Latest Odisha News

BREAKING NEWS

ଛାତ ଉପରେ ବଗିଚା(୧)

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’)

ସମୟର ସାରାଂଶରେ ଜନସଂଖ୍ୟା ଏବେ ହୁ ହୁ ହୋଇ ବଢ଼ୁଛି । ଚାଷଜମି ସବୁ ପଡ଼ିଆ ହୋଇ ପଡ଼ିରହୁଛି । ଆଉ ବାକିତକ କାରଖାନାର କଳେବରରେ ଚାପିହୋଇଗଲେଣି । ଯେଉଁ ଚାଷଜମି ସଭ୍ୟତାର ଆଦ୍ୟ ଓଁକାର ଥିଲା ଆଜି ତାହା ନିସ୍ୱ ପାଲଟିଯାଇଛି । ବିଜ୍ଞାନର ଚକ୍ରବୃଦ୍ଧି ହାର ସହ କୃଷି ବି ଏବେ ଅବହେଳିତ । ପରିବେଶ ଆଜି ଶ୍ରୀହୀନ । ଯାହା ଦିନେ ସବୁଜିମାର ଆବରଣ ତଳେ ବେଶ ସତେଜ ହେଇ ଝଲସି ଉଠୁଥିଲା ଆଜି ସେସବୁ ମୁକ ପାଲଟିଯାଇଛି । କିନ୍ତୁ ସହରୀକରଣ ମଧ୍ୟରେ ଏବେ ମୁଣ୍ଡଟେକି ଉଠିଛି ରୁଫଟପ୍ ଗାର୍ଡ଼େନିଙ୍ଗ । ଯାହା ପୁଣିଥରେ
ସବୁଜମୟ ହେବାର ପରିକଳ୍ପନା ନେଇ ଘରର ଛାତ ଉପରେ ଶୋଭା ପାଉଛି । ଘର ଛାତ ତ ଶ୍ୟାମଳର ରଙ୍ଗରେ ଭିଜିଯାଉଛି ତା ସହ ମନ ଓ ଶରୀର ଏକ ଅଫୁରନ୍ତ ଆନନ୍ଦରେ ଆନନ୍ଦିତ ବି ହେଉଛି । ରୁଫଟପ୍ ଗାର୍ଡ଼େନିଙ୍ଗ-
ଘର ଉପରେ ଆକର୍ଷଣୀୟ ଝଲକ ତଥା ମନଲୋଭା ସୌନ୍ଦର୍ଯ୍ୟ ସହ ବେଶ ଜୀବନ୍ତ ଲାଗୁଛି ।

