ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ : ‘ସମୟର ସ୍ୱର’…
ଆମ ଓଡ଼ିଶାରେ ବାତ୍ୟା ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ଖୁବ୍ ସାଧାରଣ । ସେହି ବାତ୍ୟାକୁ ନେଇ ଗୋଟିଏ ଘଟଣା । ଥରେ ବାତ୍ୟାରେ ଗୋଟିଏ ଗଛ ଉପୁଡ଼ି ପଡ଼ି ନିକଟରେ ଥିବା ଏକ ଗୁହାଳ ଉପରେ ପଡ଼ିଲା । ଫଳରେ ଗୁହାଳର କାନ୍ଥ ଭାଙ୍ଗିଗଲା । କାନ୍ଥ ଭାଙ୍ଗିଯିବାରୁ ଭିତରେ ବନ୍ଧା ହୋଇଥିବା ଏକ ଛେଳିର ବେକ ଦଉଡ଼ିରେ ଚିପି ହୋଇଗଲା ଓ ଛେଳିଟି ମରିଗଲା । ଏବେ ଆସିବା ଛେଳିଟିର ମରିବାର କାରଣକୁ । ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଲା, ଛେଳିଟିର ବେକରେ ପଘା ଚିପି ହୋଇଯିବାରୁ ଅଣନିଃଶ୍ୱାସୀ ହୋଇ ଛେଳିଟି ମରିଛି । ବେକରେ ପଘା ଚିପି ହୋଇଯିବା ଛେଳି ମୃତ୍ୟୁର ଏକମାତ୍ର କାରଣ ନା ଏହା ପଛରେ ଆଉ ବି କିଛି କାରଣ ଅଛି? ବେକରେ ପଘା ଚିପି ହୋଇଯାଇଥିବାରୁ ଛେଳିଟି ମରିଥାଇପାରେ , କିନ୍ତୁ ଏହା ତାର ଏକମାତ୍ର କାରଣ ନୁହେଁ ।
ଛେଳିଟିର ମରିବା ପଛରେ ଆହୁରି ଏକାଧିକ ଓ ଗୁରୁତ୍ୱପୂର୍ଣ୍ଣ କାରଣ ଅଛି । ସ୍ୱାଭାବିକ ଭାବେ ଛେଳିଟିର ବେକରେ ପଘା ଚିପି ହୋଇନାହିଁ । କାନ୍ଥ ପଡ଼ିବା ଯୋଗୁ ଛେଳିଟିର ବେକରେ ପଘା ଚିପି ହୋଇଗଲା । ଆହୁରି କାରଣ ବିଶ୍ଲେଷଣ କଲେ ଆମେ ପାଇବା ଯେ, ବାତ୍ୟା ହେବାରୁ ହିଁ ଗଛ ପଡ଼ିଲା, ଗଛ ପଡ଼ିବାରୁ କାନ୍ଥ ପଡ଼ିଲା ଓ ଛେଳିର ବେକରେ ପଘା ଚିପି ହୋଇଗଲା ଓ ଛେଳିଟି ମୃତ୍ୟୁବରଣ କଲା । ତେଣୁ ଛେଳି ମୃତ୍ୟୁର ଅସଲ କାରଣ ବା ମୂଳ କାରଣ ହେଉଛି ବାତ୍ୟା । କେବଳ ପଘା ବେକରେ ଚିପି ହୋଇ ଛେଳିଟି ମରିଛି କହିଲେ ଏହା ଅର୍ଦ୍ଧସତ୍ୟ ହେବ ।
