Latest Odisha News

ରାଜ୍ୟସଭା ନିର୍ବାଚନ: ରାଜସ୍ଥାନରେ ଜିତିଲା କଂଗ୍ରେସ, ‘ଜି ନ୍ୟୁଜ’ ପ୍ରତିଷ୍ଠାତାଙ୍କ ବାଟ ଓଗାଳିଲେ ଏହି ବିଧାୟିକା

ଜୟପୁର: ରାଜସ୍ଥାନରେ ଚାରି ରାଜ୍ୟସଭା ଆସନ ମଧ୍ୟରୁ ବିଜେପି ଗୋଟିଏ ଆସନରେ ଏବଂ କଂଗ୍ରେସ ଦୁଇଟି ଆସନରେ ବିଜୟୀ ହେବା ସୁନିଶ୍ଚିତ ଥିଲା। କିନ୍ତୁ କଂଗ୍ରେସର ଜଣେ ପ୍ରାର୍ଥୀ ଏବଂ ଆଉ ଜଣେ ବିଜେପି ସମର୍ଥିତ ପ୍ରାର୍ଥୀ ତଥା ଜି ମିଡିଆର ପ୍ରତିଷ୍ଠାତା ସୁବାଷ ଚନ୍ଦ୍ରାଙ୍କ ମଧ୍ୟରୁ କିଏ ଯିବ ରାଜ୍ୟସଭା ସେ ନେଇ ଅଙ୍କକଷା ହେଉଥିଲା । କାରଣ ଏହି ଦୁଇ ପ୍ରାର୍ଥୀ ବିଜୟୀ ହେବାକୁ ହେଲେ ଅଣ ବିଜେପି ଓ ଅଣ କଂଗ୍ରେସ ବିଧାୟଙ୍କ ଭୋଟ୍ ଅଧିକ ଗୁରୁତ୍ୱ ଥିଲା। ହେଲେ ଇତି ମଧ୍ୟରେ ଜଣେ ବିଜେପି ବିଧାୟକା କ୍ରସ ଭୋଟ ଦେଇ ବିଜେପି ସମର୍ଥିତ ରାଜ୍ୟସଭା ପ୍ରାର୍ଥୀ ସୁବାଷ ଚନ୍ଦ୍ରା ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ଯିବାକୁ ଯେଉଁ ସ୍ୱପ୍ନ ଦେଖିଥିଲେ ସେଥିରେ ପାଣି ପକାଇ ଦେଇଛନ୍ତି।

ଆଜି ଚାରୋଟି ରାଜ୍ୟରେ ୧୬ ଟି ରାଜ୍ୟସଭା ଆସନ ପାଇଁ ମତଦାନ ହୋଇଥିଲା। ଏବେ ବିଜେପି ବିଧାୟକଙ୍କ କ୍ରସ ଭୋଟିଂ ପରେ ବିଜେପି କୋର୍ଟକୁ ଯାଇଛି। କଂଗ୍ରେସ ସପକ୍ଷରେ କ୍ରସ ଭୋଟିଂ କରିଥିବାରୁ ରାଜ୍ୟରେ ବିରୋଧୀ ଦଳର ନେତା ଗୁଲାବଚାନ୍ଦ କାଟାରିଆ ଏକ ଚିଠି ଜାରି କରି କହିଛନ୍ତି ଯେ ବିଧାୟିକା ଶୋଭାରାଣି କୁଶୱାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଦଳର ନିଷ୍ପତ୍ତି ବିରୋଧରେ ଯାଇ ବିରୋଧୀ ଦଳର ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବାରୁ କଂଗ୍ରେସର ପ୍ରାର୍ଥୀ ପ୍ରମୋଦ ତିୱାରୀ ବିଜୟୀ ହୋଇଛନ୍ତି। ଏହି ଅଭିଯୋଗରେ ଶୋଭାରାଣିଙ୍କୁ ବିରୋଧରେ ଭାରତୀୟ ଜନତା ପାର୍ଟି ଏକ ଶୃଙ୍ଖଳାଗତ ଉଲ୍ଲଂଘନ କାର୍ୟ୍ୟାନୁଷ୍ଠାନ ନେଇଛି। ଏଥିସହ ତାଙ୍କୁ ସାତ ଦିନ ସମୟ ଦେଇ ପକ୍ଷ ରଖିବାକୁ କହିଛି। ଏହି ସମୟ ମଧ୍ୟରେ, ଯଦି ସେ ତାଙ୍କ ପକ୍ଷ ଉପସ୍ଥାପନ କରନ୍ତି ନାହିଁ, ତେବେ ଦଳ ଆଉ କିଛି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ରହିଛି।