ସମ୍ପ୍ରତି ଭାରତବର୍ଷରେ କ୍ରମବର୍ଦ୍ଦିଷ୍ଣୁ ଜନସଂଖ୍ୟା ସମସ୍ତଙ୍କ ପାଇଁ ଏକ ବିରାଟ ସମସ୍ୟା ସୃଷ୍ଟି କରିଛି । ଏପରିକି ଏହା ବିଶ୍ୱର ସମାଜିକ,ଅର୍ଥନୈତିକ ତଥା ପରିବେଶ ପାରିପାଶ୍ୱିର୍କ ଅବସ୍ଥା ଉପରେ ମଧ୍ୟ ନାନାଦି ସମସ୍ୟା ଉପୁଜାଉଛି । ୧୯୯୬ ଜୁନ ମାସରେ ହୋଇଥିବା ଏକ ଅନ୍ତର୍ଜାତୀୟ କନଫେରେନ୍ସରେ ସହରାଂଚଳ କୃଷି ବା ଅର୍ବାନ
ଏଗ୍ରିକଲଚର ମୁଖ୍ୟ ଏଜେଣ୍ଡା ଭବେ ସ୍ଥାନ ପାଇଥିଲା । ସହରାଂଚଳ କୃଷି କଣ? ସାଧାରଣତଃ ଗ୍ରାମାଂଚଳରେ କୃଷିକୁ ପ୍ରାଥମିକତା ଦିଆଯାଇଥାଏ । ପରନ୍ତୁ ଆଜିକାଲି ସହରରେ ମଧ୍ୟ କୃଷିର ଚାହିଦା ଢ଼େର ଅଧିକ । ସହରରେ କୃଷିର ଗୁରୁତ୍ୱକୁ ବଢ଼ାଇବା ପାଇଁ ଏବେ ସହରରେ ମଧ୍ୟ ବିଭିନ୍ନ ପ୍ରକାର ଉପାୟ ଆପଣାଇ କୃଷି କାର୍ଯ୍ୟ କରାଯାଉଛି । ଯେପରିକି ପାକଶାଳା ବଗିଚା , ରୁଫଟଫ ଗାର୍ଡ଼େନିଙ୍ଗ , ଭର୍ଟିକାଲ ଗାର୍ଡ଼େନିଙ୍ଗ ଇତ୍ୟାଦି । ସହର ମାନଙ୍କରେ କରାଯାଉଥିବାରୁ ଏହା ବିଶେଷ ଭାବରେ ପରିବେଶ ସନ୍ତୁଳନରେ ରକ୍ଷା କରିଥାଏ । ପ୍ରଥମତଃ ସହର ମାନଙ୍କରେ ସର୍ବାଧିକ ଅଦରକାରୀ ପଦାର୍ଥ , ବର୍ଜ୍ୟବସ୍ତୁ ତଥା ଜୈବିକ ବସ୍ତୁ ବାହାରିଥାଏ । ସହରାଂଚଳ କୃଷି ଏହିସବୁ ପଦାର୍ଥକୁ ଏକ ଭିନ୍ନ ପରିପାଟୀ ପ୍ରଦାନ କରି ନୂଆ ସମ୍ପଦ ସୃଷ୍ଟି କରିଥାଏ । ଯାହା ଫଳରେ ଜଳ
ସଂରକ୍ଷଣ , ମୃର୍ତ୍ତିକା ସଂରକ୍ଷଣ ଠାରୁ ଆରମ୍ଭ କରି ଏହା ଏକ ସୁସ୍ଥ ଓ ସୁନ୍ଦର ପରିବେଶର ବାତାବରଣ ତିଆରି କରେ । ଏହା ମଣିଷକୁ ବଂଚିବାର ଏକ ନୂଆ ରାହା ଯୋଗାଉଛି କହିଲେ ବି ଅତ୍ୟୁକ୍ତି ହେବ ନାହିଁ ।

ରୁଫଟପ୍ ଗାର୍ଡ଼େନିଙ୍ଗ- ଚାଷ ଜମିରେ ସବୁପ୍ରକାର ଫସଲ ଚାଷ କରାଯାଇଥାଏ । ଏକଥା ତ ସମସ୍ତଙ୍କୁ
ଜଣା । କିନ୍ତୁ ଥରେ ଚିନ୍ତା କଲେ ଯଦି ସହରରେ ଘର କରି ରହୁଥିବେ , ଆଉ ଘର ଛାତ ଉପରେ ଭେଳିକି ଭେଳି ପନିପରିବା ଆଉ ଫୁଲଗଛ ଲାଗିଥିବ । ସଂନ୍ଧ୍ୟା ହେଲେ ମହମହ ପବନ ସହ ସେସବୁ ଖୁବ୍ ଆକର୍ଷଣୀୟ
ଲାଗୁଥିବେ ,ଏହା ମନକୁ ଆନନ୍ଦିତ କରିବା ସହ ମାନସିକ ଶାନ୍ତି ପ୍ରଦାନ କରେ । ସେହି ପରିପ୍ରେକ୍ଷୀରେ ରୁଫଟପ୍‌ର ଆକ୍ଷରିକ ଅର୍ଥ ଛାତ ଉପର ।


