Latest Odisha News

ଚାମ୍ପିୟନ୍ସ ଟ୍ରଫି କ୍ରିକେଟ:ଦୁବାଇରେ ରୋହିତଙ୍କ ବ୍ୟାଟ କରେ ରନବର୍ଷା

ନୂଆଦିଲ୍ଲୀ: ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଚାମ୍ପିୟନ ହେବା ପାଇଁ ଭାରତ ଜୋରଦାର ପ୍ରସ୍ତୁତି ଜାରି ରଖିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଟି୨୦ ବିଶ୍ୱକପ ଜିିତିବା ପରେ ଏବେ ସମସ୍ତଙ୍କ ନଜର ଏହା ଉପରେ ରହିଛି । ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେଉଥିଲେ ମଧ୍ୟ ଭାରତ ସୁରକ୍ଷା ଦୃଷ୍ଟିକୋଣରୁ ତାର ସମସ୍ତ ମ୍ୟାଚ ଦୁବାଇରେ ଖେଳିବ । ହିଟମ୍ୟାନ ଭାବେ ପରିଚିତ ରୋହିତଙ୍କ ପ୍ରଦର୍ଶନ ଦୁବାଇରେ ବେଶ ଭଲ ରହିଛି । ସେ ଏଠାରେ ୫ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ୧୦୫.୬୬ ଆଭରେଜରେ ସେ ୩୧୭ ରନ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୨ଟି ଅର୍ଦ୍ଧଶତକ ସାମିଲ । ୨୦୧୮ ଏସିଆ କପରେ ରୋହିତ ଏହି କମାଲ କରିଥିଲେ । ସେ ସମୟରେ ବିରାଟ କୋହଲି ଏହି ଟୁର୍ଣ୍ଣାମେଂଟରୁ ଓହରି ଯାଇଥିଲେ ।

ରୋହିତଙ୍କ ନେତୃତ୍ୱରେ ଭାରତ ଟାଇଟଲ ହାସଲ କରିଥିଲା । ରୋହିତ ପାକିସ୍ତାନ ବିପକ୍ଷରେ ଏଠାରେ ଶତକ ମାରିଥିଲେ । ମହମ୍ମଦ ଅମୀର, ଶାହୀନ ଆଫ୍ରିଦି ଓ ହସଲ ଅଲୀଙ୍କ ପରି ବୋଲରଙ୍କ ଉପସ୍ଥିତିରେ ହିଟମ୍ୟାନ ୧୧୯ ବଲରେ ୧୧୧ ରନ କରିଥିଲେ । ଦୁବାଇରେ ସର୍ବାଧିକ ଛକା ମାରିବା ରେକର୍ଡ ରୋହିତଙ୍କ ନାମରେ ରହିଛି । ସେ ଏଠାରେ ୧୩ଟି ଛକା ମାରିଛନ୍ତି ।

ପ୍ରାୟ ୭ ବର୍ଷ ପରେ ରୋହିତ ଏଠାରେ ଦିନିକିଆ ମ୍ୟାଚ ଖେଳିବାକୁ ଯାଉଛନ୍ତି । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର କଟକରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚରେ ରୋହିତ ଜବରଦସ୍ତ ଶତକ ହାସଲ କରି ଫର୍ମକୁ ଫେରିଛନ୍ତି । ୩୨ ଦିନିକିଆ ଶତକ ମାରିଥିବା ରୋହିତଙ୍କ ଏହା ଶେଷ ଆଇସିସି ଟୁର୍ଣ୍ଣାମେଂଟ ହୋଇପାରେ ବୋଲି ଅନୁମାନ କରାଯାଉଛି ।

Comments are closed.