Latest Odisha News

ପାରାଦ୍ୱୀପରେ ସଡ଼କ ଓ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ, ବେଆଇନ ପାର୍କିଂରୁ ବୃଦ୍ଧି ପାଉଛି ଦୁର୍ଘଟଣା

ପାରାଦ୍ବୀପ: ବନ୍ଦର ଭିତ୍ତିକ ଆନ୍ତର୍ଜାତିକ ଶିଳ୍ପ ସହର ପାରାଦ୍ଵୀପରେ ଭୁଷୁଡି ପଡ଼ିଛି ଟ୍ରାଫିକ ବ୍ୟବସ୍ଥା।  ଗାଡି ରଖିବା ପାଇଁ ନାହିଁ ସ୍ବତନ୍ତ୍ର ନିୟମ କିମ୍ବା  ଗାଇଡ ଲାଇନ। କେବଳ ସଡ଼କ ସୁରକ୍ଷା ମାସ ପାଳନ ନାମରେ ପ୍ରଶାସନ ଲୋକଙ୍କୁ ସଚେତନ କରାଇବାର ଡିଣ୍ଡିମ ପିଟୁଥିବା ବେଳେ ସଡ଼କ ଦୂର୍ଘଟଣାରେ ଦୈନିକ ଅନେକ ନିରିହ ଜୀବନ ଯାଉଛି।

ଭାରତର ଏକ ନମ୍ବର ମେଜର ପୋର୍ଟର ମାନ୍ୟତା ପାଇଥିବା ପାରାଦ୍ଵୀପ ବନ୍ଦରର ଆଖପାଖରେ ରହୁଥିବା ଲୋକମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ପାରାଦ୍ଵୀପର ଟ୍ରାଫିକ ବ୍ୟବସ୍ଥା ଏକପ୍ରକାର ଭୁଷୁଡି ପଡ଼ିଛି । ଦୈନିକ ଦୂର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦୂର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ଦୁଇମାସ ମଧ୍ୟରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ବିଭିନ୍ନ ଡାକ୍ତରଖାନାରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ସଡ଼କ ସୁରକ୍ଷା ମାସ ପାଳନ କେବଳ କାଗଜପତ୍ରରେ ସୀମିତ ରହୁଥିବା ବେଳେ, ବାସ୍ତବତା ସମ୍ପୁର୍ଣ୍ଣ ଓଲଟା । ନିର୍ଦ୍ଧିଷ୍ଟ ଗତି ଠାରୁ ଦ୍ରୁତ ବେଗରେ ଯିବା ଆସିବା କରୁଥିବା ଗାଡ଼ିକୁ ରୋକିବା ପାଇଁ ପ୍ରଶାସନିକ ସ୍ତରରେ କୈାଣସି ପଦକ୍ଷେପ ନିଆଯାଉନଥିବା ବେଳେ ରାସ୍ତା କଡ଼ରେ ବେଆଇନ ଗାଡ଼ି ପାର୍କିଂ ଓ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁଁ ଏଭଳି ଦୂର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ସେହିପରି ପାରାଦ୍ଵୀପ ବନ୍ଦରକୁ ଭିତ୍ତିକରି ପାରାଦ୍ଵୀପରେ ଛୋଟ ବଡ଼ ୧୬ ରୁ ଉର୍ଦ୍ଧ୍ୱ ଶିଳ୍ପ କାରଖାନା ରହିଛି। ଭାରତର ଏକ ନମ୍ବର ମେଜର ପୋର୍ଟ ମାନ୍ୟତା ହାସଲ କରିଥିବା ପାରାଦ୍ଵୀପରେ ପଣ୍ୟ କାରବାର ମଧ୍ୟ ବୃଦ୍ଧି ପାଇଛି। ପାରାଦ୍ଵୀପ ରାଜରାସ୍ତାରେ ଦୈନିକ କେବଳ ୧୨ ରୁ ୧୪ ହଜାର ଭାରି ଯାନ ଚଳାଚଳ କରୁଛି । କିନ୍ତୁ ଏହି ଗାଡ଼ିଗୁଡ଼ିକୁ  ପାର୍କିଂ  ପାଇଁ କୈାଣସି ସୁବ୍ୟବସ୍ଥା କରାଯାଉନାହିଁ।

ରାସ୍ତାର ଦୁଇ ପାର୍ଶ୍ଵରେ ଗାଡ଼ିଗୁଡିକ ପାର୍କିଂ କରାଯାଉଥିବା ବେଳେ କେବଳ ନୋ ପାର୍କିଂ ବୋର୍ଡ ମାରି ନିଜର କର୍ତ୍ତବ୍ୟ ସାରି ଦେଉଛି ପ୍ରଶାସନ। ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରୁ ମୁଖ୍ୟ ରାସ୍ତାକୁ ଉଠିବା ସମୟରେ ଗାଡ଼ି ପାର୍କିଂ ଯୋଗୁଁ ଦୂରରୁ ଆସୁଥିବା ଗାଡ଼ିକୁ ଦେଖି ପାରୁନାହାଁନ୍ତି ଲୋକେ। ଫଳରେ ଦୂର୍ଘଟଣା ଘଟି ଅସମୟରେ ଜୀବନ ହାରୁଛନ୍ତି ସାଧାରଣ ଜନତା। ତେବେ ପ୍ରଥମେ ଖରାପ ଗାଡ଼ି ଗୁଡ଼ିକୁ ରାସ୍ତା କଡ଼ରୁ ହଟାଇବାର ବ୍ୟବସ୍ଥା କରାଯାଉଛି।  ଆମ ପାଖରେ ଷ୍ଟାଫ୍ କମ୍ ଥିବାରୁ ପୋଲିସର ସହଯୋଗରେ ବେଆଇନ ପାର୍କିଂକୁ ହଟାଇବାକୁ ନିଷ୍ପତ୍ତି ନିଆଯାଇଥିବା ଜଗତସିଂହପୁର ଆଞ୍ଚଳିକ ପରିବହନ ଅଧିକାରୀ ପ୍ରକାଶ କରିଛନ୍ତି।

Comments are closed.