ଆସିକା ରୋଡ଼ ପାଣ୍ଡିରିଗାଡ଼ିଆ ବଜାରର ଉନ୍ନତୀକରଣ କରାଯିବ। ଏଠାରେ ମଧ୍ୟ ୧୦ କୋଟି ଟଙ୍କା ବ୍ୟୟରେ ଏକ ନୂତନ ମାର୍କେଟ୍‌ କ​‌େ​‌ମ୍ପ୍ଳକ୍ସ ନିର୍ମାଣ କରାଯିବ ।

ଅଳକାପୁର ମୌଜା ଅନ୍ତର୍ଗତ ସିଟି ହାଇସ୍କୁଲ ପଡ଼ିଆଠାରେ ୧୦ କୋଟିରୁ ଅଧିକ ଟଙ୍କାରେ ଅତ୍ୟାଧୁନିକ ସ୍ପୋର୍ଟସ କ​‌େ​‌ମ୍ପ୍ଳକ୍ସ ବା ଇଣ୍ଡଡୋର ଷ୍ଟାଡିୟମ ନିର୍ମାଣ କରାଯିବ । ଖେଳାଳିଙ୍କ ପାଇଁ ଏଠାରେ ଅତ୍ୟାଧୁନିକ ସୁବିଧା ରହିବ । ବ୍ୟାଡ଼ମିଣ୍ଟନ୍‌, ବାସ୍କେଟ୍‌ବଲ ସହ ଅନ୍ୟାନ୍ୟ ଖେଳର ମଧ୍ୟ ସୁବିଧା କରାଯିବ ।

ଆମ୍ବପୁଆ ବିବେକ ବିହାରଠାରେ କମର୍ସିଆଲ ହାଉସିଂ ଡ଼େଭଲପ୍‌ମେଣ୍ଟ ବା ଆବାସିକ କ​‌େ​‌ମ୍ପ୍ଳକ୍ସ ନିର୍ମାଣ କରାଯିବ । ଅତ୍ୟାଧୁନିକ ଶୈଳୀରେ ଏହାର ନିର୍ମାଣ ହେବ । ଏଥି ପାଇଁ ପ୍ରାୟ ୮ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏଠାରେ ବିଭିନ୍ନ ବର୍ଗର ପ୍ରାୟ ୧୫ଶହ ଗୃହ ସହିତ ବ୍ୟବସାୟିକ ପ୍ରତିଷ୍ଠାନ ମଧ୍ୟ ରହିବ । ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଅନୁମତି ମିଳିଲେ ଏହି କାର୍ଯ୍ୟ ଆଗକୁ ନିଆଯିବ ବୋଲି ଉପାଧ୍ୟକ ବୋନ୍ଦର ପ୍ରକାଶ କରିଛନ୍ତି ।

ନିକଟରେ ଗୋପାଳପୁରଠାରେ ବିଜୁ ପଟ୍ଟନାୟକ ଦୁଃସାହାସିକ ପାର୍କ ଉଦ୍‌ଘାଟିତ ହୋଇଯାଇଛି । ପାଖରେ ଏକ ୱାଟର ପାର୍କ ନିର୍ମାଣ କରିବାକୁ ଆଲୋଚନା ହୋଇଥିଲା । ଗୋପାଳପୁର ଏନଏସି ଏଥି ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଥିବା ବେଳେ ବିଡିଏ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବ । ପର୍ଯ୍ୟଟକଙ୍କୁ ଗୋପାଳପୁର ଆଡ଼କୁ ଆକର୍ଷିତ କରିବାରେ ଏହା ସହାୟକ ହେବ ବୋଲି ଆଶା ରଖାଯାଇଛି ।

ଆମ୍ବପୁଆ ରକ ଗାର୍ଡ଼ନ୍ ଠାରେ ଥ୍ରିଡି ଦର୍ପଣ, ଖୋଲାସ୍ଥାନରେ ପାର୍କ ଓ ଜିମ୍‌, ଲାଞ୍ଜିପଲ୍ଲୀ ପାର୍କରେ ସୋଲାର୍‌ ଲାଇଟ୍‌, ନୂଆ ବନ୍ଧଠାରେ ଜେଟ୍‌ ବ୍ୟବସ୍ଥା, ବ୍ରହ୍ମପୁର ଠାରୁ ଗୋପାଳପୁର ରାସ୍ତାର ଆଲୋକିକରଣ, ଆମ୍ବପୁଆ ଏବଂ ସାଳିଆବନ୍ଧ ବ୍ୟାଡମିଣ୍ଟନ କୋର୍ଟ, ଖଲିକୋଟ ବିଶ୍ବବିଦ୍ୟାଳୟ ଏବଂ ମେଡ଼ିକାଲ ପଡ଼ିଆରେ ପାର୍କ ସହ ଅନ୍ୟ କେତେକ ପ୍ରକଳ୍ପ ସଂପର୍କରେ ଆଲୋଚନା କରାଯାଇଥିଲା ।

ପୂର୍ବରୁ ଚାଲିଥିବା ପ୍ରକଳ୍ପ ଯଥା ତାମ୍ପରା ହ୍ରଦର ଆଧୁନିକିକରଣ ଏବଂ ରକ ଗାର୍ଡନର ଅଗ୍ରଗତି ସଂପର୍କରେ ଉପାଧ୍ୟକ୍ଷ ବୋନ୍ଦର ସୂଚନା ରଖିଥିଲେ।

Leave A Reply

Your email address will not be published.