Latest Odisha News

BREAKING NEWS

ଏଣିକି ପାଖରେ ATM କାର୍ଡ ନଥିଲେ ଆଉ ନାହିଁ ଚିନ୍ତା, ଆସିଲା ୟୁପିଆଇ ଏଟିଏମ୍

ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି ପ୍ରଥମ ୟୁପିଆଇ ଏଟିଏମ୍‌ । ଏଥିରୁ ଡେବିଟ କିମ୍ବା କ୍ରେଡିଟ କାର୍ଡ ବ୍ୟବହାର ନକରି ଟଙ୍କା ଉଠାଇ ହେବ । ଗ୍ରାହକମାନେ କ୍ୟୁଆର୍‌ କୋଡ୍ ସ୍କାନ କରି ଏହି ଏଟିଏମରୁ ଟଙ୍କା ଉଠାଇପାରିବେ। ୟୁପିଆଇ ପରିଚାଳନା କରୁଥିବା ସଂସ୍ଥା ନ୍ୟାସନାଲ୍ ପେମେଣ୍ଟସ୍ କର୍ପୋରେସନ ଅଫ୍‌ ଇଣ୍ଡିଆ ପକ୍ଷରୁ ଏଟିଏମଟିକୁ ଲଞ୍ଚ କରାଯାଇଛି।

ଏନପିସିଆଇ ଜାପାନର କମ୍ପାନି ହିଟାଚି ପେମେଣ୍ଟ ସର୍ଭିସେସର ସହଯୋଗରେ ଏହି ୟୁପିଆଇ ଏଟିଏମକୁ ଲଞ୍ଚ କରିଛି। ମୁମ୍ବାଇରେ ଚାଲୁଥିବା ଗ୍ଲୋବାଲ ଫିନଟେକ ଫେଷ୍ଟରେ ଏହାର ପ୍ରଦର୍ଶନ କରାଯାଇଥିଲା । ୟୁପିଆଇ ଏଟିଏମ୍‌ର ସବୁଠୁ ବଡ଼ ଲାଭ ହେଉଛି ଯେକୌଣସି କମ୍ପାନିର ୟୁପିଆଇ ଆପକୁ ବ୍ୟବହାର କରି ଏଥିରୁ ଟଙ୍କା ଉଠାଇହେବ। ଗୋଟିଏ ଥରରେ ୧୦ ହଜାର ଟଙ୍କା ଉଠାଇହେବ। ଏଥିପାଇଁ କୌଣସି ଅତିରିକ୍ତ ଦେୟ ଲାଗିବ ନାହିଁ । ଏବେ ୟୁପିଆଇ ଏଟିଏମକୁ ଲଞ୍ଚ କରାଯାଇଥିଲେ ମଧ୍ୟ ଏହା ସାରା ଦେଶରେ କେବେଠୁ କାର୍ଯ୍ୟକାରୀ ହେବ ସେ ନେଇ ଏନପିସିଆଇ ପକ୍ଷରୁ ଘୋଷଣା କରାଯିବ। ଏହାସହ ଦିନକୁ ଏଥିରୁ କେତେ ଟଙ୍କା ଉଠାଇ ହେବ ସେ ବିଷୟରେ ମଧ୍ୟ ଆଗକୁ ସୂଚନା ଦିଆଯିବ।

ପ୍ରଥମ ଥର ପାଇଁ QR କୋଡ୍ ମାଧ୍ୟମରେ ନଗଦ ଟଙ୍କା କାରବାର ହୋଇଛି । ବର୍ତ୍ତମାନ ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ସାରା ଦେଶରେ ପ୍ରାୟ ୭୦୦ ମେସିନ୍ ସ୍ଥାପନ କରାଯାଇଛି । ଗ୍ରାହକମାନେ ଗୋଟିଏ ଥରରେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ନଗଦ ଟଙ୍କା ଉଠାଇ ପାରିବେ । ମୁମ୍ବାଇର ଗ୍ଲୋବାଲ୍ ଫିଣ୍ଟେକ୍ ଫେଷ୍ଟରେ ରବି ସୁତାନଜାନି କୁମାର ଏକ ଭିଡିଓ ମାଧ୍ୟମରେ ଡେମୋ ସେୟାର କରିଛନ୍ତି । ଯେଉଁଥିରେ ୟୁପିଆଇ ଏଟିଏମ୍ ଟଚ୍ ପ୍ୟାନେଲ୍ ସମ୍ପୂର୍ଣ୍ଣ ଭାବରେ ଦେଖାଯାଉଛି । ଡାହାଣ ପାର୍ଶ୍ୱରେ UPI କାର୍ଡଲେସ୍ କ୍ୟାଶ୍ ଉପରେ ଟ୍ୟାପ୍ କରିବା ଦ୍ୱାରା ନଗଦ ରାଶି ବିକଳ୍ପ ପାଇଁ ବଟନ୍ ଦିଆଯାଇଛି । ଏହା ପରେ ଅନ୍ୟ ଏକ ୱିଣ୍ଡୋ ଖୋଲିବ । ଯେଉଁଥିରେ ଆପଣ ଟଙ୍କାର ପରିମାଣ ଲେଖିବେ । ଏହା ପରେ ସ୍କ୍ରିନରେ QR କୋଡ୍ ଦେଖାଦେବ । ଏହାପରେ ଆପଣ ଯେକୌଣସି UPI ଆପ୍ ବ୍ୟବହାର କରି ସ୍କାନ୍ କରି ପାରିବେ । କୋଡ ସ୍କାନ୍ ହେବାପରେ ୟୁପିଆଇ ଆପରେ ନିଜର ସିକ୍ୟୁରିଟି ପିନ ଦେବାକୁ ପଡିବ । ପିନ ଭ୍ୟାଲିଡେଟ ହେବାପରେ ଏଟିଏମରୁ ଟଙ୍କା ବାହାରିବ ।

 

Leave A Reply

Your email address will not be published.