Latest Odisha News

ଦୁର୍ନୀତି ନିବାରଣରେ ଲେଖକମାନଙ୍କର ଭୂମିକା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ଦୁର୍ନୀତି ସାହିତ୍ୟକୁ ବି ଗ୍ରାସିଛି । ସରକାରୀ ସ୍ୱୀକୃତି, ମାନପତ୍ର, ପୁରସ୍କାର ପାଲାରେ ନିଜେ ଲେଖକ ଗୋଷ୍ଠୀର ବହୁଳାଂଶ ଲବି କରିବାରେ ବ୍ୟସ୍ତ । ଏପରିକି ରାଜ୍ୟ ସରକାର କିଣୁଥିବା ଲେଖକମାନଙ୍କର ବହି ସିଲେକ୍‌ସନ୍‌ରେ ଲାଂଚ କାରବାର ଚାଲିଛି । ଯାହା ଫଳରେ ଭଲ ଭଲ ପୁସ୍ତକବାଦ୍ ପଡିଯାଉଛି । ଦୁର୍ନୀତିର ଦାଶକାଠିଆ ଖାଲି ରାଜନୀତିରରଣ ଭୂଇଁରେ ନୁହେଁ, ସାହିତ୍ୟ ରସର ହଦରେ ମଧ୍ୟ ବଜାୟ ରହିଛି ।

ବର୍ତମାନ ସମୟରେ ଯେଉଁଠି ସାହିତ୍ୟ ସଭାଗୁଡିକ ଆୟୋଜିତ ହେଉଛି, ସେଠାକୁ ମନ୍ତ୍ରୀ ଏମ୍‌.ଏଲ୍‌.ଏ., ଏମ୍‌.ପି., ଆଇ.ଏ.ଏସ୍‌., ଆଇ.ପି.ଏସ୍‌. ମାନଙ୍କୁ ଫୁଲମାଳ ପିନ୍ଧାଇ ପାଛୋଟି ଅଣାନଗଲା ଯାଏ ଆମ ସାହିତ୍ୟସଭା ଅଚଳ ହୋଇରହୁଛି ! ଯେମିତି ଏମାନଙ୍କ ବିନା ସାହିତ୍ୟସଭା ସବୁ ଶୋକସଭା ।

ସାହିତ୍ୟରେ ଅଙ୍ଗୀକାର ନାହିଁ – ଅନୁରାଗ ନାହିଁ – ସାମ୍ନା କରିବାର ସାହସିକ ସ୍ୱର ନାହିଁ – ଏଭଳିସାହିତ୍ୟ କେବଳ ବିଳାସ ଛଡା ଆଉ କ’ଣ ହୋଇପାରେ ? ସେଇ ପାଣିଚିଆପ୍ରେମ, ଜାନ୍ତବ ଯୌନତା । ଶସ୍ତା ଆମୋଦର ଚିତ୍ର ଆଙ୍କିବାରେ ସାହିତ୍ୟ ଆଜିବି ସନ୍ତୁଷ୍ଟ ।

ଅସନ୍ତୋଷ, ଅଦମ୍ୟ ପ୍ରତିବାଦର ଅଗ୍ରଦୂତଭାବରେସାବ୍ୟସ୍ତ ନହେଲେ ଦୁର୍ନୀତି ନିବାରଣ ଦିଗରେ ଲେଖକମାନେ ଭୂମିକା ନିର୍ବାହ କରିପାରିବେ କି ? ଏ ପ୍ରଶ୍ନର ଉତର ଲେଖକମାନେ ନିଜେ ନିଜକୁ ପଚାରନ୍ତୁ ପ୍ରଥମେ । ସଭାରେ ଦୁର୍ନୀତିର ଶ୍ରାଦ୍ଧ କରି ସାହିତ୍ୟରେ ନୈତିକତାହୀନ ନିର୍ଲଜକସରତ ଦେଖାଇବାର ମାନେ କିସ ହୁଏ ?

