Latest Odisha News

BREAKING NEWS

ଭାରତରେ ବିକ୍ରୟ ହେଉଛି ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ନାଁରେ ଚା’ ପତି

ୟୁକ୍ରେନ୍ ରାଷ୍ଟ୍ରପତି ଭଲ୍‌ଡିମିର୍ ଜିଲେନ୍‌ସ୍କିଙ୍କୁ ସମ୍ମାନ ଜଣାଇଲା ଭାରତୀୟ ଚା’ କମ୍ପାନୀ

ଭୁବନେଶ୍ୱର: ୟୁକ୍ରେନ୍ ଓ ଋଷିଆର ମଧ୍ୟରେ ଯୁଦ୍ଧ ସମଗ୍ର ବିଶ୍ୱର ଧ୍ୟାନ ଆକର୍ଷଣ କରିଛି । ଆଖି ଆଗରେ ୟୁକ୍ରେନ୍‌କୁ ଧ୍ୱସ୍ତ କରିବାରେ ଲାଗିପଡିଛି ପୁତିନଙ୍କ ନୃଶଂସ ସେନା । ଏପରି ସ୍ଥିତିରେ ବି ୟୁକ୍ରେନ୍ ରାଷ୍ଟ୍ରପତି ଭଲ୍‌ଡିମିର୍ ଜିଲେନ୍‌ସ୍କି ବିଚଳିତ ନହୋଇ ନିଜ ଜନତାଙ୍କ ସହ ଠିଆ ହୋଇଛନ୍ତି । ଅନ୍ୟପଟେ ଭାରତର ଏକ ଚା’ କମ୍ପାନୀ ଅଭିନବ ଢଙ୍ଗରେ ଜିଲେନସ୍କିଙ୍କ ସାହସିକତାକୁ ସମ୍ମାନ ଜଣାଇଛି ।

ଆସାମର ଏକ ଷ୍ଟାର୍ଟଅପ୍ କମ୍ପାନୀ ନିଜର ଏକ ପ୍ରଡକ୍ଟକୁ ଜିଲେନସ୍କିଙ୍କ ନାଁରେ ନାମିତ କରିଛି । ଶୁଣି ବିଶ୍ୱାସ କରିବାକୁ ଅଜବ ଲାଗୁଥିଲେ ହେଁ, ଏକ ନୂଆ ବ୍ରାଣ୍ଡର ଚା’ ପତିରେ ଜିଲେନସ୍କିଙ୍କ ନାମ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଏହି ଚା’ କମ୍ପାନୀ ଫେବ୍ରୁଆରୀ ମାସ ଶେଷ ସପ୍ତାହରେ ଲଂଚ ହୋଇଥିଲା । ହେଲେ ଜିଲେନସ୍କିଙ୍କ ବ୍ରାଣ୍ଡରେ ଏହି ଚା’ ପ୍ୟାକେଟ୍ ଗତ ବୁଧବାର ମାର୍କେଟକୁ ଛଡାଯାଇଥିବା ନେଇ କମ୍ପାନୀର ନିର୍ଦ୍ଦେଶକ ରଂଜିତ ବାରୁଅ ପ୍ରକାଶ କରିଥିଲେ ।

ରଂଜିତ ଏପରି ବି କହିଥିଲେ ଯେ, “ଆମେରିକା ଜିଲେନସ୍କିଙ୍କୁ ନିଜ ଦେଶ ଛାଡି ପଳାୟନ କରିବାକୁ କହିଥିଲା । ହେଲେ ଜିଲେନସ୍କି କିନ୍ତୁ ପଳାୟନ କରିବା ପରିବର୍ତ୍ତେ ଯୁଦ୍ଧ କରିବାକୁ ହତିଆର ମାଗିଥିଲେ । ଏଥିରୁ ତାଙ୍କ ଦୃଢ ମାନସିକତା ସ୍ପଷ୍ଟ ଜଣାପଡେ । ଖାସ ତାଙ୍କ ସାହସିକତାକୁ ସମ୍ମାନ ଜଣାଇବାକୁ ଯାଇ ଆମେ ଚା’ ପତିରେ ତାଙ୍କ ନାମ ରଖିବାକୁ ନିଷ୍ପତ୍ତି ନେଇଥିଲୁ । ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଚା’ ସ୍ଥାନୀୟ ବଜାରରେ ଛଡାଯାଇଛି” ଆଗାମୀ ଦିନରେ ଅନଲାଇନରେ ମଧ୍ୟ ଏହି ଚା ଉପଲବ୍ଧ ହେବ ବୋଲି କମ୍ପାନୀ ତରଫରୁ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.