Latest Odisha News

BREAKING NEWS

ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଦାବି

ପାଟଣା: ଏନଡିଏ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ସେ ନେଇ ଅଙ୍କକଷା ଚାଲିଥିବା ବେଳେ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଜେଡିୟୁର ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଦାବି ହୋଇଛି । ଜେଡିୟୁ ନେତା ତଥା ମନ୍ତ୍ରୀ ଶ୍ରବଣ କୁମାର ଏହି ଦାବି କରିଛନ୍ତି। ସେ କହିଛନ୍ତି ଉଭୟ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ନୀତୀଶଙ୍କ ପାଖରେ ରହିଛି ଭରପୁର ଦକ୍ଷତା ଏବଂ ଅଭିଜ୍ଞତା ।

ଶ୍ରବଣ କୁମାର ଏପରି ଦାବି କରିବା ପରେ ବିରୋଧୀ ଆସନରେ ଥିବା ଆରଜେଡି ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି ଯେ ବିହାରର ଏହି ଚେହେରା ରାଷ୍ଟ୍ରପତି ହେବାର ସୁଯୋଗ ପାଇଲେ ଗର୍ବର ବିଷୟ ହେବ। ଏଥିପାଇଁ ନୀତୀଶ କୁମାର ସବୁଠାରୁ ଯୋଗ୍ୟ ପ୍ରାର୍ଥୀ । ସେ କହିଛନ୍ତି ଯେ ଯଦି ତାଙ୍କୁ ରାଷ୍ଟ୍ରପତି ହେବାକୁ ପ୍ରାର୍ଥୀ କରାଯାଏ, ତା’ହେଲେ ଆରଜେଡି ଏଥିରେ କୌଣସି ଆପତ୍ତି କରିବ ନାହିଁ, ଦଳ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବ । ମୁକେଶ ସାହନିଙ୍କ ପାର୍ଟି ଭିଆଇପି ମଧ୍ୟ ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ଦାବିକୁ ମଧ୍ୟ ସମର୍ଥନ କରିଛି।

ସାହନିଙ୍କ ଦଳର ମୁଖପାତ୍ର ଦେବ ଜ୍ୟୋତି ନୀତୀଶ କୁମାରଙ୍କ ସମର୍ଥନରେ ଟୁଇଟ୍ କରି କହିଛନ୍ତି ଯେ ବିହାରର ପୁଅ ମଧ୍ୟ ଦେଶର ପ୍ରଥମ ନାଗରିକ ହୁଅନ୍ତୁ ବୋଲି ମୁକେଶ ସାହନି ଚାହୁଁଛନ୍ତି। ବର୍ଷ ବର୍ଷ ଧରି ବିହାରକୁ ସଫଳତାର ସହ ଆଗେଇ ନେବା ସହିତ ନୀତୀଶ କୁମାର କେନ୍ଦ୍ର ମନ୍ତ୍ରୀ ରହି ଆସିଛନ୍ତି। ନୀତୀଶ କୁମାରଙ୍କର ଦକ୍ଷତା ଅଛି, ସେ ରାଷ୍ଟ୍ରପତି ପଦ ପାଇଁ ଯୋଗ୍ୟ।

ଏହା ପୂର୍ବରୁ ଗୁରୁବାର ଦିନ ନିର୍ବାଚନ ତାରିଖ ଘୋଷଣା ପରେ ମନ୍ତ୍ରୀ ଶ୍ରବଣ କୁମାର କହିଥିଲେ ଯେ ରାଷ୍ଟ୍ରପତି ତଥା ପ୍ରଧାନମନ୍ତ୍ରୀ ହେବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ସମ୍ପୂର୍ଣ୍ଣ ସାମର୍ଥ୍ୟ ରହିଛି। ତାଙ୍କର ଦୂରଦୃଷ୍ଟି ଏବଂ ଚିନ୍ତାଧାରା ଜାତୀୟ-ଆନ୍ତର୍ଜାତୀୟ ସ୍ତରର। ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ପ୍ରତ୍ୟେକ ବିହାରବାସୀ ଏଥିରେ ଖୁସି ହେବେ।

Leave A Reply

Your email address will not be published.