ହତାଶାର ହାହତୋସ୍ମି ମଧ୍ୟରେ ଆଶାର ଅଙ୍କୁର ଲୁଚିରହିଛି । ଯେଉଁ ଯେଉଁ ଭୂଇଁରେ ଅନ୍ୟାୟ ଅତ୍ୟାଚାର ଶୋଷଣ ବିରୁଦ୍ଧରେ ସଂଗ୍ରାମ ଜାରି ରହିଛି; ସାହିତ୍ୟର ଭୂମିକା ସେଠି କିଛି କମ୍ ନୁହେଁ । ଗର୍କୀଙ୍କର ମା’ ବିପ୍ଳବର ପ୍ରଚାରପତ୍ର ବାଂଟୁଥିଲା, ଏଠି କିନ୍ତୁ କଳାହାଣ୍ଡିର ମା’ ବିକ୍ରି କରୁଛି ତା ରକ୍ଷୀ ରଖିଆ ଛୁଆଟିକୁ । ଏ ଦୁଃଖର ହେତୁ କେଉଁଠି ? ଲେଖକମାନେ ବିଚାର କରନ୍ତି କାହିଁକି କିଏ ଅବ୍ୟବସ୍ଥାର ବ୍ୟବସ୍ଥା ସୃଷ୍ଟି କରିଛି ।

ଦୁର୍ନୀତି ସଂପ୍ରତି ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ବ୍ୟାପୀ ଯାଇଛି । ପ୍ରଧାନମନ୍ତ୍ରୀଠାରୁ ଆରମ୍ଭ କରି ଚପରାଶୀ ପର୍ଯ୍ୟନ୍ତ ଦୁର୍ନୀତି କରିଚାଲିଛନ୍ତି । ଲେଖକମାନେ ମଧ୍ୟ ବାଦ୍ ନୁହଁନ୍ତି । ଲେଖକମାନେ ଯଦି କୌଣସି ନା କୌଣସି କାମରେ ଦୁର୍ନୀତିରେ ଲିପ୍ତ ଥାଆନ୍ତି – ସେମାନେ କେବେ ହେଲେ ଲଢି ପାରିବେ ନାହିଁ । ଦୁର୍ନୀତି କେବଳ ଲାଂଚ ନେବାକୁ ବୁଝାଏ ନାହିଁ – ଯେତେ ପ୍ରକାର ଅନୀତିକାର୍ଯ୍ୟକୁ ଦୁର୍ନୀତି କୁହାଯାଏ ।

