Latest Odisha News

BREAKING NEWS

ଚତୁର୍ଥ ଦିନରେ ବି ବିଧାନସଭା ଅଚଳ, ଜିଦରେ ଅଟଳ ବିରୋଧୀ

ଭୁବନେଶ୍ୱର: ଚାରି ଦିନ ହେଲାଣି । ଚାଲି ପାରୁନି ବିଧାନସଭା । ବିରୋଧୀଙ୍କ ନାରାବାଜି, ହଟ୍ଟଗୋଳ ଭିତରେ ହୁଲସ୍କୁଲ ହେଉଛି ଗୃହ । ବିଧାନସଭାରେ ଅଚଳାବସ୍ଥା ଜାରି ରହିଛି । ଆଜି ବି ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ସମାନ ଚିତ୍ର ଦେଖିବାକୁ ମିଳିଥିଲା । ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ବିଧାୟକ ମମିତା ମେହେର ପ୍ରସଙ୍ଗରେ ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ଘଣ୍ଟ ବଜାଇ ହୋହଲ୍ଲା କରିଥିଲେ ।

ନାରାବାଜି ସହ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ ବିରୋଧୀ । ଗୃହରେ ପୂଜକ ବେଶରେ ଗଙ୍ଗାଜଳ ଛିଞ୍ଚିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଘଣ୍ଟମାଡ଼ରେ କମ୍ପିଥିଲା ଗୃହ । ବାରମ୍ବାର ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ୱେ ବିରୋଧୀ ନରମି ନଥିଲେ । ପୋଡିୟମ୍ ତଳେ ନାରାବାଜି ଜାରି ରଖିଥିଲେ ।

ବାଚସ୍ପତିଙ୍କ କଥାକୁ ମାନି ନଥିଲେ ବିରୋଧୀ ବିଧାୟକ । ହଟ୍ଟଗୋଳ ବନ୍ଦ ହୋଇ ନଥିଲା କି ନିଜ ଆସନରେ ବସି ନଥିଲେ ବିରୋଧୀ ବିଧାୟକ । ହୋହଲ୍ଲା ଲାଗି ରହିବାକୁ ବାଚସ୍ପତି ଗୃହକୁ ଅପରାହ୍ଣ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ । ବାଚସ୍ପତି କହିଛନ୍ତି, ବିଧାନସଭାରେ ନାଟକର ସ୍ଥାନ ନାହିଁ ।

ଚାରି ଦିନ ହେଲାଣି ମମିତା ପ୍ରସଙ୍ଗରେ ବିଧାନସଭା କମ୍ପୁଛି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି ଜିଦରେ ବିରୋଧୀ ଅଟଳ ଅଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଏହି ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ତାଙ୍କ ସରକାର ଅଙ୍ଗୀକାରବଦ୍ଧ । ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି ନକରିବା ପାଇଁ ବିରୋଧୀଙ୍କୁ ଅପିଲ କରିଥିଲେ । ତାପରେ ବି ବିଧାନସଭାରେ ଥମୁନି ମମିତା ତାତି ।

Leave A Reply

Your email address will not be published.