କେନ୍ଦ୍ରାପଡ଼ା: ତିନିମାସ ପରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା। ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ବିଶ୍ଵ ପ୍ରସିଦ୍ଧ ଭିତରକନିକା। କୁମ୍ଭୀର ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମଇ ୧ ରୁ ଜୁଲାଇ ୩୧ ତାରିଖ ଦୀର୍ଘ ୩ ମାସ ଧରି ଭିତରକନିକା ବନ୍ଦ ରହିଥିଲା। ଏହି ସମୟରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରକନିକାରେ ପ୍ରବେଶ ଉପରେ କଟକଣା ଥାଏ। ଆଜି ଠାରୁ ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନକୁ ଖୋଲାଯାଇଛି। ଏଥିପାଇଁ ବନବିଭାଗ ପକ୍ଷରୁ ସମସ୍ତ ପ୍ରସୁତି ଶେଷ ହୋଇଛି।
ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିବାକୁ ହେଲେ ପରିଚୟପତ୍ରକୁ ବାଧ୍ୟତା ମୂଳକ କରାଯାଇଛି। ପର୍ଯ୍ୟଟକମାନେ ଗୁପ୍ତି, ଖୋଳା ଓ ଡାଙ୍ଗମାଳ ଏହି ୩ଟି ଏଣ୍ଟ୍ରି ପଏଣ୍ଟ ଦେଇ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ। ଭିତରକନିକାରେ ପର୍ଯ୍ୟଟକମାନେ ଜଳପଥରେ ବଉଳା କୁମ୍ଭୀର, ଦେଶୀ ଓ ବିଦେଶୀ ପକ୍ଷୀ, ହରିଣ, ବାରହା, ସମ୍ବର, ଝିଙ୍କ ଆଦି ନାନା ପଶୁ ପକ୍ଷୀ ଓ ମ୍ୟୁଜିୟମ ଦେଖିପାରିବେ।
ଏହାସହ ବନବିଭାଗ ପକ୍ଷରୁ ନିର୍ମାଣ ହୋଇଥିବା ଦେଶର ପ୍ରଥମ ମ୍ୟାନଗୁଭ ନର୍ସରୀ, ବୋଟ ଲାଇବ୍ରେରୀ, ସ୍କାଏ ୱାଲ୍କ ,କୁମ୍ଭୀର ପ୍ରଜନନ କେନ୍ଦ୍ର ଆଦି ଦେଖିପାରିବେ। ଯନ୍ତ୍ରଚାଳିତ ବୋଟ ସହ ବନବିଭାଗ ତରଫରୁ ରହିଥିକବା ୫ଟି ଫାଇବର ବୋଟରେ ମଧ୍ୟ ପର୍ୟ୍ୟଟକମାନେ ବୁଲି ଭିତରକନିକାର ନୈସର୍ଗିକ ଶୋଭା ଉପଭୋଗ କରିପାରିବେ। ବାହ୍ମଣୀ, ବୈତରଣୀ ଓ ମହାନଦୀର ତ୍ରିକୋଣ ଭୂମିରେ ଅବସ୍ଥିତ ଭିତରକନିକା ପ୍ରକୃତିପ୍ରେମୀ ପର୍ୟ୍ୟଟକଙ୍କ ପ୍ରଥମ ପସନ୍ଦ।