ଦୁର୍ନୀତିର ମୂଳୋତ୍ପାଟନ ନ ହେଲେ ସମାଜ ଧ୍ୱଂସମୁଖୀ ହେବାକୁ ବାଧ୍ୟ, ଦୁର୍ନୀତି ବିରୋଧି ଲେଖା ଆଉ ଲେଖକଙ୍କ କଲମ ମୁନରୁ ବାହାରୁ ନାହିଁ, ଲେଖକମାନଙ୍କ ନାଡିନକ୍ଷତ୍ର ଠିକ୍‌ଠାକ୍ ଅଛ ବୋଲି ବିଶ୍ୱାସ ହେଉନାହିଁ । ବର୍ତମାନ ଆଖିଆଗରେ ଯାହାସବୁ ଦିଶିଯାଉଛି, ସେଥିରେ ଜଳକା ହେବାଛଡା ଅନ୍ୟଗତି ନାହିଁ ଲେଖକମାନଙ୍କର । ପତ୍ରପତ୍ରିକାଠାରୁ ପୁସ୍ତକ ପର୍ଯ୍ୟନ୍ତ ଯାହାସବୁ ପଠନୀୟ ସାମଗ୍ରୀ ମିଳୁଛି, ସେଥିରେ ଅଧିକାଂଶ ନିମ୍ନରୁଚିର ନିନ୍ଦନୀୟ ପ୍ରଦର୍ଶନ । ବ୍ଲୁ ଫିଲ୍ମର କୁତ୍ସିତ କାମୋଦୀପକ ଆଭିମୁଖ୍ୟ ଏ ଏଲୋଜର୍ଣ୍ଣାଲିଜିମ୍‌ର ହୋ-ହାଲ୍ଲାଧର୍ମୀ ହଟଚମଟସହିତ ତାଳ ଦେବାକୁ ବସିଛି ଆଜିର ଲେଖକ । ଜ୍ଞାନ, ଅଭିଜ୍ଞାନ ଓ ଆଭିମୁଖ୍ୟର ପ୍ରଚଣ୍ଡ ଦୁର୍ବଳତା ହେତୁ ଓଡିଶାର ଯୋଗ୍ୟ ଲେଖକ ବାହାରି ପାରୁନାହାନ୍ତି ।
ସବୁ ଯୁଗରେ, ସାହିତ୍ୟରଭିଡଭିତରେ ‘ପ୍ରତିବାଦ’ର ବିରଳ ସ୍ୱର ଯେତେକ୍ଷୀଣ ଭାବରେ ହେଉ ସୁଦ୍ଧା – ଉଚ୍ଚାରିତ ହୋଇ ଆସିଛି, ନିର୍ଭୀକ ଭାବରେ । ଏ ସ୍ୱର ଦାଇତ୍ୱର ସ୍ୱର, ଦାୟବଦ୍ଧତାରସ୍ୱର, ଦୁର୍ବାର ଅଙ୍ଗୀକାରର ଦୁର୍ଦ୍ଦଶ ଇସ୍ତାହାର । ମେଣ୍ଢାମାନଙ୍କ ମେଳରେ ଭେଣ୍ଡାପରି ପ୍ରତ୍ୟେକ ଯୁଗର ସୁବିଧାବାଦୀ, ନିରାପତା ପ୍ରେମୀଚାରଣ, ଚାଟୁକାର ଲେଖକମାନଙ୍କର ଭିଡ ଭିତରେ ବି ଆମେ ଲକ୍ଷ କରିଛି ଜଣେ ଜଣେ ସଂକଳ୍ପବଦ୍ଧ, ଶଙ୍କାହୀନ ସାହିତ୍ୟକାରକୁ – ଯେଉଁମାନଙ୍କ ଲେଖା ସବୁ ସାହିତ୍ୟର ଦାଇତ୍ୱ ତୁଲାଇ ଆସିଛି ପ୍ରାଣପଣେ । ସେମାନେ ମୃତ୍ୟୁକୁ ଭୟ କରିନାହାନ୍ତି, ଯନ୍ତ୍ରଣାର ଯୁପକାଠକୁ ଡରିନାହାନ୍ତି, ରାଜଦଣ୍ଡ ଓ ଫାଶିମଂଚକୁ ଖାତିରକରି ନାହାନ୍ତି ମୋଟେ ।

ଯୁଗ ବଦଳିଲା – ବଦଳିଲା ସାହିତ୍ୟର ସ୍ୱଧର୍ମ । ପ୍ରାଚୀନ ଓ ମଧ୍ୟଯୁଗର ସମାଧି ଉପରେ ଜନ୍ମ ନେଲା ନୂତନ ସାହିତ୍ୟ । ପ୍ରାଚୀନ ସାହିତ୍ୟର ସରଳସ୍ୱଚ୍ଛନ୍ଦ ଭାବଧାରା, ମଧ୍ୟଯୁଗର ଶରୀର ସର୍ବସ୍ୱବର୍ଣ୍ଣନା-ବିଳାସ ପରିବର୍ତ୍ତେ ସାହିତ୍ୟରେ ମୁହଁ ଦେଖାଇବାକୁ ଆରମ୍ଭ କଲା ବିଭକ୍ତ ବ୍ୟକ୍ତିତ୍ୱ, ସ୍ୱବିରୋଧ, ଆତ୍ମଦ୍ୱନ୍ଦ ଓ ଜର୍ଜରିତ ଜୀବନଯନ୍ତ୍ରଣା ।

