Latest Odisha News

BREAKING NEWS

ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ; ଖୁଚୁରା ମୁଦ୍ରାସ୍ଫୀତି ୬.୫୨ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ। ପୁଣି ବଢ଼ିଲା ମୁଦ୍ରାସ୍ଫୀତି। ଜାନୁଆରୀ ୨୦୨୩ରେ ଖୁଚୁରା ମୁଦ୍ରାସ୍ଫୀତି  ୬.୫୨ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହା ଆକଳନ ଠାରୁ ବି ଅଧିକ। ଏହା ପୂର୍ବରୁ ୨୦୨୨ ଡିସେମ୍ବର ମାସରେ ମୁଦ୍ରାସ୍ଫୀତି ୫.୭୨ ପ୍ରତିଶତ ରହିଥିଲା। ସେହିପରି ୨୦୨୨ ଜାନୁଆରୀରେ ମୁଦ୍ରାସ୍ଫୀତି ୬.୦୧ ପ୍ରତିଶତ ଥିଲା।

BjdElectrycity

ରିଜର୍ଭ ବ୍ୟାଙ୍କ ଅନୁସାରେ ୬ ପ୍ରତିଶତ ମୁଦ୍ରାସ୍ଫୀତି ନିୟନ୍ତ୍ରଣାଧିନ। ହେଲେ ଜାନୁଆରୀ ମାସରେ ଏହା ଆର୍‌ବିଆଇ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ସୀମା ଠାରୁ  ବି ଅଧିକ ହୋଇଯାଇଛି। ତେଣୁ ଲୋକଙ୍କୁ ଏବେ ବି ମହଙ୍ଗା ମାଡ଼ରୁ ନିସ୍ତାର ମିଳି ନାହିଁ। ମୁଦ୍ରୀସ୍ଫୀତି ବୃଦ୍ଧି ହେବା ଆର୍‌ବିଆଇକୁ ପୁଣିଥରେ ସୁଧ ହାର ବଢ଼ାଇବାକୁ ବାଧ୍ୟ କରିପାରେ ବୋଲି କୁହାଯାଉଛି।

ସୋମବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ପକ୍ଷରୁ ଜାରି ହୋଇଥିବା ତଥ୍ୟ ଅନୁସାରେ, ଲଗାତର ୩ ମାସ ମୁଦ୍ରାସ୍ଫୀତି ହ୍ରାସ ହୋଇଥିବା ବେଳେ ଜାନୁଆରୀରେ ହଠାତ୍ ବୃଦ୍ଧି ହୋଇଛି। ତେବେ ୨୦୨୨ରେ ଦୀର୍ଘ ୧୦ ମାସ ଖୁଚୁରା ମୁଦ୍ରାସ୍ଫୀତି ଆର୍‌ବିଆଇର ନିୟନ୍ତ୍ରଣାଧିନ ସୀମା ୬ ପ୍ରତିଶତରୁ ଅଧିକ ରହିଥିବା ବେଳେ ନଭେମ୍ବର ଓ ଡିସେମ୍ବରରେ ଏଥିରେ ଜବରଦସ୍ତ ହ୍ରାସ ଦେଖିବାକୁ ମିଳିଥିଲା। ପନିପରିବାର ମୂଲ୍ୟ କମିବା ପରେ ମୁଦ୍ରାସ୍ଫୀତି ହ୍ରାସ ପାଇଥିଲା ବୋଲି ଏନ୍‌ଏସ୍‌ଓ ରିପୋର୍ଟରେ ଦର୍ଶାଇଛି।

NSO ତଥ୍ୟ ଅନୁସାରେ, ପନିପରିବାର ମୁଦ୍ରାସ୍ଫୀତି ହାର ଗତ ମାସ ତୁଳନାରେ ଚଳିତ ମାସ ହ୍ରାସ ପାଇଛି। ଗତ ଡିସେମ୍ବରରେ ପନିପରିବା ଉପରେ ମୁଦ୍ରାସ୍ଫୀତି ୧୫.୦୮ ପ୍ରତିଶତ ଥିଲା। ହେଲେ ଜାନୁଆରୀ ମାସରେ ମୁଦ୍ରାସ୍ଫୀତି ୧୧.୭୦ ପ୍ରତିଶତ ତଳକୁ ଖସିଛି। ଏଥିରୁ ଜଣାପଡ଼ୁଛି ଯେ ପନିପରିବାର ମୂଲ୍ୟରେ ସାମାନ୍ୟ ହ୍ରାସ ଘଟିଛି। ସେହିପରି ଇନ୍ଧନ ଉପରେ ମଧ୍ୟ ମୁଦ୍ରୀସ୍ଫୀତି ସାମାନ୍ୟ ହୋଇ ୧୦.୮୪ ପ୍ରତିଶତରେ ରହିଛି। ତେବେ ଜନୁଆରୀ ମାସରେ ଖାଦ୍ୟ ଶଶ୍ୟରେ ମୁଦ୍ରାସ୍ଫୀତି ୧୬.୧୨ ପ୍ରତିଶତ ବଢ଼ିଛି। ଗତବର୍ଷ ଡିସେମ୍ବରରେ ଏହା ୧୩.୭୯ ପ୍ରତିଶତ ଥିଲା।

ତେବେ ପୂର୍ବରୁ ଜାନୁଆରୀ ମାସରେ ମୁଦ୍ରାସ୍ଫୀତି ସାମାନ୍ୟ ବଢ଼ିବା ନେଇ ଅର୍ଥନୀତିଜ୍ଞମାନେ ଆକଳନ କରିଥିଲେ। ହେଲେ ଏନ୍‌ଏସ୍‌ଓ ଦେଇଥିବା ତଥ୍ୟ ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ହେବା ଯୋଗୁ ଏଭଳି ପରିସ୍ଥିତି ଦେଖା ଦେଇଛି। ୨୦୨୨ ଡିସେମ୍ବରରେ ଖାଦ୍ୟ ସାମଗ୍ରୀରେ ମୁଦ୍ରାସ୍ଫୀତି ହାର ୪.୧୯ ରହିଥିଲା। ହେଲେ ଜାନୁଆରୀ ମାସରେ ଏହା ୫.୯୪ ରହିଛି।

ଆସନ୍ତା ଏପ୍ରିଲ ମାସରେ ଆର୍‌ବିଆଇର ମୁଦ୍ରୀ ନୀତି କମିଟି ବୈଠକ ହେବ। ଜାନୁଆରୀ ମାସରେ ଦ୍ରୁତ ମୁଦ୍ରୀସ୍ଫୀତି ବୃଦ୍ଧି ହେବା RBIକୁ ପୁଣିଥରେ ସୁଧହାର ବଢ଼ାଇବାକୁ ବାଧ୍ୟ କରିପାରେ।

 

 

 

Leave A Reply

Your email address will not be published.