Latest Odisha News

BREAKING NEWS

ଉତ୍ତରାଖଣ୍ଡର କଙ୍କାଳ ହ୍ରଦ: ଏହାର ନାଁ ଏପରି କାହିଁକି, ଜାଣନ୍ତୁ ଏହାର ରହସ୍ୟ..

ଓଡ଼ିଶା ସମ୍ବାଦ ବ୍ୟୁରୋ; ସାଧାରଣତଃ କିଛି ଶାନ୍ତ ଜାଗାକୁ ବୁଲିଯିବା କଥା କହିଲେ ମନକୁ ଆସେ କିଛି ପାହାଡିଆ କିମ୍ବା ନଦୀକୂଳିଆ ସ୍ଥାନ । ଅନେକ ଲୋକେ ନଦୀ କୂଳିଆ ସ୍ଥାନ ଓ ସମୂଦ୍ରକୂଳକୁ ଯିବାକୁ ପସନ୍ଦ କରୁଥିବା ବେଳେ ଅନେକ ଲୋକ କିଛି ଶୁନଶାନ ଯାଗାକୁ ଯିବାକୁ ପସନ୍ଦ କରନ୍ତି । ଏପରି ଏକ ଶୁନଶାନ ଯାଗା ହେଉଛି ‘ରୂପ କୁଣ୍ଡ’ । ଯାହାକୁ କଙ୍କାଳ ହ୍ରଦ ମଧ୍ୟ କୁହାଯାଏ । ଏବେ ଆପଣଙ୍କ ମନରେ ଦ୍ଵନ୍ଦ ଆସୁଥିବା ଯେ ଏହି କଙ୍କାଳ ହ୍ରଦ କ’ଣ ? ଭାରତରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ଦେଖିବାକୁ ମିଳେ କଙ୍କାଳ ହ୍ରଦ ।

ଉତ୍ତରାଖଣ୍ଡର ଗରହ୍ଵାଲ ଉପତ୍ୟକାରେ ରହିଛି ଏହି କଙ୍କାଳ ହ୍ରଦ । ଯାହାର ନାମ ହେଉଛି ରୂପକୁଣ୍ଡ କଙ୍କାଳ ହ୍ରଦ । ସ୍ଥାନୀୟ ଅଞ୍ଚଳରେ ଏହାକୁ ରହସ୍ୟମୟୀ ନଦୀ କୁହାଯାଉଥିବା ବେଳେ ଏହାକୁ ନେଇ ରହିଛି ଅନେକ ଅକୁହା କଥା । ତେବେ ଏହି ହ୍ରଦକୁ କଙ୍କାଳ ହ୍ରଦ କୁହାଯିବା ପଛରେ ରହିଛି ଅନେକ ଲୋକକଥା । ଏହି ହ୍ରଦରେ ବାସ୍ତବରେ ଶହ ଶହ ନରକଙ୍କାଳ ପଡିଥିବାର ଦେଖାଯାଏ । ଯେଉଁଥିପାଇଁ ଏହାର ଏପରି ନାମକରଣ କରାଯାଇଛି । ରୂପକୁଣ୍ଡ ହ୍ରଦ ଏକ ଗ୍ଲାସିୟର ହ୍ରଦ ହୋଇଥିବା ବେଳେ ବର୍ଷକୁ ପ୍ରାୟ ୮ ମାସ ଏଠାରେ ବରଫ ଜମି ରୁହେ । ତେଣୁ କେବଳ ଖରା ଦିନେ ବରଫ ତରଳିବା ପରେ ହିଁ ଏହି ନର କଙ୍କାଳଗୁଡିକ ସ୍ପଷ୍ଟ ଦେଖାଯାଏ ।

ପ୍ରଥମେ ଏହି କଙ୍କାଳଗୁଡିକ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଦେଖାଯାଇଥିଲା । ଜଣେ ଗେମ ରିଜର୍ଭ ରେଞ୍ଜର ଏହାକୁ ପ୍ରଥମେ ଠାବ କରିଥିଲେ । ସେ ସମୟରେ ବିଶ୍ଵାସ କରାଯାଉଥିଲା କି ଏହି କଙ୍କାଳ ଭାରତରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା କିଛି ଜାପାନୀ ସୈନିକଙ୍କର ଥିଲା । ହେଲେ ପରବର୍ତ୍ତୀ ସମୟରେ ଏକ ବ୍ରିଟିଶ ଗବେଷକ ଦଳ ଅନୁଧ୍ୟାନ କରି କହିଥଲେ କି ଏହି କଙ୍କାଳ ତା’ଠାରୁ ବି ଢେର ପୁରୁଣା ।