ଶିଳ୍ପବିପ୍ଳବ ପରେ ନୂତନ ପୃଥିବୀର ମଣିଷକୁ ନେଇ ଯେଉଁ ସାହିତ୍ୟ ସୃଷ୍ଟି ହେଲା, ତା’ରଚିତ୍ର ଓ ଚରିତ୍ର ଏକବାରେ ଅଲଗା । ନୂଆ ଯେତିକି, ନିଆରା ବି ସେତିକି । ଅରଣ୍ୟ, ନଗର, ରାଜସଭାର ପୃଷ୍ଠଭୂମି ପରିତ୍ୟାଗ କରି ଯନ୍ତ୍ରସଭ୍ୟତାର ଜଟିଳ ଜୀବନବୋଧକୁ ନେଇ ରଚିତ ହେଲା ନୂତନ ସାହିତ୍ୟ । କ୍ରମେ ସାମୂହିକ ସ୍ୱାର୍ଥ ବା ସାମାଜିକ ମାଙ୍ଗଳିକତାର ମନ୍ତ୍ର ଭାବରେ ନୁହେଁ, ବରଂ ବ୍ୟକ୍ତିବାଦର ବିଜ୍ଞପ୍ତି ଭାବରେ ମୁଣ୍ଡ ଟେକିଲା ସାହିତ୍ୟ ।

ଶିଳ୍ପବିପ୍ଳବ ପୂର୍ବରୁ କୃଷିଭିତିକ ସଂସ୍କୃତିରେ ପରିପୁଷ୍ଟ ହୋଇଥିବା ସାହିତ୍ୟକୁ ନିୟନ୍ତ୍ରଣ କରୁଥିଲେ ସାମନ୍ତବାଦୀ ଶ୍ରେଣୀ । ରାଜା ଜମିଦାରମାନଙ୍କ ପୃଷ୍ଠପୋଷକତା କିନ୍ତୁ ସାହିତ୍ୟର ସ୍ୱାଧୀନତାକୁ ଅପହରଣ କରି ନେଇଥିଲା ସେଦିନ । ଦରିଦ୍ର ଲେଖକ ବଂଚିବାର ଦାୟରେ ଜୟଗାନ କରୁଥିଲା ରାଜା ରାଜୁଡାଙ୍କର, ଅତ୍ୟାଚାରୀ ଜମିଦାର ଶ୍ରେଣୀର । ଏପରିକି ରାଜାମାନଙ୍କ ନାମରେ ବହୁକବି, ଲେଖକ ‘ଭଣିତା’ କରି ଯାଉଥିଲେ ନିଜସ୍ୱ ସାରସ୍ୱତ ସୃଷ୍ଟି ସମ୍ଭାର । ମାତ୍ର ଶିଳ୍ପବିପ୍ଳବ ପରେ ସାହିତ୍ୟକ୍ରମେ ପାଲଟିଲା ବଣିକର ପଣ୍ୟ… ପୁଞ୍ଜିବାଦୀ ଶିଳ୍ପପତିର ବିଳାସସାମଗ୍ରୀ । ଶସ୍ତା ଆମୋଦ ହୋଇପଡିଲା ସାହିତ୍ୟର ଆଭିମୁଖ୍ୟ ।

