Latest Odisha News

BREAKING NEWS

ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା: ଏଚଆରପିସିକୁ ତଦନ୍ତ ଭାର ହସ୍ତାନ୍ତର କଲେ ରାଉରକେଲା ଏସ୍ପି

ରାଉରକେଲା: ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣା । ମୃତ୍ୟୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର । ସୁସ୍ମିତା ମିଞ୍ଜଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ଦାୟିତ୍ୱ ପୁଲିସ୍‌ ବିଭାଗର  ମାନବଧିକାର ସୁରକ୍ଷା ସେଲ୍‌(ଏଚଆରପିସି) କୁ ହସ୍ତାନ୍ତର କରାଯାଇଛି । ସେହି ସେଲ୍‌ର ଜଣେ  ଡିଏସ୍‌ପି ପାହ୍ୟାର ଅଫିସରଙ୍କ ତତ୍ତ୍ୱାବଧାନରେ  ଚାଲିବ ତଦନ୍ତ । ଏଚଆରପିସି ମାମଲା ଯିବା ପରେ ସୁସ୍ମିତାଙ୍କ  ମୃତ୍ୟୁର ଗୁମର ଶୀଘ୍ର ଖୋଲିବା ଆଶା କରାଯାଇଛି ।

ଗତ ୧୯ ତାରିଖରେ ସହକାରୀ ଜିଲ୍ଲାପାଳଙ୍କ ମୃତଦେହ ମିଳିଥିଲା । ହେଲେ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇ ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ ମୃତ ସୁସ୍ମିତା ମିଞ୍ଜଙ୍କ ପରିବାର । ଏହା ସହ ନ୍ୟାୟ ଦାବିରେ ଏଡିଏମ ଅଫିସ ଘେରାଉ କରିଥିଲେ ଶତାଧିକ ଆଦିବାସୀ ମହିଳା । ଶତାଧିକ ଆଦିବାସୀ ବିରାଟ ଶୋଭାଯାତ୍ରାରେ ଆସି  ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ  ସମ୍ମୁଖରେ ବିକ୍ଷୋଭ କରିଥିଲେ । ସୁସ୍ମିତାଙ୍କୁ ହତ୍ୟା  କରାଯାଇଥିବା ସେମାନେ ଅଭିଯୋଗ କରିଥିଲେ ।  ଏହାର ସିବିଆଇ ତଦନ୍ତ କରାଯିବା ଓ ଦୋଷୀକୁ  ତୁରନ୍ତ ଗିରଫ ପାଇଁ ସେମାନେ ଦାବି କରିଥିଲେ ।  ଦାବିପୂରଣ ନହେଲେ ସମଗ୍ର ରାଜ୍ୟର  ଆଦିବାସୀ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇବେ  ବୋଲି ଚେତାବନୀ ଦେଇଥିଲେ ।

ସୁନ୍ଦରଗଡ଼  ଆଦିବାସୀ ଜିଲ୍ଲା ମଞ୍ଚ ପକ୍ଷରୁ ଭାରତର  ରାଷ୍ଟ୍ରପତି, ଓଡ଼ିଶା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ,  ଆରଡିସି (ସମ୍ବଲପୁର), ପଶ୍ଚିମାଞ୍ଚଳ ଡିଆଇଜି  ଓ ରାଉରକେଲା ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଏକ  ଦାବିପତ୍ର ପ୍ରଦାନ କରାଯାଇଥିଲା ।  ତା’ ସହ ପୋଲିସ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ସଂପୃକ୍ତ ବଡବଡିଆଙ୍କୁ ବଞ୍ଚାଇବାକୁ ଚାପରେ ଆସି ତଦନ୍ତରେ ଢିଲା ମାରୁଥିବା ଅଭିଯୋଗ ହୋଇଥିଲା । ଏବେ ରାଉରକେଲା ଏସପି ପୁରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ସୁସ୍ମିତା ମିଞ୍ଜଙ୍କ ସନ୍ଦିଗ୍ଧ ମୃତ୍ୟୁ ଉପରୁ ରହସ୍ୟର ପର୍ଦ୍ଦା ହଟିବ ବୋଲି ଆଶା କରାଯାଉଛି ।

 

 

 

Leave A Reply

Your email address will not be published.