୨୦୦୪ ମସିହାରେ ନ୍ୟାସନାଲ ଜିଓଗ୍ରାଫିକ ମାଗାଜିନର ଏକ ଦଳ ଏହି କଙ୍କାଳ ହ୍ରଦକୁ ବୁଲିବାକୁ ଆସିଥିଲେ । ଅନୁଧ୍ୟାନ ପାଇଁ ସେମାନେ ଏଠାରୁ ପ୍ରାୟ 30ଟି ନର କଙ୍କାଳକୁ ଉଦ୍ଧାର କରିଥିଲେ । ହ୍ରଦଟି ଅଧିକାଂଶ ସମୟରେ ବରଫରେ ଆଚ୍ଛାଦିତ ହୋଇ ରହୁଥିବାରୁ କଙ୍କାଳଗୁଡିକ ଦେହରେ କେତେକ ଅବଶେଷ ରହିଥିବା ଦେଖିବାକୁ ମିଳିଥିଲା । କେତେକ କଙ୍କାଳରେ କେଶ ଓ ଚମଡା ମଧ୍ୟ ଲାଗି ରହିଥିବା ଦେଖାଯାଇଥିଲା । ଏଠାରୁ ସଂଗୃହୀତ କଙ୍କାଳ ଓ ଅବଶିଷ୍ଟାଂଶର ପରୀକ୍ଷା କରି ହାଇଦ୍ରାବାଦର ଜେନେସିଶିଷ୍ଟମାନେ ମତ ଦେଇଥିଲେ କି ଏହି କଙ୍କାଳଗୁଡିକ ପ୍ରାୟ 1200 ବର୍ଷ ପୁରୁଣା । ଯାହାକି ପ୍ରାୟ ନବମ ଶତାବ୍ଦୀର ବୋଲି ଆକଳନ କରାଯାଇଥିଲା ।

ଏହି ନର କଙ୍କାଳ ହ୍ରଦକୁ ନେଇ ରହିଥିବା ଲୋକକଥା ଅନୁଯାୟୀ ଏକଦା ଏହି ଉପତ୍ୟକାରେ ଭୟଙ୍କର ତୁଷାରପାତ ସାଙ୍ଗକୁ କୁଆପଥର ମାଡ ହୋଇଥିଲା । ଏହା ଏତେ ଭୟଙ୍କର ଥିଲା କି ଏଥିରେ ଅନେକ ଲୋକେ ଗୁରୁତର ହୋଇପଡିଥିଲେ । କୁଆପଥରଗୁଡିକ ଏତେ ଶକ୍ତ ଥିଲା କି ସତେ ଯେପରି ଆକାଶରୁ ପଥରମାଡ ହେବା ପରି ଲାଗୁଥିଲା । ଏହା ପଛରେ ପ୍ରକୃତ କାରଣ ୨୦୧୩ ମସିହା ପର୍ଯ୍ୟନ୍ତ ରହସ୍ୟ ଘେରରେ ରହିଥିଲା । ହେଲେ ଶେଷରେ ଏକ ଗବେଷକ ଦଳ ଏହି ରହସ୍ୟ ଉପରୁ ପରଦା ହଟାଇ ପ୍ରକାଶ କରିଥିଲେ କି ବିଶାଳକାୟ କୁଆପଥର ମାଡ ହିଁ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପଛର ପ୍ରକୃତ କାରଣ । କାରଣ ହ୍ରଦରୁ ଉଦ୍ଧାର ହୋଇଥିବା କଙ୍କାଳଗୁଡିକର କାନ୍ଧ ଓ ଶରୀରର ଅନ୍ୟ ଅଂଶରେ ଫ୍ରାକ୍ଚର ଥିବା ଦେଖିଯାଇଥିଲା ।

୨୦୦୪ ମସିହାରୁ ଏହି ସ୍ଥାନଟି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ଉଭା ହୋଇଛି କହିଲେ କିଛି ଭୁଲ ହେବ ନାହିଁ । କେବଳ ଯେ କଙ୍କାଳ ହ୍ରଦ ହିଁ ରୂପକୁଣ୍ଡର ଆକର୍ଷଣ ତାହା ନୁହେଁ, ଏହା ଟ୍ରେକିଂ ପାଇଁ ମଧ୍ୟ ଏକ ପ୍ରକୃଷ୍ଟ ସ୍ଥାନ । ହେଲେ ଦୁର୍ଭାଗ୍ୟର କଥା କି ଅନେକ ସମୟରେ ଶୁଣିବାକୁ ମିଳେ କି ଟ୍ରେକିଂରେ ଆସିଥିବା ପର୍ଯ୍ୟଟକ ଏଠାରୁ କିଛି କଙ୍କାଳ ଚୋରି କରିନେଇଯାଆନ୍ତି । ଏହାକୁ ଦୃଷ୍ଟିରେ ରଖି ରୂପକୁଣ୍ଡକୁ ସୋସିଆଲ ଇକୋଟୁରିଜିମ ଡେଷ୍ଟିନେସନ ଭାବେ ଘୋଷଣା କରାଯାଇଛି । ଏଣିକି ଯଦି କେହି ଏଠାରୁ କଙ୍କାଳ କିମ୍ବା କଙ୍କାଳର କିଛି ଅଂଶ ଚୋରି କରନ୍ତି ତେବେ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

 

 

Leave A Reply

Your email address will not be published.