ଆଧୁନିକ ସାହିତ୍ୟ ଉପରୋକ୍ତ ନୂତନ ସାହିତ୍ୟର ଉତ୍ତର-ପର୍ବ । ରାଜା, ଜମିଦାର, ସାମନ୍ତ, ଶିଳ୍ପପତିଙ୍କ ପରେ ଏବେ ଶାସକବର୍ଗର ନିର୍ଲଜଚାଟୁକାର ସାଜୁଛନ୍ତି ଅଧିକାଂଶ କବିଲେଖକ । ନିଜକୁ ନିଲାମ୍‌ କରୁଛନ୍ତି ନାମମାତ୍ର ମୂଲ୍ୟରେ । ସାହିତ୍ୟର ନାଡିନକ୍ଷତ୍ର ଠିକ୍‌ଠାକ୍ ଅଛି ବୋଲି ବିଶ୍ୱାସ ହେଉ ନାହିଁ ମୋଟେ । ଅରଣ୍ୟର ନିର୍ଜନତା ମଧ୍ୟରେ ଯେଉଁ ସାହିତ୍ୟ ମହାଜୀବନର ପଥ ସନ୍ଧାନ କରୁଥିଲା ଦିନେ, ସେ ସାହିତ୍ୟ ଆଜି ପଂଚତାରକା ହୋଟେଲ୍‌ର ପ୍ରମୋଦ ଆସର ମଧ୍ୟରେ ନିଜକୁ ଉନ୍ମୋଚିତ କରାଇ, ହରାଇ ବସିଛି ନିଜସ୍ୱ ଅସ୍ତିତ୍ୱ । କୁତ୍ରିମ ପ୍ରସାଧନରେ ସଜ୍ଜିତ କରିଛି ନିଜକୁ ।

ଏଇଠି ହିଁ ପ୍ରଶ୍ନ ଉଠୁଛି ସାହିତ୍ୟର ଦାୟିତ୍ୱ ସମ୍ପର୍କରେ । ସାହିତ୍ୟ ତା’ର ଦାୟିତ୍ୱ ତୁଲାଇ ପାରୁଛି କି ସଠିକ୍ ‌ଭାବରେ ?

ବର୍ତମାନ ଆଖି ଆଗରେ ଯାହା ଦିଶି ଯାଉଛି, ସେଥିରେ ଜଳକା ହେବା ଛଡା ଅନ୍ୟଗତି ନାହିଁ ଆମର । ପତ୍ରପତ୍ରିକାଠାରୁ ପୁସ୍ତକ ପର୍ଯ୍ୟନ୍ତ ଯାହାସବୁ ପଠନୀୟ ସାମଗ୍ରୀ ମିଳୁଛି, ସେଥିରୁ ଅଧିକାଂଶ ନିମ୍ନରୁଚିର ନିନ୍ଦନୀୟ ନିଦର୍ଶନ । ବ୍ଲୁ ଫିଲ୍ମର କୁତ୍ସିତକା ମୋଦ୍ଦୀପକ ଆଭିମୁଖ୍ୟ ଓ ଏଲୋଜର୍ଣ୍ଣାଲିଜମ୍‌ର ହୋ-ହଲ୍ଲାଧର୍ମୀ ହଟଚମଟ ସହିତ ତାଳ ଦେବାକୁବସୁଛି ଆଜିରଲେଖକ ।

ଏଇଠିସେଇ ପ୍ରଶ୍ନ – ଏସବୁଲେଖା କ’ଣ ସାହିତ୍ୟ ? ଅତି କଠୋର ଉତ୍ତର – ନା, ନା, ନା !

ସବୁ ଯୁଗରେ, ସାହିତ୍ୟର ଭିଡ ଭିତରେ, ଏଇ ‘ନା-ନା-ନା’ର ବିରଳସ୍ୱର ଯେତେକ୍ଷୀଣ ଭାବରେ ହେଉ ସୁଦ୍ଧା – ଉଚ୍ଚାରିତ ହୋଇ ଆସିଛି, ନିର୍ଭୀକ ଭାବରେ, ଏ ସ୍ୱର ଦାୟିତ୍ୱର ସ୍ୱର, ଦାୟବଦ୍ଧତାର ସ୍ୱର, ଦୁର୍ବାର ଅଙ୍ଗୀକାରର ଦୁର୍ଦ୍ଧର୍ଷ ଇସ୍ତାହାର ! ମେଣ୍ଢାମାନଙ୍କ ମେଳରେ ଭେଣ୍ଡା ପରି ପ୍ରତ୍ୟେକ ଯୁଗରସୁବିଧାବାଦୀ ନିରାପତା ପ୍ରେମୀଚାରଣ ଚାଟୁକାର ଲେଖକମାନଙ୍କ ଭିଡଭିତରେ ବି ଆମେ ଲକ୍ଷ୍ୟ କରିଛେ ଜଣେ ଜଣେ ସଂକଳ୍ପବଦ୍ଧ ଶଙ୍କାହୀନ ସାହିତ୍ୟକାରକୁ – ଯେଉଁମାନଙ୍କ ଲେଖାସବୁ ସାହିତ୍ୟର ଦାୟିତ୍ୱ ତୁଲାଇ ଆସିଛି ପ୍ରାଣପଣେ । ସେମାନେ ମୃତ୍ୟୁକୁ ଭୟକରି ନାହାନ୍ତି, ଯନ୍ତ୍ରଣାର ଯୂପକାଠକୁ ଡରି ନାହାନ୍ତି, ରାଜଦଣ୍ଡ ଓ ଫାଶିମଂଚକୁ ଖାତିର୍ ‌କରି ନାହାନ୍ତି ମୋଟେ ।