ଅର୍ଥାତ ଏହା କୁହାଯାଇପାରେ ଘରର ଛାତ ଉପରେ ଜୈବିକ ଉପାୟରେ ବିଭିନ୍ନ ଫସଲ (ପନିପରିବା , ଫୁଲ , ଔଷଧୀୟ ଗଛ ଇତ୍ୟାଦି) ଚାଷ କରିବାର ପ୍ରଣାଳୀକୁ ରୁଫଟପ୍ ଗାର୍ଡ଼େନିଙ୍ଗ କୁହାଯାଏ । ରୁଫଟପ୍ ଗାର୍ଡ଼େନିଙ୍ଗ ସହରାଂଚଳ କୃଷିର ଏକ ସ୍ୱତନ୍ତ୍ର ଅବଦାନ । କହିବାକୁ ଗଲେ ଘରର ଛାତ ଉପରେ ଥିବା ଖାଲି ସ୍ଥାନ ସବୁବେଳେ
ଅଦରକାରୀ ହୋଇ ପଡ଼ିରହିଥାଏ । ତେବେ ଏସବୁ ସ୍ଥାନକୁ ଯଦି କୌଣସି ଉପାୟରେ କର୍ମ ଉପଯୋଗୀ କରାଯାଇପାରନ୍ତା ତାହେଲେ ଏହା ସବୁଜମୟ ପରିବେଶ ସୃଷ୍ଟି କରିପାରିବ । ଘରର ଛାତ ଉପରେ ବଗିଚାଟିଏ
ଉପଯୁକ୍ତ ସୂର୍ଯ୍ୟାଲୋକ ଓ ବର୍ଷା ପାଇପାରେ । ସବୁଠାରୁ ବଡ଼ କଥା ଏହା କି ରୁଫଟଫ ଗାର୍ଡ଼େନିଙ୍ଗ କରିବା ଦ୍ୱାରା ଯେଉଁ ଜଳ ନଷ୍ଟ ହୋଇ ଯାଉଥିଲା ତାହାକୁ ରୋକାଯାଇପାରିବ । ପରିବେଶକୁ ସୁରକ୍ଷିତ ରଖାଯାଇପାରିବ । ସୁତରାଂ ଏହା ଏକ ଅତ୍ୟାଧୁନିକ କୌଶଳ ଓ କମ ଖର୍ଚ୍ଚରେ ଆତ୍ମନିର୍ଭରଶୀଳ ହେବାର ଏକ ନୂତନ ସୋପାନ ।
ଉପକାରିତା –

-ଶତକଡ଼ା ୫୦ଭାଗ ଜଳକୁ ସଂରକ୍ଷିତ କରାଯାଇପାରିବ ଓ ଏହା ଗଛର ବଂଶବିସ୍ତାରରେ ସାହାଯ୍ୟ କରିଥାଏ ।

-ଘରର ଛାତକୁ ଯେକୌଣସି କ୍ଷତିକାରକ ରଶ୍ମି ଓ ଅତ୍ୟଧିକ ତାପମାତ୍ରା କବଳରୁ ରକ୍ଷା କରିଥାଏ ।

-ଖରା ଦିନେ ଛାତ ଥଣ୍ଡା ଓ ଶୀତ ଦିନେ ଉଷୁମ ରହିଥାଏ ।

-ପରିବେଶ ପ୍ରଦୂଷଣରୁ ମୁକ୍ତ ତଥା ପରିବେଶ ସନ୍ତୁଳନରେ ସାହାଯ୍ୟ କରେ ।

-ମାନସିକ ଶାନ୍ତି ତଥା ଏହା ଆକର୍ଷଣୀୟ ପରିପାଟୀରେ ଶୋଭା ପାଇଥାଏ ।

-ଘର ଛାତ ଉପରେ ଥିବାରୁ ଉସ୍ୱେଦନ ପ୍ରକ୍ରିୟାରେ ଉତ୍ତାପ ହ୍ରାସ କରିଥାଏ ।

ରୁଫଟପ୍ ଗାର୍ଡ଼େନିଙ୍ଗର ଯୋଜନା ପ୍ରସ୍ତୁତ-

ତେବେ ଘରର ଛାତ ଉପରେ ଏପରି କରିବା ପୁର୍ବରୁ ଆମକୁ ଏକ ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ ।

-ପ୍ରଥମତଃ ରୁଫ ଗାର୍ଡ଼େନ କିପରି କରିବା ?

-କେଉଁ କେଉଁ ପନିପରିବା ତଥା ଫସଲ ଲଗେଇବାକୁ ଯୋଜନା କରିବା ।

– ମୃର୍ତ୍ତିକାର ସ୍ତର , ଡ଼୍ରେନେଜ ବ୍ୟବସ୍ଥା, ଜଳସେଚନର ସୁବିଧା

– ଏସବୁ ଦିଗରେ ଧ୍ୟାନ ଦେବା ଆବଶ୍ୟକ ।

-ଫସଲ ଲଗେଇବା ପରଠୁ ଅମଳ ଯାଏଁ ଉପଯୁକ୍ତ ତଦାରଖ କରିବା ଆବଶ୍ୟକ ।

(କ୍ରମଶଃ..)

(ସମ୍ପାଦକ – ଶ୍ୟାମଳ ସୁବର୍ଣ୍ଣ . ବାସୁଦେବପୁର , ଭଦ୍ରକ)

Leave A Reply

Your email address will not be published.