ଭୁବନେଶ୍ୱର: ରାଜ୍ୟର କେତେକ ସ୍ଥାନରୁ ବନ୍ୟା ବିପଦ ଟଳିଛି। ହେଲେ ଛତିଶଗଡ଼ରେ ବର୍ଷା ହେବା କାରଣରୁ ମହାନଦୀରେ ଜଳ ସ୍ତର ବଢ଼ିଛି। ତେଣୁ ମହାନଦୀରେ ଛୋଟ ବନ୍ୟା ହେବା ନେଇ ଆଶଙ୍କା ଉପୁଜିଛି। ବର୍ତ୍ତମାନ ମହାନଦୀରେ କୌଣସି ବଡ଼ ବନ୍ୟା ଆଶଙ୍କା ନାହିଁ, କିନ୍ତୁ ଜଳସମ୍ପଦ ବିଭାଗ ପକ୍ଷରୁ ଏକ ଛୋଟ ବନ୍ୟା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ। ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା, ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି ସେ କହିଛନ୍ତି।
ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତଙ୍କ ସୂଚନା ଅନୁସାରେ, ମହାନଦୀରେ ଛୋଟ ବନ୍ୟା ସ୍ଥିତି ଉପୁଜିପାରେ। ପ୍ରାୟ ୮ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ମହାନଦୀରେ ଅଧିକ ପାଣି ରହିବାର ସମ୍ଭାବନା ରହିଛି । ଆସନ୍ତାକାଲି ସୁଦ୍ଧା ମୁଣ୍ଡଳୀରେ ପ୍ରାୟ ୬ ଲକ୍ଷ ୫୦ ହଜାରରୁ ୬ ଲକ୍ଷ ୭୦ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହୋଇପାରେ। ତେଣୁ ତଳମୁଣ୍ଡରେ ଜଳସ୍ତର ଉପରେ ନଜର ରଖାଯାଇଛି ।
ଅନ୍ୟପଟେ ବଂଶଧାରା ନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ ଫ୍ଲାସ୍ ଫ୍ଲଡ୍ ସ୍ଥିତି ଦେଖାଦେଇଥିଲା । ହେଲେ ଏବେ ନଦୀରେ ପାଣି କମିବାରେ ଲାଗିଛି। ଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ବର୍ଷା ନଥିବାରୁ ସ୍ଥିତିରେ ଆହୁରି ସୁଧାର ଆସିପାରେ ବୋଲି କୁହାଯାଇଛି । ସେହିପରି ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀ ନଦୀରେ ବର୍ତ୍ତମାନ ବନ୍ୟା ସ୍ଥିତି ନଥିବା ସ୍ପଷ୍ଟ କରିଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ । ତେଣୁ ଏହି ନଦୀଗୁଡ଼ିକରେ ବନ୍ୟା ବିପଦ ଟଳିଥିବା ବେଳେ ମହାନଦୀର ଜଳସ୍ତର ଉପରେ ଏବେ ନଜର ରହିଛି । ଛତିଶଗଡ଼ରେ ବର୍ଷା ଓ ମହାନଦୀର ଉପରମୁଣ୍ଡରେ ଜଳପ୍ରବାହ ବଢ଼ୁଥିବାରୁ ତଳମୁଣ୍ଡର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।


Comments are closed.