ପ୍ରାଚୀନ ଗ୍ରୀକ୍‌ସମାଜର ତରୁଣମାନଙ୍କୁସଚେତନ କରିବାର ‘ଅପରାଧ’ରେ ସେଦିନର ଶାସନତନ୍ତ୍ର ବିଷ ପିଇବାର ‘ଶାସ୍ତି’ ଦେଇଥିଲା ସକ୍ରେଟିସ୍‌ଙ୍କୁ । ସକ୍ରେଟିସ୍ ନିଜ ଆଦର୍ଶରୁ ବିଚ୍ୟୁତ ହୋଇ ବଂଚିରହିବା ଅପେକ୍ଷା ବିଷପିଇ ମରିଯିବାକୁ ଅଧିକ ଶ୍ରେୟସ୍କର ମଣିଥିଲେ ସେଦିନ ।

ଆଜି ପ୍ରତ୍ୟେକ ସଚେତନ ସାହିତ୍ୟିକଙ୍କୁ ଏ ପ୍ରଶ୍ନର ଉତ୍ତର ଦେବାକୁ ପଡିବ ନିଶ୍ଚୟ । ସନ୍ତୁଷ୍ଟ ଶୂକରର ପୂତିଗନ୍ଧମୟ ଜୀବନ ନା ଅସନ୍ତୁଷ୍ଟ ସକ୍ରେଟିସ୍‌ର ଆଦର୍ଶ ଆତ୍ମବଳିଦାନ – କେଉଁଟା ସେମାନଙ୍କ ପାଇଁ ସ୍ପୃହଣୀୟ ?

ସାହିତ୍ୟର ଆତ୍ମାକୁ ଉଦ୍ଧାର କରାଯିବାର ଅଭିଯାନ ଆରମ୍ଭ ହେଉ ଏବଠୁ । ସାହିତ୍ୟକୁ ବାରବଧୂ ନ କରି ସୁଗୃହିଣୀର ସମ୍ମାନ ଓ ସାଂଭ୍ରାନ୍ତ୍ୟରେ ଭୂଷିତ କରିବାର ଦାୟିତ୍ୱ ସାହିତ୍ୟିକମାନଙ୍କର । ବିରାଟ ବୁଭୁକ୍ଷୁ ସମାଜର ଦୀର୍ଘ ଶ୍ୱାସକୁ ଉପେକ୍ଷା କରି ମୁଷ୍ଟମେୟମାନ ସଭୋଜ୍ୟ ନ ହେଉସାହିତ୍ୟିକରସୃଷ୍ଟି ।

ଅଥଚ ଆମ ଲେଖକମାନଙ୍କର ଆଦର୍ଶ ହେବା ଉଚିତ୍ – ସନ୍ତୁଷ୍ଟ ଶୂକର ନୁହେଁ, ଅସନ୍ତୁଷ୍ଟ ସକ୍ରେଟିସ୍‌! ଏ କଥା ଭୁଲିଗଲେ ଚଳିବ ନାହିଁ ।
ଯାଜପୁରରୋଡ, ଯାଜପୁର, ମୋ: ୯୮୬୧୦୩୪୧୬୩

Comments are closed.