Latest Odisha News

ସ୍ବାସ୍ଥ୍ୟକ୍ଷେତ୍ରକୁ ନେଇ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜରେ ଆୟୋଜିତ ଇଣ୍ଡିଆନ ମେଡିକାଲ ଆସୋସିଏଶନ(ଆଇଏମ୍‌ଏ)ର ୭୪ତମ ବାର୍ଷିକ ରାଜ୍ୟ ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ରାଜ୍ୟରେ ସ୍ବାସ୍ଥ୍ୟ ସେବା ଉପରେ ବକ୍ତବ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟରେ ବଜେଟ୍‌ରେ ସ୍ବାସ୍ଥ୍ୟକୁ ଯଥେଷ୍ଟ ଗୁରୁତ୍ବ ଦିଆଯାଇଥିବାବେଳେ ସଚେତନତାର ଅଭାବ ଯୋଗୁ ଆମେ ଅନେକ ପ୍ରକାରର ରୋଗର ଶିକାର ହେଉଛେ । ରାଜ୍ୟରେ ବିଭିନ୍ନ ପ୍ରକାରର ବିକାଶ ହେଲେ ମଧ୍ୟ ସ୍ବାସ୍ଥ୍ୟ ସେବାର ବିକାଶ ନ ହେଲେ ଉତ୍କର୍ଷ ଓଡିଶା ପରିକଳ୍ପନା ସମ୍ଭବ ହୋଇପାରିବ ନାହିଁ ବୋଲି ସେ କହିଥିଲେ ।

ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶାବାସୀଙ୍କୁ ଅଧିକ ସେବା ଦେବ । ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମରେ ରାଜ୍ୟକୁ ୧୩ ଲକ୍ଷ କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ଆସିଥିବାବେଳେ କେବଳ ସ୍ବାସ୍ଥ୍ୟକ୍ଷେତ୍ରରେ ୫୦ ହଜାର କୋଟି ଟଙ୍କାର ବିନିଯୋଗ ପ୍ରସ୍ତାବ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହି ସ୍ବାସ୍ଥ୍ୟସେବା ପ୍ରକଳ୍ପରେ ୨୫ହଜାର ନିଯୁକ୍ତି ମିଳିବ ବୋଲି ଜଣାପଡିଛ ।

୨୦୨୪-୨୫ରେ ଆମ ସରକାର ୨୧ହଜାର କୋଟି ଟଙ୍କା ସ୍ବାସ୍ଥ୍ୟରେ ବଜେଟ୍‌ ବ୍ୟବସ୍ଥା କରିଥିଲେ । ୨୦୩୬ରେ ଓଡିଶା ପ୍ରତିଷ୍ଠାର ଏକଶହ ବର୍ଷ ପୁର୍ତ୍ତି ପାଳନ ଅବସରରେ ଆମେ ଏକ ବିକଶିତ ଓଡ଼ିଶା କିପରି ଗଠନ କରିପାରିବା ସେଥିପାଇଁ ଏବେଠାରୁ ଚିନ୍ତା କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

Comments are closed.