କଟକ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଖରାପ ଫର୍ମ ଦେଇ ଗତି କରୁଥିଲେ । ଏଥିପାଇଁ ବିଭିନ୍ନ ମହଲରୁ ତାଙ୍କୁ ସମାଲୋଚନା କରାଯିବା ସହ ଅବସର ନେବା ନେଇ ଚାପ ପକାଯାଉଥିଲା । କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଦିିନିକିଆ କ୍ରିକେଟ ମ୍ୟାଚରେ ରୋହିତ ଶତକ ହାସଲ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । ସେ ଫର୍ମକୁ ଫେରିଛନ୍ତି । ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ତାଙ୍କ ଫର୍ମ ଦଳ ପାଇଁ ବେଶ ଜରୁରୀ ଥିଲା । ରୋହିତଙ୍କ ପାଇଁ ବାରବାଟୀ ପୂନର୍ବାର ଲକି ସାବ୍ୟସ୍ତ ହୋଇଛି । ଓଡିଶା କ୍ରିକେଟପ୍ରେମୀ ରୋହିତଙ୍କ ମନୋବଳ ବଢ଼ାଇଥିଲେ । ଆଉ ଏହାର ପ୍ରତି ବଦଳରେ ରୋହିତ ଚମତ୍କାର ଶତକ ଭେଟି ଦେଇଛନ୍ତି । ୧୬ ମାସ ପରେ ରୋହିତ ଦିନିକିଆରେ ଶତକ ମାରିଛନ୍ତି ।
ଏହା ତାଙ୍କ ଦିିନିକିଆ କ୍ୟାରିୟରର ୩୨ତମ ଶତକ । ସେ ୧୧୯ ରନ କରି ଆଉଟ ହୋଇଥିଲେ । ତେବେ ଏହି ମ୍ୟାଚରେ ବିରାଟ କୋହଲି ଫେଲ ମାରିବା ପ୍ରଶଂସକଙ୍କୁ ନିରାଶ କରିଛି । ରୋହିତ ଆନ୍ତର୍ଜାତୀୟ କ୍ୟାରିୟରରେ ୪୯ ଶତକ ହାସଲ କରି ଭାରତୀୟ ଖେଳାଳିଙ୍କ ମଧ୍ୟରେ ତୃତୀୟ ସ୍ଥାନରେ ରହିଛନ୍ତି । ସଚିନ ତେନ୍ଦୁଲକର ୧୦୦ ଶତକ ସହ ଶୀର୍ଷରେ ରହିଥିବା ବେଳେ ବିରାଟ କୋହଲି (୮୧) ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରାହୁଲ ଡ୍ରାଭିଡ(୪୮), ସୌରଭ ଗାଙ୍ଗୁଲି(୩୮) ଓ ବୀରେନ୍ଦ୍ର ସେହ୍ୱାଗ ୩୮ ଶତକ ହାସଲ କରିଛନ୍ତି । ରୋହିତ ମାତ୍ର ୭୬ ବଲରେ ୭ଟି ଛକା ଓ ୯ ଚୌକା ସହ ତାଙ୍କ ଶତକ ପୂରଣ କରିଥିଲେ । ରୋହିତ ଏଠାରେ ୩ଟି ମ୍ୟାଚ ଖେଳି ୭୧.୫୦ ଆଭରେଜରେ ୧୪୩ ରନ କରିଛନ୍ତି ।
Comments are closed.