ଏଥିସହ କଂଗ୍ରେସ ଶାସିତ ରାଜସ୍ଥାନରେ ବିଜେପି କେବଳ ଗୋଟିଏ ଆସନ ପାଇଛି। ସ୍ୱାଧୀନ ପ୍ରାର୍ଥୀ ସୁଭାଷ ଚନ୍ଦ୍ର ହାରିଯାଇଥିବା ବେଳେ ଶାସକ କଂଗ୍ରେସ ତିନୋଟି ଆସନ ଜିତିଛି। କଂଗ୍ରେସ ପ୍ରାର୍ଥୀ ରଣଦୀପ ସୁରଜେୱାଲା, ପ୍ରମୋଦ ତିୱାରୀ ଏବଂ ମୁକୁଲ ୱାସନିକ ରାଜ୍ୟସଭା ନିର୍ବାଚନରେ ​​ଜିତିଛନ୍ତି। ଅନ୍ୟପକ୍ଷରେ ଘନଶ୍ୟାମ ତିୱାରୀ ବିଜେପିରୁ ଜିତିଛନ୍ତି।

ରାଜ୍ୟସଭା ନିର୍ବାଚନରେ ​​ଘନଶ୍ୟାମ ତିୱାରୀ ୪୩, ପ୍ରମୋଦ ତିୱାରୀ ୪୧, ରଣଦୀପ ସୁରଜେୱାଲା ୪୩ ଏବଂ ମୁକୁଲ ୱାସନିକ ୪୨ ଖଣ୍ଡ ଭୋଟ ପାଇଛନ୍ତି। ଯେତେବେଳେ କି ସୁଭାଷ ଚନ୍ଦ୍ରଙ୍କୁ ୩୦ ଖଣ୍ଡ ଭୋଟ ମିଳିଛି।

ତିନି ଆସନରେ କଂଗ୍ରେସ ବିଜୟୀ ହେବା ପରେ ଗଣତନ୍ତ୍ରର ବିଜୟ ହୋଇଛି ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଟୁଇଟ୍ କରି କହିଛନ୍ତି। ଏଥିସହ ସେ ତିନିଜଣ ନିର୍ବାଚିତ ସାଂସଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ତିନିଜଣ ସାଂସଦ ଦିଲ୍ଲୀରେ ରାଜସ୍ଥାନର ଅଧିକାରକୁ ସୁରକ୍ଷା ଦେବେ। ଗେହଲୋଟ୍ କହିଛନ୍ତି ଯେ ତିନିଟି ଆସନ ପାଇଁ କଂଗ୍ରେସ ଜିତିବା ସୁନିଶ୍ଚିତ ଥିଲା ହେଲେ ଏହାକୁ ଭଣ୍ଡୁର କରିବା ପାଇଁ ବିଜେପି ଘୋଡା ବେପାର ଆରମ୍ଭ କରିଥିଲା। ହେଲେ ବିଜେପିର ଚାଲ ବିଫଳ ହୋଇଛି। ଆଗାମୀ ୨୦୨୩ ବିଧାନସଭା ନିର୍ବାଚନରେ ବିଜେପି ପରାଜୟର ସାମ୍ନା କରିବ।

Leave A Reply

Your email address will not be published.