Latest Odisha News

ସ୍କୁଟି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ

ଅନୁଗୁଳ: ସ୍କୁଟି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏହାକୁ ନେଇ ସୃଷ୍ଟି ହୋଇଛି ତୁମୁଳକାଣ୍ଡ । ଉତ୍ତ୍ୟକ୍ତ ଲୋକେ ଦୋକାନ ଘର ଏବଂ କାର୍‌ରେ ନିଆଁ ଲଗାଇଦେଇଛନ୍ତି । ଏଥିସହ ମୃତଦେହକୁ ରାସ୍ତାରେ ରଖି କ୍ଷତିପୂରଣ ଦାବି କରିଛନ୍ତି । ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ୬୩ ନମ୍ବର ରାଜପଥ ଆଦର୍ଶ ବିଦ୍ୟାଳୟ ଛକ ନିକଟରେ । ଫଳରେ ମୃତକ ଜଣକ ହେଲେ ତେଣ୍ଟୁଲୋଇ ଗ୍ରାମ ପଂଚାୟତ ଗୋପିନାଥପୁର ଗ୍ରାମର ଛାଲୁ ବେହେରା ।

ସୂଚନା ମୁତାବକ ଗୁରୁବାର ମଧ୍ୟାହ୍ଣରେ ଏହି ଦୁର୍ଘଟଣା ଘଟିଛି । ଦୋକାନରେ ଖାଇ ସାରିବା ପରେ ପାଣି ଆଣିବା ପାଇଁ ଛାଲୁ ବେହେରା ରାସ୍ତା ପାରି ହେଉଥିବା ବେଳେ  ଛେଣ୍ତିପଦା ରୁ ଅନୁଗୋଳ ଅଭିମୁଖେ ଯାଉଥିବା ସ୍କୁଟି ଟି ବୃଦ୍ଧ ଜଣଙ୍କୁ ଧକ୍କା ଦେଇଥିଲା । ବୃଦ୍ଧଙ୍କର ମୁଣ୍ଡଫାଟିଯିବା ସହିତ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଉତ୍ତ୍ୟକ୍ତ ଲୋକମାନେ‍ ଦୁର୍ଘଟଣା ଘଟାଇଥିବା ସ୍କୁଟିଟି ସ୍ଥାନୀୟ ଏକ ଦୋକାନିର ହୋଇଥିବା ସନ୍ଦେହ କରି ଦୋକାନକୁ ପୋଡ଼ି ଦେବା ସହିତ କ୍ଷତିପୂରଣ ଦାବିରେ ୬୩ନଂ ରାଜ୍ୟରାଜପଥକୁ ଅବରୋଧ କରିଥିଲେ ।

ଖବର ପାଇ ଛେଣ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ଉତ୍ୟକ୍ତ ଲୋକମାନଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି । ୪ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ରାଜ୍ୟ ରାଜପଥ ଉତ୍ୟକ୍ତ ଲୋକମାନେ ଅବରୋଧ କରିବା ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହାନ ଅଟକି ରହିବା ସହିତ ସମ୍ପୁର୍ଣ୍ଣ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଲୋଚନାପରେ ସରକାରୀ ନିୟମାନୁଯାୟୀ ସମସ୍ତ କ୍ଷତିପୂରଣ ଦିଆଯିବା  ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ଏନେଇ ପୋଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରିବା ସହିତ ଶବକୁ ଜବତ କରି ବ୍ୟବଛେଦ ପାଇଁ ଛେଣ୍ଡିପଦା ଗୋଷ୍ଠୀ ସ୍ୟାସ୍ଥ୍ୟ କେନ୍ଦ୍ରକୁ ପଠାଇଛି ।

Leave A Reply

Your email address will not be published.