ସମାଜ ବିଜ୍ଞାନ ଅନୁସାରେ ପ୍ରତ୍ୟେକ ଘଟଣାର ତିନୋଟି କାରଣ ଅଛି । ତୁରନ୍ତ କାରଣ, ଅର୍ନ୍ତନିହିତ କାରଣ ଓ ମୂଳ କାରଣ ବା ମୌଳିକ କାରଣ । ଛେଳି ମୃତ୍ୟୁ କ୍ଷେତ୍ରରେ ପଘା ବେକରେ ଚିପି ହେବା ହେଉଛି ତୁରନ୍ତ କାରଣ । ଗଛ ପଡ଼ିବା ହେଉଛି ଅନ୍ତର୍ନିହିତ କାରଣ ଓ ବାତ୍ୟା ହେଉଛି ମୂଳ କାରଣ । ସମ୍ପ୍ରତି ଆମ ରାଜ୍ୟ ଓ ଦେଶରେ ଦେଖାଯାଉଥିବା ବ୍ୟାପକ କୃଷକ ଆତ୍ମହତ୍ୟା ଘଟଣା ଗୁଡ଼ିକୁ ଠିକ ଏହିପରି ତର୍ଜ୍ଜମା ନକଲେ ସତ୍ୟର ଅପଳାପ ହେବ । ରିପୋର୍ଟ ଅନୁସାରେ ୨୦୧୩ରୁ ୨୦୨୨, ଦଶ ବର୍ଷ ମଧ୍ୟରେ ଆମ ରାଜ୍ୟର ୨୧ଟି ଜିଲ୍ଲାରେ ୭୯ ଜଣ ଚାଷୀ କୃଷିଜନିତ କାରଣରୁ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି । କିନ୍ତୁ ଏହି ସବୁ ଆତ୍ମହତ୍ୟାକୁ ସରକାର ଚାଷୀ ଆତ୍ମହତ୍ୟା ତଥା କୃଷିଜନିତ କାରଣରୁ ଆତ୍ମହତ୍ୟା ବୋଲି ମାନିବାକୁ ରାଜି ନୁହଁନ୍ତି ।
ରାଜ୍ୟ ସରକାରଙ୍କ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଏହି ସବୁ ଆତ୍ମହତ୍ୟାର ତଦନ୍ତ କରାଯାଇଥିଲା । ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ, କୃଷିଜନିତ କାରଣରୁ ନୁହେଁ ବରଂ ପାରିବାରିକ ସମସ୍ୟା ଓ ଅନ୍ୟାନ୍ୟ କାରଣରୁ ଚାଷୀମାନେ ଆତ୍ମହତ୍ୟା କରିଛନ୍ତି । ଖୋଦ୍ କୃଷିମନ୍ତ୍ରୀ ଗତ ବିଧାନସଭାରେ ଏହି ତଥ୍ୟ ରଖିଥିଲେ । ୨୦୧୫ ମସିହାରେ ବଲାଙ୍ଗୀର ଜିଲ୍ଲାରେ ଆତ୍ମହତ୍ୟା କରିଥିବା ତିନି ଜଣ ଚାଷୀଙ୍କ ତଦନ୍ତ ରିପୋର୍ଟରେ କୃଷି ବିଭାଗର ଅଧିକାରୀ କହିଛନ୍ତି ଯେ, ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ଯଦି କାରଣ ଜଣାପଡ଼ିନାହିଁ, ତାହେଲେ ଏହା କିପରି ତଦନ୍ତ! ନବରଙ୍ଗପୁର ଜିଲ୍ଲାରେ ଆତ୍ମହତ୍ୟା କରିଥିବା ତିନି ଜଣ ଚାଷୀଙ୍କ ତଦନ୍ତ ରିପୋର୍ଟରେ ଦର୍ଶାଯାଇଛି ଯେ, ପାରିବାରିକ କାରଣ ଯୋଗୁ ସେମାନେ ଆତ୍ମହତ୍ୟା କରିଛନ୍ତି । ବରଗଡ଼ ଜିଲ୍ଲାରେ ୨୦୧୫ରୁ ୨୦୧୭ ମଧ୍ୟରେ ସର୍ବାଧିକ ୧୪ ଜଣ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ରିପୋର୍ଟରେ କୁହାଯାଇଛି ଯେ, କିଛି ଚାଷୀ ପାରିବାରିକ କଳହ ଓ କିଛି ଚାଷୀ ମାନସିକ ଚାପରେ ରହିଥିବା ଯୋଗୁ ଆତ୍ମହତ୍ୟା କରିଛନ୍ତି । ଆଉ କିଛି ଚାଷୀଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ବରଗଡ଼, ବଲାଙ୍ଗୀର ଓ ନବରଙ୍ଗପୁର ପରି ଅନ୍ୟାନ୍ୟ ଜିଲ୍ଲାର ଆତ୍ମହତ୍ୟା ଘଟଣାର ତଦନ୍ତ ରିପୋର୍ଟରେ ବି ଏକାପରି କାରଣ ଦର୍ଶାଯାଇଛି ।
ଆତ୍ମହତ୍ୟାର କାରଣ ଦର୍ଶାଉଥିବା ଏହି ସବୁ ତଦନ୍ତ ରିପୋର୍ଟ ଠିକ୍ ଛେଳି ମୃତ୍ୟୁର କାରଣ ବେକରେ ପଘା ଚିପି ହେବା ପରି । ମୂଳ ଅର୍ଥାତ୍ ମୌଳିକ କାରଣକୁ ଜାଣି ଜାଣି ତଦନ୍ତ ରିପୋର୍ଟରେ ଦର୍ଶାଯାଇନାହିଁ । ଜଣେ ଆତ୍ମହତ୍ୟା କରିଛି ଅର୍ଥ ସେ ମାନସିକ ଚାପରେ ରହିବା ଯୋଗୁ ହିଁ ଆତ୍ମହତ୍ୟା କରିଛି । କିନ୍ତୁ ଅସଲ ପ୍ରଶ୍ନ ହେଉଛି, ସେ ମାନସିକ ଚାପରେ ଥିଲା କାହିଁକି? ଏହି ମୂଳ କାରଣକୁ ଜାଣି ଜାଣି ତଦନ୍ତ ପ୍ରବେଶ କରିନାହିିଁ । ପାରିବାରିକ ଅଶାନ୍ତି କାରଣ ଯୋଗୁ ଚାଷୀଟି ଆତ୍ମହତ୍ୟା କରିଛି, ଏହା ସତ୍ୟ । କିନ୍ତୁ ଏହା ହେଉଛି ଆତ୍ମହତ୍ୟାର ତୁରନ୍ତ କାରଣ । ତାର ଅନ୍ତର୍ନିହିତ କାରଣ କ’ଣ? ମୌଳିକ କାରଣ କ’ଣ? ତାହା ହିଁ ହେବ ଚାଷୀ ଆତ୍ମହତ୍ୟାର ଅସଲ କାରଣ । ତୁରନ୍ତ କାରଣକୁ ଟପି ଯଦି ଆମେ ଘଟଣାକୁ ଆହୁରି ଗମ୍ଭୀର ଭାବେ ବିଶ୍ଲେଷଣ କରିବା ତେବେ ଆମେ ଆତ୍ମହତ୍ୟାର ଅନ୍ତର୍ନିହିତ କାରଣ ଓ ମୌଳିକ କାରଣକୁ ଠାବ କରିପାରିବା ।
ଯଦି ଆମେ ଘଟଣାର ମୂଳକୁ ଦେଖିବାକୁ ଚେଷ୍ଟା କରିବା ତେବେ ପାଇବା ଯେ, ଚାଷୀଟିଏ ଦୀର୍ଘ ବର୍ଷ ହେବ ଚାଷରେ କ୍ଷତି ସହି ସହି ଆସୁଛି । ଅର୍ଥାତ୍ ଚାଷରେ ଯେତିକି ଖର୍ଚ୍ଚ କରୁଛି, ସେତିକି ସେ ଆୟ କରିପାରୁନାହିଁ । ପ୍ରତି ବର୍ଷ କ୍ଷତି ସହୁଛି । ଏହା ପଛରେ ଥିବା କାରଣ ଗୁଡ଼ିକ ହେଉଛି, ଚାଷରେ ନିବେଶ ଖର୍ଚ୍ଚ ବହୁତ ବଢ଼ିଛି । ବିହନ, ସାର, ହଳ, ଶ୍ରମ ସବୁ କିଛି ଚାଷୀଟିକୁ ଚଢ଼ା ଦରରେ କିଣିବାକୁ ପଡ଼ୁଛି । ଅମଳ ପରେ ଚାଷୀ ଯେତେବେଳେ ତାର ଉତ୍ପାଦନକୁ ବିକ୍ରି କରୁଛି, ସେତେବେଳେ ତାକୁ ଉଚିତ୍ ଓ ନ୍ୟାୟପୂର୍ଣ୍ଣ ମୂଲ୍ୟ ମିଳୁନାହିଁ । ଏକ କ୍ୱିଣ୍ଟାଲ ଧାନ ବା ଗହମ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନାମରେ ଚାଷୀକୁ ଯାହା ମିଳୁଛି ତାହା ତାର ନିବେଶ ଖର୍ଚ୍ଚ ଠାରୁ କମ୍ । ତେଣୁ ଚାଷୀଟି ସିଧା ସିଧା କ୍ଷତି ସହୁଛି । ଏତଦ୍ ବ୍ୟତୀତ ଅନେକ ଚାଷୀ ବି ମଣ୍ଡିରେ ସର୍ବନିମ୍ନ ସହାୟକ ମୂଲ୍ୟରେ ତାଙ୍କ ଉତ୍ପାଦ ବିକିବାକୁ ସକ୍ଷମ ନହୋଇପାରି ଆହୁରି କମ୍ ଦାମ୍ରେ ଘରୋଇ ବେପାରୀଙ୍କୁ ବିକ୍ରି କରୁଛନ୍ତି । ଏହା ବାଦ୍ ପ୍ରାୟ ପ୍ରତି ବର୍ଷ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ଯଥା ଅଦିନିଆ ବର୍ଷା, କମ୍ ବର୍ଷା, ଲଗାଣ ବର୍ଷା, ବାତ୍ୟା, ମରୁଡ଼ି, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ମଧ୍ୟ ଚାଷୀଟିର ବ୍ୟାପକ ଫସଲ ହାନୀ ହେଉଛି । ଫଳରେ ଚାଷୀର କ୍ଷତି ବଢ଼ୁଛି । ଉଜୁଡ଼ା ଫସଲର କ୍ଷତିପୁରଣ ନାଁ’ରେ ସରକାର ଯାହା ବି ଦେଉଛନ୍ତି ଓ ଯେତେ ବିଳମ୍ବରେ ଦେଉଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ପରି । ତେଣୁ ଚାଷୀର କ୍ଷତି ବଢ଼ି ବଢ଼ି ଚାଲୁଛି । ଗୋଟିଏ ପଟେ ଚାଷରେ ଚାଷୀର କ୍ଷତି ବଢ଼ୁଛି ଓ ଅନ୍ୟପଟେ ଚାଷରେ ନିବେଶ ଖର୍ଚ୍ଚ ବଢ଼ୁଥିବା ଯୋଗୁ ଚାଷୀର ଋଣ ଭାର ବି ବଢ଼ି ବଢ଼ି ଚାଲୁଛି । ଏହା ଠିକ୍ ବୋଝ ଉପରେ ଲଳିତା ବିଡ଼ା ପରି ହେଉଛି । ବର୍ଷକୁ ବର୍ଷ ଚାଷରେ କ୍ଷତି ଓ ବର୍ଦ୍ଧିତ ଋଣ ଭାର ଯୋଗୁ ଚାଷୀଟିଏ ତାର ପରିବାରର ବୋଝକୁ ଉଠେଇବାକୁ ସକ୍ଷମ ହୋଇପାରୁନାହିଁ । ତେଣୁ ପାରିବାରିକ କଳହ ଓ ଅଶାନ୍ତି ସୃଷ୍ଟି