Latest Odisha News

BREAKING NEWS

ପରିବା ବିକି ଘରକୁ ଫେରୁଥିଲେ, ଚାପିଦେଲା ଭ୍ୟାନ

କେନ୍ଦୁଝର:  ହାଟକୁ ପରିବା ନେଇ ଯାଇଥିଲେ । ବେପାର ସାରି ପଇସା ହିସାବ କରି ଘରକୁ ଫେରୁଥିଲେ । ହେଲେ ଘରେ ପହଞ୍ଚି ପାରିଲେନି । ଅଧାବାଟରେ ଯେମିତି ଛକି ବସିଥିଲା ଯମଦୂତ । ସାମ୍ନାପଟୁ ଆସି ଚାପିଦେଲା ଭ୍ୟାନ । ଚାଲିଗଲା ୪ ଜଣ ପରିବା ବିକାଳିଙ୍କ ଜୀବନ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ ।

ଦୁର୍ଘଟଣାଟି ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବସନ୍ତପୁର ନିକଟରେ ଆଜି ସକାଳୁ ସକାଳୁ ଘଟିଛି । ପରିବା ବିକାଳିଙ୍କୁ ନେଇ ଯାଉଥିବା  ଏକ ଅଟୋକୁ ସାମ୍ନାପଟୁ ଦ୍ରୁତଗତିରେ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କା ଦେଇଥିଲା ।   ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ।  ୫ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତାହତ ବ୍ୟକ୍ତିମାନେ କେନ୍ଦୁଝର ଜିଲ୍ଲାର ସାନକମଣ୍ଡର ଗାଁର ପରିବା ବିକାଳି ବୋଲି  ଜଣାଯାଇଛି।

ଏହି ପରିବା ବିକାଳିମାନେ ଆଜି ସକାଳେ ଅଟୋ ଯୋଗେ କେନ୍ଦୁଝର ବଜାରରେ ପରିବା ବିକ୍ରି କରି ସାରିବା ପରେ   ସାନକମଣ୍ଡରକୁ ଫେରୁଥିଲେ । ବସନ୍ତପୁର ନିକଟରେ ସାମ୍ନାପଟୁ ଆସୁଥିବା ପିକ୍‌ଅପ୍‌ ଭ୍ୟାନ୍‌  ଧକ୍କା ଦେଇଥିଲା। ଘଟଣାସ୍ଥାଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ଅନ୍ୟ ଜଣଙ୍କର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି।

Leave A Reply

Your email address will not be published.