ଭୁବନେଶ୍ୱର: ଲୋକସଭା ସଦସ୍ୟ ପଦ ଫେରି ପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଥମଥର ପାଇଁ ନିଜ ସଂସଦୀୟ କ୍ଷେତ୍ର ୱାୟନାଡ଼ ଗସ୍ତ କରିଛନ୍ତି। ସଦସ୍ୟ ପଦ ଫେରିପାଇବା ପରେ ପ୍ରଥମେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ନିଜର ଉଗ୍ର ରୁପ ଦେଖାଇ ରାହୁଲ ଚର୍ଚ୍ଚାକୁ ଆସିଥିଲେ।
ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ଟାର୍ଗେଟ କରିଥିଲେ। ଏସବୁ ପରେ ରାହୁଲ ଏବେ ୱାୟନାଡ଼ରେ ପହଂଚିଛନ୍ତି। ନିଜର ଦୁଇ ଦିନିଆ ୱାୟନାଡ଼ ଗସ୍ତରେ ଯାଇଛନ୍ତି ରାହୁଲ।
ସେଥିପାଇଁ କେରଳ କଂଗ୍ରେସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ରାହୁଲଙ୍କୁ ବିପୁଳ ସ୍ୱାଗତ ସହ ନିଜ ନିର୍ବାଚନ ମଣ୍ଡଳୀର କିଭଳି ସଫଳ କାର୍ଯ୍ୟକ୍ରମ ହୋଇପାରିବ ସେ ନେଇ ଯୋଜନା ହୋଇଛି।
ନିଜ ନିର୍ବାଚନ ମଣ୍ଡଳୀର ବହୁ ଉନ୍ନୟନମୂଳକ କାର୍ଯ୍ୟରେ ଶୁଭାରମ୍ଭ କରିବେ ରାହୁଲ। ରବିବାର ଅର୍ଥାତ ଆସନ୍ତାକାଲି ରାହୁଲ ନାଲୋରନାଦ ଠାରେ ଥିବା ଆମ୍ବେଦକର ମେମୋରିଆଲ କର୍କଟ କେନ୍ଦ୍ର ପାଇଁ ଏଚଟି ପାୱାର ଷ୍ଟେସନର ଉଦଘାଟନ କରିବେ। ସେହିପରି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ।
ୱାୟନାଡରେ ପହଞ୍ଚି ରାହୁଲ ମଣିପୁର ପ୍ରସଙ୍ଗ ଉଠାଇଛନ୍ତି । ସେପଟେ କେରଳ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭି ଟି ସୀଦ୍ଦୀକ୍କୀ ରାହୁଲଙ୍କ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ପ୍ରସ୍ତୁତି ହୋଇଥିବା କହିଛନ୍ତି।
ମୋଦି ସାଙ୍ଗିଆ ସମ୍ପର୍କିତ ବିବାଦୀୟ ଟିପ୍ପଣୀ ପାଇଁ ଦଣ୍ଡାଦେଶ ଯୋଗୁ ରାହୁଲ ଲୋକସଭା ସଦସ୍ୟ ପଦ ହରାଇଥିଲେ। ଯେଉଁଥିପାଇଁ ତାଙ୍କ ସଂସଦୀୟ କ୍ଷେତ୍ରରେ ଉପନିର୍ବାଚନ ହେବ ବୋଲି କୁହାଯାଉଥିଲା।
କିନ୍ତୁ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବା ପରେ ରାହୁଲ ସଦସ୍ୟ ପଦ ଫେରିପାଇଛନ୍ତି। ଏପରିକି ସଦସ୍ୟ ପଦ ହରାଇବା ପରେ ମଧ୍ୟ ରାହୁଲ ନିଜ ସଂସଦୀୟ କ୍ଷେତ୍ର ୱାୟନାଡ଼ ଯିବା ସହ ସତ୍ୟମେବ ଜଯତେ ରାଲି କରିଥିଲେ।
ଯେଉଁଥିରେ ବିପୁଳ ଜନ ସମାଗମ ଦେଖିବାକୁ ମିଳିଥିଲା। ତେଣୁ ସଦସ୍ୟ ପଦ ଫେରି ପାଇବା ପରେ ଏବେ ରାହୁଲଙ୍କ ଗସ୍ତ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। ସେପଟେ ୱାୟନାଡରେ ରାହୁଲ ମଣିପୁର ପ୍ରସଙ୍ଗ ଉଠାଇ କେନ୍ଦ୍ରର ବିଜେପିକୁ ଟାର୍ଗେଟ କରିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।
Comments are closed.