ହେବା ସ୍ୱଭାବିକ । ପାରିବାରିକ କଳହ ଓ ଅଶାନ୍ତି ବଢ଼ିଲେ ଚାଷୀଟି ମାନସିକ ଚାପରେ ରହୁଛି । ଋଣ ଭାର ବଢ଼ି ବଢ଼ି ଚାଲୁଥିବାରୁ ଋଣଦାତାଙ୍କର ଚାଷୀଟିର ଉପରେ ଜୁଲମ୍ ବି ବଢ଼ୁଛି । ଏହାଦ୍ୱାରା ମାନସିକ ଚାପ ଆହୁରି ବଢ଼ୁଛି । ଫଳରେ ଚାଷୀଟି ସହିନପାରି ଆତ୍ମହତ୍ୟାର ରାସ୍ତା ଆପଣେଇ ନେଉଛି । ଏହିସବୁ ଚାଷୀ ଆତ୍ମହତ୍ୟାର ମୂଳ କାରଣକୁ ଯଦି ବିଶ୍ଳେଷଣ କରିବା ତେବେ ଆମେ ପାଇବା ଯେ, ଚାଷରେ କ୍ରମାଗତ କ୍ଷତି ଯୋଗୁ ପାରିବାରିକ ଅଶାନ୍ତି ଓ ମାନସିକ ଚାପ ବଢ଼ୁଛି । ଯଦି ଚାଷୀଟି ଚାଷର ଲାଭ ପାଇଥାନ୍ତା ବା ତା ପରିବାରର ବୋଝକୁ ସୁରୁଖୁରୁରେ ଉଠେଇ ପାରନ୍ତା ତେବେ ନା ପାରିବାରିକ ଅଶାନ୍ତି ବଢ଼ନ୍ତା ନା ମାନସିକ ଚାପ ବଢ଼ନ୍ତା । ତେଣୁ ଚାଷୀ ଆତ୍ମହତ୍ୟାର ମୂଳ ବା ମୌଳିକ କାରଣକୁ ଯଦି ବିଶ୍ଲେଷଣ କରିବା, ତେବେ ଗୋଟିଏ କଥା ମିଳିବ ଯେ, ଏହା କେବଳ ଚାଷ ଜନିତ ଆତ୍ମହତ୍ୟା । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ସରକାର ନିଜ ଭୂମିକାକୁ ଲୁଚେଇବା ପାଇଁ ଜାଣି ଜାଣି କେବଳ ତୁରନ୍ତ କାରଣକୁ ତଦନ୍ତ ରିପୋର୍ଟରେ ଦର୍ଶେଇ ମୂଳ କାରଣକୁ ଆଲୋକକୁ ଆଣୁନାହାନ୍ତି । ଯାହା ମୃତ୍ୟୁବରଣ କରିଥିବା ଚାଷୀମାନଙ୍କୁ ମୃତ୍ୟୁ ପରେ ବି ଜଲିଲ୍ କରୁଛି । ଚାଷୀ ଆତ୍ମହତ୍ୟାର ମୂଳ କାରଣକୁ ନଗଲେ ବା ସତ୍ୟକୁ ସ୍ୱୀକାର ନକଲେ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିବ ନାହିଁ । ଯଦି ଆମେ ସତରେ ଚାଷୀ ଆତ୍ମହତ୍ୟା ପରି ଘଟଣାର ସ୍ଥାୟୀ ସମାଧାନ ଚାହୁଁଛେ ତେବେ ପ୍ରଥମେ ତାର ମୂଳ କାରଣକୁ ଯିବାକୁ ହେବ ଓ ନମ୍ରତାର ସହିତ ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରିବାକୁ ହେବ ।
ଭିରଙ୍ଗ, ତିରଣ, ଜଗତ୍ସିଂହପୁର-
୭୫୪୧୩୮
ମୋ- ୯୪୩୮୪୬୮୪୭୪
Comments are closed.